ଉଧମପୁର: ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷା ବାହିନୀ ଏବଂ ଜୈଶ-ଏ-ମହମ୍ମଦର ଚାରି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଏନକାଉଣ୍ଟର ଆରମ୍ଭ ହୋଇଛି। ସେନା ଏହି ଅପରେସନକୁ ଅପରେସନ ବିହାଲୀ ନାମ ଦେଇଛି। ଜମ୍ମୁର ବସନ୍ତଗଡ଼ର ବିହାଲୀ ଅଞ୍ଚଳରେ ଏହି ଏନକାଉଣ୍ଟର କାର୍ଯ୍ୟକ୍ରମ ଜାରି ରହିଛି। ଏକ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଏବଂ ଜମ୍ମୁ ଓ କାଶ୍ମୀର ପୁଲିସର ମିଳିତ ଦଳ ଏହି ଅଭିଯାନ ଆରମ୍ଭ କରିଥିଲେ। 

ଅଧିକାରୀମାନଙ୍କ ସୂଚନା ଅନୁଯାୟି, ଏହି ଚାରି ଜଣ ଆତଙ୍କବାଦୀଙ୍କୁ ଗତ ଏକ ବର୍ଷ ଧରି ନଜରରେ ରଖାଯାଇଥିଲା। ସେମାନେ କାରୁର ନାଲା ନିକଟରେ ଲୁଚି ରହିଥିବା ଜଣାପଡ଼ିଥିଲା। ଯେଉଁଠାରେ ସେନାର ପାରା କମାଣ୍ଡୋଙ୍କ ନେତୃତ୍ୱରେ ଏହି ଅପରେସନ ଜାରି ରହିଛି। ସେନା ପକ୍ଷରୁ ଗୁରୁବାର ସକାଳ ୮ଟା ୩୦ମିନିଟ ସମୟରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଏବଂ ଏହାପରଠୁ ଉଭୟ ପକ୍ଷ ମଧ୍ୟରେ ତୀବ୍ର ଗୁଳି ବିନିମୟ ଜାରି ରହିଛି। ଏହି ଅଭିଯାନରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣଙ୍କ ବିଷୟରେ ସୂଚନା ମିଳିପାରି ନାହିଁ। 

ଖରାପ ପାଗ ଏବଂ କୁହୁଡ଼ି ସତ୍ତ୍ୱେ ସେନା ନିଜ ଅଭିଯାନ ଜାରି ରଖିଛି। ଜମ୍ମୁ ରେଞ୍ଜର ଇନ୍ସପେକ୍ଟର ଜେନେରାଲ ଅଫ ପୁଲିସ ଭୀମ ସେନ ଟୁଟିଙ୍କ କହିବା ଅନୁସାରେ, ପାଗ ସୁଧୁରିଲେ ଅପରେସନ ନେଇ ପରିସ୍ଥିତି ସ୍ପଷ୍ଟ ହେବ। ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି।

ଏହି ଅଭିଯାନ ବାର୍ଷିକ ଅମରନାଥ ଯାତ୍ରାର ଆରମ୍ଭ ହେବାର ମାତ୍ର ଏକ ସପ୍ତାହ ପୂର୍ବରୁ ହୋଇଛି। ଯାହା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଜୋରଦାର କରିଛି। ଏହା ପୂର୍ବରୁ ବୁଧବାର ରାତିରେ ସାମ୍ବା ଜିଲ୍ଲାର ପୁରମଣ୍ଡଳ ଅଞ୍ଚଳରେ ସନ୍ଦିଗ୍ଧ ଗତିବିଧି ସୂଚନା ମିଳିବା ପରେ ଏକ ତଲାସୀ ଅଭିଯାନ ଚାଲିଥିଲା। କିନ୍ତୁ ଏହି ତଲାସୀ ଇଭିଯାନରେ ସେନା ହାତରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଲାଗି ନଥିଲା। ତେବେ ଆସନ୍ତା ସପ୍ତାହରେ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାରୁ ସେନା ବର୍ତ୍ତମାନ ହାଇଆଲର୍ଟରେ ରହିଛି।