ଭୁବନେଶ୍ୱର, ୧୩/୦୨: ଜଣେ ଅବକାରୀ ଅଧିକାରୀ ଚୋରା ମଦ ବେପାରୀକୁ ଧରିଲେ । ତା’ଠାରୁ ଟଙ୍କା ଛଡ଼େଇ ନେଇ ଫେରସ୍ତ ଦେଲେନି । ଫାଙ୍କିଦେଲେ । ଓଲଟା ବେପାରୀକୁ ହାତକଡ଼ା ପିନ୍ଧାଇ କୋର୍ଟରେ ହାଜର କରାଇବାକୁ ନେଇଗଲେ । ହେଲେ କୋର୍ଟରେ ଯାହା ଘଟିଲା ତାହା କୋର୍ଟ ପରିସରରେ ହଟଚମଟ ସୃଷ୍ଟି କରିଛି ।
ଗୁରୁବାର ଅପରାହ୍ଣ ସାଢ଼େ ୪ଟା । ହାତକଡ଼ା ପିନ୍ଧିଥିବା ଜଣେ ମଦ ବେପାରୀକୁ ଧରି କୋର୍ଟ ଚାଲାଣ କରିବା ପାଇଁ ଦୁଇ ଜଣ ଅବକାରୀ ଅଧିକାରୀ କୋର୍ଟ ପରିସରରେ ପହଞ୍ଚିଲେ । ଅଭିଯୁକ୍ତ ଜଣକ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଜଣେ ସାଦା ପୋଷାକଧାରୀ ଅବକାରୀ ବାବୁଙ୍କୁ ଜାବୁଡ଼ି ଧରି ଚିତ୍କାର କରୁଥାନ୍ତି, ‘ମୋ ଟଙ୍କା ଫେରାଅ, ମୁଁ ଓକିଲଙ୍କୁ ଦେଇ ବେଲ୍ରେ ଯିବି’ । ଅବକାରୀ ବାବୁ କିନ୍ତୁ ମାନିବାକୁ ନାରାଜ । ଶହ ଶହ ଓକିଲଙ୍କ ସମ୍ମୁଖରେ ଉଭୟଙ୍କ ଭିତରେ ଟଣାଓଟରା ଚାଲିଲା । ଅଭିଯୁକ୍ତଙ୍କ ପରିବାରର ଦୁଇ ମହିଳା ବି ଏଥିରେ ସାମିଲ ହୋଇ ଅବକାରୀବାବୁଙ୍କୁ ଟଙ୍କା ଫେରାଇବା ପାଇଁ ଟଣାଓଟରାରେ ସାମିଲ ହୋଇଗଲେ । ହେଲେ ଅବକାରୀ ଅଧିକାରୀ ଜଣଙ୍କ କହୁଥିଲେ, ମୁଁ ଟଙ୍କା ଫଙ୍କା କିଛି ନେଇନି । ଅଭିଯୁକ୍ତ କିନ୍ତୁ ନଛୋଡ଼ବନ୍ଧା । ମୋଠାରୁ ତୁମେ ଟଙ୍କା ଛଡ଼ାଇ ନେଇଛ, ମୋତେ ଟଙ୍କା ଫେରାଅ ।
ହୋହଲ୍ଲା ସହ ଧସ୍ତାଧସ୍ତି ଦେଖି ସେଠାରେ ଆଇନଜୀବୀଙ୍କ ଭିଡ଼ ଜମିଗଲା । ସେମାନେ ମଧ୍ୟ ଘଟଣା ସମ୍ପର୍କରେ ଅବକାରୀ ଅଧିକାରୀଙ୍କୁ ପଚାରିବାରୁ ସେ ଟଙ୍କା ନେଇ ନଥିବା ସଫେଇ ଦେଇଥିଲେ । ଅବକାରୀ ବାବୁ ଅଭିଯୁକ୍ତ ଜଣଙ୍କୁ ଧରି ଟାଣିଟାଣି କୋର୍ଟ ଭିତରକୁ ନେଇ ଯାଇଥିଲେ । ଅଭିଯୁକ୍ତ ଜଣଙ୍କ କିନ୍ତୁ ଟଙ୍କା ଫେରସ୍ତ ପାଇଁ ପାଟିକରି ଚାଲିଥିଲା। ଶେଷରେ କୋର୍ଟ ଭିତରେ ହାକିମଙ୍କ ନଜରରେ ପଡ଼ିଲା । ସେ ପଚରାଉଚରାରୁ ଅଭିଯୁକ୍ତ ଜଣଙ୍କ ତାଙ୍କ ଆଗରେ ଅବକାରୀ ଅଧିକାରୀଙ୍କ କାରନାମା ବଖାଣିଥିଲା । ୪ ହଜାର ୬ଶହ ଟଙ୍କା ଅବକାରୀ ବାବୁ ତା’ଠାରୁ ଛଡ଼ାଇ ନେଇ ଲୁଚେଇ ରଖିଥିବା କହିଥିଲା । ହାକିମ ଏନେଇ ଅବକାରୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ପାଟି ଖନିବାଜିଗଲା । ସେ ଟଙ୍କା ଜବତ କରିଥିବା କହିଥିଲେ । ହାକିମ ତାଙ୍କୁ ପଚାରିଥିଲେ ସିଜର ଲିଷ୍ଟରେ ଉଲ୍ଲେଖ କରିଛ କି ନାହିଁ । ଅଧିକାରୀ ଜଣଙ୍କ ମନା କରିଥିଲେ । ତେଣୁ ହାକିମ ତାଗିଦ କରିବାରୁ ଅବକାରୀ ଅଧିକାରୀ ଜଣଙ୍କ ସର୍ବ ସମ୍ମୁଖରେ ନିଜ ଅନ୍ତବସ୍ତ୍ର ଭିତରେ ଲୁଚାଇ ରଖିଥିବା ଟଙ୍କା ବାହାର କରିଥିଲେ । ଏହି ଲଜ୍ଜାଜନକ ଘଟଣା ଭୁବନେଶ୍ୱର କୋର୍ଟ ପରିସରରେ ବେଶ୍ ଆଲୋଚ୍ୟର ବିଷୟ ହୋଇଛି ।
ଆହୁରି ପଢ଼ନ୍ତୁ :- ବଦଳିବ ପାରାଦୀପର ରୂପରେଖ, ପର୍ଯ୍ୟଟକଙ୍କୁ ଟାଣିବ ବ୍ଲୁ ଫ୍ଲାଗ୍ ବିଚ୍