ପୁରୀ, ୩୧।୧୨ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଧରାପଡିଲେ ଜଣେ ନକଲି ଡାକ୍ତର। ସମ୍ପୃକ୍ତ ନକଲି ଡାକ୍ତରଙ୍କୁ କୁମ୍ଭାରପଡା ଥାନାରେ ଅଟକ ରଖାଯାଇଛି। ସମ୍ପୃକ୍ତ ନକଲି ଡାକ୍ତର ଜଣକ ଘର ପୁରୀ ଷ୍ଟେସନ ବଜାରରେ ବୋଲି ଜଣାପଡିଛି।
ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ଯୁବକ ପ୍ରାୟ ସାତଦିନ ହେବ ବେକରେ ଷ୍ଟେଥୋ ସ୍କୋପ ପକାଇବା ସହ ଆପ୍ରନ ପିନ୍ଧି ରୋଗୀ ମାନଙ୍କ ସେବା କରୁଥିଲେ। ତେବେ ଜଣେ କମ୍ ବୟସ୍କ ଯୁବକ କିଭଳି ଡାକ୍ତର ହେଲେ ତା'କୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଉକ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ନର୍ସ ମାନେ ସନ୍ଦେହରେ ଥିଲେ ମଧ୍ୟ ଯୁବକଙ୍କୁ ପଚାରିବାକୁ ସାହାସ କରିପାରିନଥିଲେ। ତେଣୁ ଏହାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ଜଣକ ପ୍ରତିଦିନ ମେଡିକାଲ ଆସି ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ। ହେଲେ କାହାକୁ କୌଣସି ମେଡିସିନ ଲେଖୁ ନଥିଲେ।
ତେବେ ନର୍ସମାନେ ଉକ୍ତ ଯୁବକକୁ ଆଜି ପରିଚୟ ପଚାରିଥିଲେ। ଏକ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ବୋଲି ଯୁବକ ଜଣକ କହିଥିଲେ। ନର୍ସ ମାନେ ସଙ୍ଗେସଙ୍ଗେ ମେଡିକାଲ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ସମ୍ପୃକ୍ତ ଯୁବକକୁ ପ୍ରଥମେ ମେଡିକାଲ୍ ଫାଣ୍ଡିରେ ଅଟକ ରଖି କୁମ୍ଭାରପଡା ଥାନା ପୋଲିସର ଜିମା ଦେଇଥିଲେ। ଏନେଇ ସମ୍ପୃକ୍ତ ଯୁବକର ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।