PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଧରାହେଲେ ନକଲି ଏସ୍କର୍ଟ ସର୍ଭିସ୍‌ ଗ୍ୟାଙ୍ଗ୍‌

ଭୁବନେଶ୍ୱର,୭/୧୦ : ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଉଥିଲେ । କିନ୍ତୁ ସୁନ୍ଦରୀ ତରୁଣୀଙ୍କ ଫଟୋ ଦେଖାଇ ଟଙ୍କା ଆଦାୟ କରିଦେଇ ଫୁର୍‌ ହୋଇଯାଉଥିଲେ । କମିଶନରେଟ୍‌ ପୁଲିସ ସ୍ପେଶାଲ ସ୍କ୍ୱାଡ୍‌ ସହ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏମିତି ଏକ ନକଲି ଏସ୍କର୍ଟ ସର୍ଭିସ୍‌ ଚଳାଉଥିବା ଗ୍ୟାଙ୍ଗକୁ କାବୁ କରିଛି । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଓ ଜଣେ ଯୁବତୀଙ୍କ ସହ ୫ଜଣଙ୍କୁ ଗିରଫ କରିଛି । ଏମାନଙ୍କଠୁ ୧୧ ମୋବାଇଲ୍‌ ଫୋନ୍‌, ୨୩ ଏଟିଏମ୍‌ କାର୍ଡ, ୭୦ଟି ପ୍ରିଆକ୍ଟିଭ୍‌ ସିମ୍‌କାର୍ଡ ଓ ୮୬,୫୦୦ ଟଙ୍କା ଜବତ କରାଯାଇଛି ।

ଅଭିଯୁକ୍ତମାନେ ହେଲେ ସୁନ୍ଦରପଦା ଅର୍ଚିଡ୍‌ ରେସିଡେନ୍ସିରେ ରହୁଥିବା ସୁଶାନ୍ତ ପାତ୍ର ଓରଫ୍‌ ବାବୁ । ଯିଏକି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ସୁଶାନ୍ତର ଘନିଷ୍ଠ ସହଯୋଗୀ ତଥା ଖୋର୍ଦ୍ଧା ସଦର ବାସିନ୍ଦା ସଦାଶିବ ସେଠୀ । ବାଲିପାଟଣାର ଜଗନ୍ନାଥ ବରାଳ ଓ ବଳଙ୍ଗା ଗଡ଼ସାହିର ଉପମନ୍ୟୁ ବରାଳ । ବଡ଼ କଥା ହେଲା, ଖୋର୍ଦ୍ଧା ବାଣପୁରର ସସ୍ମିତା ଜେନା (କଣ୍ଢେଇ) ନାମ୍ନୀ ଯୁବତୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଏସ୍‌କର୍ଟ ସର୍ଭିସ୍‌ ଖୋଜୁଥିବା ଲୋକଙ୍କୁ ନାନା ପ୍ରଲୋଭନ ଦେଖାଇ ଜାଲରେ ଫସାଇବା ହେଉଛି କଣ୍ଢେଇର ଦାୟିତ୍ୱ । ପୁଲିସ କହିଛି, ମାଷ୍ଟରମାଇଣ୍ଡ ସୁଶାନ୍ତ ଡାକ ବିଭାଗରେ କାମ କରୁଥିଲା । ସେଠାରେ ଉପଭୋକ୍ତାଙ୍କ ଆଧାରକାର୍ଡ ଚୋରାଇ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲା । ପାତ୍ରପଡ଼ାର ଜଣେ ଲୋକଙ୍କୁ ପ୍ରାୟ ବର୍ଷେ ଧରି ଏମାନେ ଏସ୍‌କର୍ଟ ସର୍ଭିସ୍‌ ଜାଲରେ ପକାଇଥିଲେ । ଏହି ଗ୍ୟାଙ୍ଗ ଦ୍ୱାରା ଠକେଇର ଶିକାର ହୋଇଥିବା ନେଇ ଏଯାବତ୍‌ ୧୦ଜଣ ପୁଲିସରେ ଅଭିଯୋଗ କରିସାରିଲେଣି ।

କେମିତି ଠକୁଥିଲେ ?

ବିବେକାନନ୍ଦ ଜେନାଙ୍କ ଅଭିଯୋଗକ୍ରମେ, ସେ ଗତ ମାସ ୧୮ ତାରିଖରେ ଏସ୍‌କର୍ଟ ସର୍ଭିସ ପାଇଁ ଅନ୍‌ଲାଇନରେ ଖୋଜୁଥିଲେ । ସେଥିରୁ ‘୭୬୫୫୦୭୦୬୩୨’ ନମ୍ବରରେ ଯୋଗାଯୋଗ କରିଥିଲେ । ରେଜିଷ୍ଟ୍ରେସନ ପାଇଁ ତାଙ୍କୁ ୧୫୦୦ ଟଙ୍କା ଦେବାକୁ କୁହାଯାଇଥିଲା । ଏସ୍କର୍ଟ ଭାବେ ଯୁବତୀ ଚୟନ ପାଇଁ କିଛି ଫଟୋ ବିବେକାନନ୍ଦଙ୍କୁ ପଠାଇଥିଲେ । ଯେଉଁଥିରେ ବିଭିନ୍ନ ଯୁବତୀଙ୍କ ଫଟୋ ରହିବା ସହ ଭଡ଼ା (ସର୍ଭିସ୍‌ ଚାର୍ଜ) ଲେଖାଯାଇଥିଲା । ବିବେକାନନ୍ଦ ଯୁବତୀ ଚୟନ କରିବା ପରେ ଗୋଟାଏ ରାତି ପାଇଁ ୫ ହଜାର ଟଙ୍କା ହିସାବରେ ୨ ଦିନକୁ ୧୦ହଜାର ଟଙ୍କା ମାଗିଥିଲେ । ଯୁବତୀଜଣକ ଗାଡି଼ରେ ଯିବା ପାଇଁ ୩ ହଜାର ଟଙ୍କା ଓ ମାଷ୍ଟରକ୍ୟାଣ୍ଟିନ୍‌ ହୋଟେଲରେ ଏକ ରୁମ୍‌ ବୁକ ପାଇଁ ୧୨ ହଜାର ଟଙ୍କା ଡିମାଣ୍ଡ କରିଥିଲେ । ସର୍ବମୋଟ ୨୫ ହଜାର ଟଙ୍କାରୁ ବିବେକାନନ୍ଦ ଅନ୍‌ଲାଇନ୍‌ ପେମେଣ୍ଟରେ ମୋଟ ୨୨ ହଜାର ୫୦୦ ଟଙ୍କା ସାଇବର ଠକଙ୍କୁ ପଠାଇ ଦେଇଥିଲେ । ମାଷ୍ଟର କ୍ୟାଣ୍ଟିନର ଉକ୍ତ ହୋଟେଲରେ ପହଞ୍ଚିବା ପରେ ବିବେକାନନ୍ଦଙ୍କୁ କେହି ଭେଟି ନଥିଲେ କି ଠକଙ୍କ ମୋବାଇଲ୍‌ ନମ୍ବରରେ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା । ଠକାମିର ଶିକାର ସତ୍ତେ୍ୱ ଲୋକଲଜ୍ଜାରେ ବିବେକାନନ୍ଦ କାହାରିକୁ କିଛି କହିନଥିଲେ । ଶେଷରେ ଜଣେ ବନ୍ଧୁଙ୍କ ପରାମର୍ଶକ୍ରମେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ ।

ପୂର୍ବରୁ ପୁଲିସକୁ ଜଣାଇଥିଲେ ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ

ମୁଖ୍ୟ ଅଭିଯୁକ୍ତ ସୁଶାନ୍ତଙ୍କ ସ୍ତ୍ରୀ ଗତ ମେ’ ୨୪ ତାରିଖରେ ଡିସିପି ଅଫିସ୍‌ ଯାଇଥିଲେ । ପୂର୍ବରୁ ଖଣ୍ଡଗିରି ଥାନା ଓ ମହିଳା ଥାନାକୁ ମଧ୍ୟ ଯାଇଥିଲେ । ଏସ୍‌କର୍ଟ ସର୍ଭିସ୍‌ରେ ବିଜ୍ଞାପନ ଦେଇ ତାଙ୍କ ସ୍ୱାମୀ ଲୋକଙ୍କୁ ଚୂନ ଲଗାଉଥିବା ନେଇ ସେ ପୁଲିସକୁ ଅଭିଯୋଗ କରିଥିଲେ । କିନ୍ତୁ ପାରିବାରିକ କଳହ କାରଣ ଦର୍ଶାଇ ପୁଲିସ୍‌ ଏହି ଅଭିଯୋଗକୁ ହେୟ ଜ୍ଞାନ କରିଥିଲା । ଏବେ ପୁଲିସ କହୁଛି, ସୁଶାନ୍ତର ସ୍ତ୍ରୀ ମଧ୍ୟ ସେ ଗ୍ୟାଙ୍ଗରେ ସମ୍ପୃକ୍ତ । ସେ କଣ୍ଢେଇଙ୍କ ଭଳି ଗ୍ୟାଙ୍ଗରେ କାମ କରୁଥିବା ଯୁବତୀଙ୍କ ରହିବା, ଖାଇବା ପିଇବା କଥା ବୁଝେ । ସେମାନେ କେମିତି ଶିକାର ଖୋଜିବେ, ଲୋକଙ୍କୁ ଏସ୍‌କର୍ଟ ଜାଲରେ ଫସାଇବେ? ସୁଶାନ୍ତଙ୍କ ସ୍ତ୍ରୀ ଏନେଇ ସେମାନଙ୍କୁ ତାଲିମ୍‌ ଦେଉଥିଲେ ।

ପ୍ରି-ଆକ୍ଟିଭ ସିମ୍‌ ଯୋଗାଉଥିଲେ ୨ ଦଲାଲ୍‌

ପୁଲିସ ହାବୁଡ଼ରେ ନ ପଡି଼ବାକୁ ଏମାନେ ସାଇବର ଠକ (ଜାମତରା ଗ୍ୟାଙ୍ଗ)ଙ୍କ ଭଳି ପ୍ରି-ଆକ୍ଟିଭ ସିମ୍‌ ବ୍ୟବହାର କରୁଥିଲେ । ଏଭଳି ବେନାମୀ ସିମ୍‌ ଯୋଗାଇବା ଜଗନ୍ନାଥ ଓ ଉପମନ୍ୟୁଙ୍କ ଦାୟିତ୍ୱ ଥିଲା । ପୁଲିସ ଏବେ ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ।