ବାପାଙ୍କ ଆରୋଗ୍ୟ ପାଇଁ କାଳିଆ ପାଖରେ ମାନସିକ ଥିଲା ପୁଅ, ଭଲ ହେବା ପରେ ଚାଲି ଚାଲି ଶ୍ରୀକ୍ଷେତ୍ର ବାହାରିଲେ…

ଓଳାଭର, ୨୪/୦୬: ବାପା ପଡ଼ି ଯାଇ ବେହୋସ ହୋଇଗଲେ । ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହେଲା । ତାଙ୍କର ବଞ୍ଚିବା ଆଶା ଛାଡ଼ିଦେଲେ ପରିବାର ଲୋକେ । ମାତ୍ର ଏଥିରେ ବିଚଳିତ ନ ହୋଇ ପୁଅ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଆଶ୍ରିତ ହେଲେ । ଭଲ ହୋଇଗଲେ ଚାଲି ଚାଲି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ମାନସିକ କଲେ । ବାପା ଭଲ ହୋଇଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପାରିନୂଆପଡ଼ା ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡ ଗ୍ରାମର ଉଦୟକର ଖଟୁଆ (୩୩) ଚାଲି ଚାଲି ପୁରୀ ବାହାରିଛନ୍ତି । ସେ ଖାଲି ପାଦରେ ଚାଲି ଚାଲି ପ୍ରାୟ ୧୯୦ କିମି ଅତିକ୍ରମ କରିବେ ବୋଲି ଜଣାପଡ଼ିଛି ।
ଖବରରୁ ପ୍ରକାଶ ଯେ, ଉଦୟକରଙ୍କ ବାପା ମାଧବାନନ୍ଦ ଖଟୁଆ କିଛି ମାସ ତଳେ ହଠାତ୍ ପଡ଼ି ଯାଇଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ କାନ ଓ ନାକରୁ ରକ୍ତସ୍ରାବ ହୋଇଥିଲା । ଏହା ଦେଖି ଘରେ କାନ୍ଦବୋବାଳି ପଡ଼ିଯାଇଥିଲା । ତାଙ୍କୁ ଡାକ୍ତରଖାନା ନେବା ବାଟରେ କିଛି ବି ହୋଇ ଯାଇପାରେ ବୋଲି ପରିବାର ଲୋକେ ଆଶଙ୍କା କରିଥିଲେ । ତେବେ ମଝିଆ ପୁଅ ଉଦୟକର ଏଭଳି ଦୁର୍ଘଟଣାରେ ବିଚଳିତ ନ ହୋଇ ଜଗନ୍ନାଥଙ୍କୁ ଆରାଧନା କରିଥିଲେ । ବାପା ଯଦି ଭଲ ହୋଇଯାଆନ୍ତି, ତେବେ ସେ ଖାଲି ପାଦରେ ଚାଲି ଚାଲି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ମାନସିକ କରିଥିଲେ । ଜଗନ୍ନାଥଙ୍କ କୃପାରୁ ବାପା ଭଲ ହୋଇଯିବା ପରେ ବୁଧବାର ପାହାନ୍ତାରୁ ସେ କଟକ-ଚାନ୍ଦବାଲି ରାସ୍ତା ଦେଇ ପୁରୀ ଅଭିମୁଖେ ବାହାରି ପଡ଼ିଥିଲେ । ଖବର ଲେଖାଯିବା ବେଳକୁ ସେ କଟକ ଜିଲ୍ଲା ସାଲେପୁର ନିକଟରେ ପହଞ୍ଚିଥିବା ଜଣାପଡ଼ିଛି । ରାତିରେ ସେ କୌଣସି ମଠ କିମ୍ବା ମନ୍ଦିରରେ ଆଶ୍ରୟ ନେଇଥିଲେ। ପୁଣି ସକାଳୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।
ଗତକାଲି ସଂଧ୍ୟାରେ ସେ କେନ୍ଦ୍ରାପଡ଼ା ବାରୁଅ ସ୍ଥିତ ସିଦ୍ଧମଠରେ ଆଶ୍ରୟ ନେଇଥିଲେ । ଇତିମଧ୍ୟରେ ସେ ପ୍ରାୟ ୮୦ କିମି ଯାତ୍ରା କରି ସାରିଛନ୍ତି । ଗୋଡ଼ରେ ଫୋଟକା ବାହାରି ପଡ଼ିଥିଲେ ମଧ୍ୟ ସେ ଜଗନ୍ନାଥଙ୍କୁ ସ୍ମରଣ କରି ଯାତ୍ରା ଜାରି ରଖିଛନ୍ତି । ରାତି ୯ଟା ପର୍ଯ୍ୟନ୍ତ ଚାଲିବା ପରେ ସେ କୌଣସି ମଠ କିମ୍ବା ମନ୍ଦିରରେ ଆଶ୍ରୟ ନେବେ ବୋଲି ଫୋନ୍ରେ ଆଲୋଚନା ବେଳେ କହିଛନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କ ବାପା ଭଲ ହେବା ପରେ ବଡ଼ପୁଅଙ୍କ ନିକଟରେ ଭୁବନେଶ୍ୱରରେ ଥିବା ଜଣାଯାଇଛି । ଉଦୟକରଙ୍କ ଏଭଳି ଯାତ୍ରା ସମ୍ପର୍କରେ ସେ ଜାଣି ନଥିବା ପରିବାର ପକ୍ଷରୁ କୁହାଯାଇଛି ।