ନୂଆଦିଲ୍ଲୀ : ପାକିସ୍ତାନରେ ରାଜନୀତିକ ଉତ୍ତେଜନା ପୁଣି ଥରେ ଶୀର୍ଷ ସ୍ତରରେ। ଇମ୍ରାନ ଖାନଙ୍କ କଥିତ ମୃତ୍ୟୁ ଗୁଜବ ପରେ ପୂରା ଦେଶରେ ବିରୋଧ ପ୍ରଦର୍ଶନ ମଧ୍ୟରେ ଫେଡେରାଲ ସରକାର ଖୈବର ପଖତୁନଖ୍ୱା ପ୍ରଦେଶରେ ଗଭର୍ଣ୍ଣର ରୁଲ୍‌ (ରାଷ୍ଟ୍ରପତି ଶାସନ) ଲଗାଇବାକୁ ସଙ୍କେତ ଦେଇ ସାରିଛନ୍ତି। ଆଇନ୍‌ ରାଜ୍ୟମନ୍ତ୍ରୀ ବାରିଷ୍ଟର ଅକିଲ ମଲିକ୍‌ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରଦେଶରେ ସୁରକ୍ଷା ଓ ଶାସନ ବ୍ୟବସ୍ଥା ବାରମ୍ୱାର ବିଗିଡ଼ି ଥିବା ସ୍ଥିତିକୁ ଦେଖି ଏହି ସମ୍ୱିଧାନିକ ପଦକ୍ଷେପ ଏବେ ପାଖାପାଖି ସ୍ଥିର ହୋଇ ସାରିଛି। ପିଟିଆଇର ପ୍ରାଦେଶିକ ସରକାର ଉପରେ ଦେଶର ଅନ୍ୟାନ୍ୟ ଅଞ୍ଚଳରୁ ଯୋଗାଯୋଗା ପଥ ବନ୍ଦ କରିବା ଓ ବିଚ୍ଛିନ୍ନତା ସୃଷ୍ଟି କରିବାର ଅଭିଯୋଗ କରି, କେନ୍ଦ୍ର ଚେତାବନୀ ଦେଇଛି ଯେ, ଯଦି ସ୍ଥିତି ନସୁଧୁରେ ତ ଖୁବ୍‌ ଶୀଘ୍ର ଗଭର୍ଣ୍ଣର ରୁଲ୍‌ ଲାଗୁ କରି ଦିଆ ଯିବ। ମଲିକ୍‌ଙ୍କ ଏହି ବିବୃତ୍ତି ଖୈବର ପଖତୁନଖ୍ୱାର ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦୀଙ୍କ ରାୱଲପିଣ୍ଡି ଜେଲ୍‌ର ବାହାରେ ଧାରଣା ଦେବା ପରେ ଆସିଛି।

ଜିୟୋ ନ୍ୟୁଜକୁ ମଲିକ୍‌ କହିଛନ୍ତି ଯେ, କେପିର ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦୀ ଓ ତାଙ୍କ ଟିମ୍‌ କୌଣସି ବି ପ୍ରକାରର ବ୍ୟବହାରିକ ସ୍ଥିତି ସୃଷ୍ଟି କରିବାରେ ସଂପୃର୍ଣ୍ଣ ଅସଫଳ ରହିଛନ୍ତି। ପାକିସ୍ତାନୀ ଖବରକାଗଜ ଡନ୍‌ ମଲିକଙ୍କ ଅନୁସାରେ , ଲେଖିଛି ଯେ, ନା ସେ କେନ୍ଦ୍ର ସହ ତାଳମେଳ ରଖିବାକୁ ଚାହାନ୍ତି ନା କି ଯେଉଁଠି ଆବଶ୍ୟକ ଅଛି ସେଠାରେ କାର୍ଯ୍ୟାନୁଷ୍ଠାନ ନେବେ। ସେ ଆହୁରି କହିଛନ୍ତି ଯେ, ଖୈବର ପଖତୁନଖ୍ୱାର ବର୍ତ୍ତମାନର ସ୍ଥିତି ନିଜେ ଏକ ଏମିତି ପଦକ୍ଷେପ ଦାବି କରୁଛି , ଯେଉଁଥିରେ ପ୍ରଶାସନିକ ଢାଞ୍ଚାର ଉପସ୍ଥିତି ସ୍ପଷ୍ଟ କରାଯାଇ ପାରିବ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ,ରାଷ୍ଟ୍ରପତି ନିଜେ ମଧ୍ୟ ଏହି ପଦକ୍ଷେପ ନେଇ ପାରିବେ, ଯାହାକୁ  ପରେ ସଂସଦର ମିଳିତ ଅଧିବେଶନରେ ଅନୁମୋଦନ ମିଳିଯିବ। ସେ କହିଛନ୍ତି ଯେ, ଗଭର୍ଣ୍ଣର ରୁମ୍‌ ପ୍ରଥମେ ଦୁଇ ମାସ ଯାଏ ଲାଗୁ ରହେ, ଆବଶ୍ୟକ ପଡ଼ିଲେ ଏହାକୁ ବୃଦ୍ଧି କରାଯାଇପାରେ। ମଲିକ୍‌ ଖୈବର ପଖତୁନଖ୍ୱା ସରକାର ଉପରେ ଦେଶର ଅନ୍ୟ ଭାଗରେ ରାସ୍ତା ଅବରୋଧ କରିବା ଓ ପ୍ରଦେଶକୁ ଉତ୍ତେଜିତ କରିବାର ଷଡ଼ଯନ୍ତ୍ର ରଚିବାକୁ ମଧ୍ୟ ଅଭିଯୋଗ କରିଛନ୍ତି।