ଏଫ୍ଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ; ଆଜି ଭାରତ-ଚିଲି ସେମି ଟକ୍କର

ହିରୋସୀମା,୨୧ା୬(ଏଜେନ୍ସି): ଚଳିତ ଏଫ୍ଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ପ୍ରଥମ ସେମି ଫାଇନାଲ୍ରେ ଆସନ୍ତାକାଲି ଭାରତ ଓ ଚିଲି ମୁହାଁମୁହିଁ ହେବେ । ଏଥିପାଇଁ ଉଭୟ ଦଳ ସମସ୍ତ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ସାବ୍ୟସ୍ତ ହୋଇଥିବା ଟିମ୍ ଇଣ୍ଡିଆର ମନୋବଳ ଆକାଶଛୁଆଁ ରହିଛି । ଆସନ୍ତାକାଲି ଚିଲିକୁ ହରାଇ ଦଳ ଫାଇନାଲ୍କୁ ଉନ୍ନୀତ ହେବା ସହ ଆଗାମୀ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି ।
ବିଶ୍ୱ ମାନ୍ୟତା ଓ ପ୍ରଦର୍ଶନରେ ଚିଲି ତୁଳନାରେ ଭାରତ ଢେର ଆଗରେ । ଭାରତ ବିଶ୍ୱ ମାନ୍ୟତାର ନବମ ସ୍ଥାନରେ ରହିଥିବା ବେଲେ ଚିଲି ୧୬ତମ ସ୍ଥାନରେ ରହିଛି । ସେହିପରି ଭାରତ ଗ୍ରୁପ୍ ପର୍ଯ୍ୟାୟର ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଥିଲା । ଦଳ ପ୍ରଥମ ମ୍ୟାଚ୍ରେ ଉରୁଗୁଏକୁ ୪-୧ରେ, ପୋଲାଣ୍ଡକୁ ୫-୦ରେ ଓ ଫିଜିକୁ ୧୧-୦ରେ ହରାଇ ଗ୍ରୁପ୍ର ଶୀର୍ଷରେ ରହିଥିଲା । ଅପରପକ୍ଷରେ ଚିଲି ୩ଟି ମ୍ୟାଚ୍ରୁ ୨ଟି ମ୍ୟାଚ୍ରେ ଜିତିବାକୁ ସକ୍ଷମ ହୋଇଥିଲା । ଦଳ ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ମେକ୍ସିକୋକୁ ୭-୦ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଜାପାନ୍କୁ ହରାଇଥିଲା । ମାତ୍ର ରୁଷିଆ ବିପକ୍ଷ ମ୍ୟାଚ୍ରେ ୨-୫ ଗୋଲରେ ପରାଜିତ ହୋଇଥିଲା । ପରେ କ୍ରସ୍ ଓଭର ମ୍ୟାଚ୍ରେ ଉରୁଗୁଏକୁ ୫-୨ ଗୋଲ୍ରେ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା । ଭାରତ ଉଭୟ ଗୋଲ୍ ଓ ରକ୍ଷଣଭାଗରେ ଆଗରେ ରହିଛି । ଦଳ ୧୯ଟି ଗୋଲ କରିଥିବା ବେଳେଗୋଟିଏ ଗୋଲ୍ ବରଣ କରିଛି । ଅପରପକ୍ଷରେ ଚିଲି ୪ଟି ମ୍ୟାଚ୍ରେ ୧୭ଟି ଗୋଲ କରିଛି ଓ ୬ଟି ଗୋଲ ଖାଇଛି ।
ଭାରତ ଓ ଚିଲିର ପୂର୍ବ ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିଛି । ଉଭୟ ଦଳ ପୂର୍ବରୁ ୪ ଥର ପରସ୍ପରକୁ ଭେଟିଛନ୍ତି । ଏଥିରୁ ୩ଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି । ଉଭୟ ଦଳ ଶେଷଥର ପାଇଁ ୨୦୧୭ ଜୁଲାଇ ୨୦ରେ ହକି ବିଶ୍ୱଲିଗ୍ ସେମି ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ୧-୦ ଗୋଲରେ ବିଜୟୀ ହୋଇଥିଲା । ସେମି ଫାଇନାଲ୍ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଏକ ଝଟ୍କା ଲାଗିଛି । ଦଳର ଯୁବ ଖେଳାଳି ଲାଲ୍ରେମସିଆମିଙ୍କ ପିତୃ ବିୟୋଗ ଯୋଗୁ ସେ ଭାରତ ଫେରିଛନ୍ତି ।