ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ନିଆଁ । ଖରିଆରରୋଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଛି। ଘଣ୍ଟାଏ ହେବ ଖରିଆରରୋଡ ଷ୍ଟେସନରେ ଟେନ ଅଟକି ରହିଥିଲା।
ଆଜି ରାତି ପ୍ରାୟ୧୦ ଟାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନ ଖରିଆରରୋଡ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ତେବେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀ ଜାଣିବାକୁ ପାଇଥିଲେ । ଏହାକୁ ନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।
ତେବେ ସେଠି ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନକୁ ଖରିଆରରୋଡ ଷ୍ଟେସନକୁ ଆଣିଥିଲେ । ଟ୍ରେନର ଏସି ବଗି ନିକଟରେ ଚକର ବ୍ରେକ ବାଇଣ୍ଡିଙ୍ଗରେ ନିଆଁ ଲାଗି ଯାଇଥିଲା । ଏଥିରେ ପ୍ରବଳ ଧୂଆ ହେବାରୁ ଯାତ୍ରୀ ଅସୁରକ୍ଷିତ ମନେ କରି ସବୁ ଯାତ୍ରୀ ଧାଁ ଧାପଡ ହୋଇ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଷ୍ଟେସନ ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ପଡ଼ିଥିଲା ।
ଖରିଆରରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ଦୁଇଟି ଗାଡ଼ିରେ ଟ୍ରେନର ନିଆଁକୁ ଆୟତ୍ତ କରିଥିଲେ । ଏବେ ସବୁ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଅନ୍ୟପକ୍ଷରେ ଟ୍ରେନର ଏସି ଚଳୁନଥିବାରୁ ଯାତ୍ରୀ ଖରିଆରରୋଡ ଷ୍ଟେସନରେ ହୋହାଲ୍ଲା କରିଥିଲେ । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏସି ଚଳୁନଥିବା ରେଲୱେ କର୍ତ୍ତୃପକ୍ଷ କହିଥିଲେ । ଆଗାମୀ ଷ୍ଟେସନରେ ଏସି ସଜାଡ଼ିବାକୁ ରେଲୱେ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ଯାତ୍ରୀ ଟ୍ରେନରେ ଚଢିଥିଲେ। ସନ୍ଧ୍ୟା ୬ ଟା ୫୩ରେ ଖରିଆରରୋଡ ଷ୍ଟେସନରେ ପହଞ୍ଚିବାକୁ ରହିଥିଲା ।
ତେବେ ଆଜି ରାତି ପ୍ରାୟ ୧୦ ଟା ୫ରେ ପହଞ୍ଚିଥିଲା । ରାତି ପ୍ରାୟ ୧୧ ଟା ୫ ମିନିଟରେ ଟ୍ରେନ ଖରିଆରରୋଡ ଷ୍ଟେସନରୁ ଛାଡିଥିଲା । ଏବେ ଟ୍ରେନ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଛି ।