ଭୁବନେଶ୍ୱର, ୨୬/୦୫ : ସ୍ଥିର ଆୟରେ ପରିବାର ଚଳାଇବା ଆମ୍‌ ଆଦ୍‌ମୀଙ୍କ ପାଇଁ ପାଲଟିଛି ମୁସ୍କିଲ । ମହଙ୍ଗା ଚୋଟରେ ଅଣ୍ଟା ସଳଖି ପାରୁନାହିଁ ଖାଉଟି । ଇନ୍ଧନ ଦର ଉପରମୁହାଁ । ଏହାସହିତ ସବୁକିଛି ମହଙ୍ଗା । ୧୧ ଦିନ ମଧ୍ୟରେ ୪ ଥର ବଢ଼ିଲାଣି ପେଟ୍ରୋଲ ଡିଜେଲ ଦର । ଲିଟର ପିଛା ଉଭୟ ଇନ୍ଧନ ଆଜି ଅଢ଼େଇ ଟଙ୍କାରୁ ଅଧିକ ମହଙ୍ଗା ହୋଇଯାଇଛି । ଏହିଭଳି ଭାବେ ୪ ଥରରେ ପ୍ରାୟ ୮ ଟଙ୍କା ବଢ଼ିଗଲାଣି ପେଟ୍ରୋଲ ଡିଜେଲ ଦର । ଏଭଳି ସ୍ଥିତିରେ ଆଗକୁ ପରିବହନ ଖର୍ଚ୍ଚ ବଢ଼ିବା ସହ ଆହୁରି ତେଜିବ ଦରଦାମ ସ୍ଥିତି । ମହଙ୍ଗା ମାଡ଼ରେ ଖାଉଟି ଏକ ପ୍ରକାର ଚେପା ହୋଇଯିବା ଥୟ । ରାଜଧାନୀ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦରରେ ଯଥାକ୍ରମେ ୨.୭୯ ଟଙ୍କା ଏବଂ ୨.୮୮ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧୦୯.୧୫ ଟଙ୍କା ଏବଂ ୧୦୦.୮୦ ଟଙ୍କା ହୋଇଛି ।

୪ ଥରରେ ପେଟ୍ରୋଲ ୭.୮୬ ଟଙ୍କା ଏବଂ ଡିଜେଲ ୮ ଟଙ୍କା ମହଙ୍ଗା ହୋଇଗଲାଣି । ଇନ୍ଧନ ଦରରେ ଲଗାତର ବୃଦ୍ଧି ଫଳରେ ଖାଉଟିଙ୍କ ଅବସ୍ଥା ବେହାଲ । ଦରଦାମ ଚାପରେ ପୂର୍ବରୁ ଛନ୍ଦି ହୋଇଥିବା ଆମ୍‌ ଆଦ୍‌ମୀଙ୍କ ପରିସ୍ଥିତି ଏବେ ବୋଝ ଉପରେ ନଳିତାବିଡ଼ା ସଦୃଶ । ଇନ୍ଧନ ଦର ବଢ଼ିବା ଦ୍ୱାରା ଟ୍ରକ ଏବଂ ବସ୍‌ ଭଡ଼ା ବଢ଼ିବ । ଫଳରେ ଅନ୍ୟ ରାଜ୍ୟରୁ ଆସୁଥିବା ପନିପରିବା, ଫଳ ଏବଂ ରାସନ୍‌ ଆଦି ମହଙ୍ଗା ହୋଇଯିବ । ଟ୍ରାକ୍ଟର ଏବଂ ପମ୍ପ ସେଟ୍‌ ଚଳାଇବା ପାଇଁ ଚାଷୀଙ୍କ ଖର୍ଚ୍ଚ ବଢ଼ିବ, ଯାହାଦ୍ୱାରା ଶସ୍ୟ ମହଙ୍ଗା ହେବ । ସାର୍ବଜନୀକ ପରିବହନ ଏବଂ ସ୍କୁଲ୍‌ ବସ୍‌ ଭଡ଼ା ମଧ୍ୟ ବୃଦ୍ଧି ପାଇବ । ବର୍ତ୍ତମାନ ସ୍ଥିତିରେ ଖାଉଟିଙ୍କ ବୋଝ କମାଇବା ପାଇଁ ଇନ୍ଧନ ଉପରେ ରାଜ୍ୟ ଭାଟ୍‌ ହ୍ରାସ କରିବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି । ବିଶେଷ କରି ବିଜେପି ଶାସିତ ରାଜ୍ୟ ଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଲାଣି ।

ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଦେଶ ଏହାର ତେଲ ଚାହିଦାର ୯୦% ବିଦେଶରୁ ଆମଦାନି ଜରିଆରେ ପୂରଣ କରୁଛି । ଯୁଦ୍ଧ ନ ଥମିବା ଯୋଗୁ ଅଶୋଧିତ ତେଲ କିଣିବା କମ୍ପାନିଙ୍କ ଲାଗି ଚିନ୍ତାଜନକ ହୋଇଛି । କମ୍ପାନି କ୍ଷତିଭରଣା କରିବା ଲାଗି ଲିଟର ପିଛା ଦର ପ୍ରାୟ ୨୦ ଟଙ୍କା ଯାଏ ବୃଦ୍ଧି କରିବା ନେଇ ଆକଳନ କରାଯାଇଛି । ଏଯାବତ ଦର ୮ ଟଙ୍କା ଯାଏ ବଢ଼ିଗଲାଣି । ସ୍ଥିତି ସ୍ୱାଭାବିକ ନ ହେଲେ ଏହା ଆହୁରି ବଢ଼ିବ । ନୂଆ ଦର ମେ’ ୨୫ ବା ଆଜିଠାରୁ ଲାଗୁ ହୋଇଛି । ୧୫ ମେ’ରୁ ଆରମ୍ଭ ହୋଇଥିଲା ଦରବୃଦ୍ଧି ଧାରା । ପ୍ରଥମେ ଉଭୟ ଇନ୍ଧନ ଦରରେ ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି ଘଟିଥିଲା । ମେ’ ୧୯ରେ ପାଖାପାଖି ୯୦ ପଇସା, ମେ’ ୨୩ରେ ବି ସମାନ ଆକାରରେ ବୃଦ୍ଧି ଘଟିବା ପରେ ଆଜି ଅଢ଼େଇ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି ଇନ୍ଧନ । ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୨୦୨୪ ମାର୍ଚ୍ଚରୁ ସ୍ଥିର ଥିଲା । ଲୋକସଭା ନିର୍ବାଚନ ୨୦୨୪ର ଠିକ୍‌ ପୂର୍ବରୁ ସରକାର ଲିଟର ପିଛା ଦରରେ ୨ ଟଙ୍କା ହ୍ରାସ କରିଥିଲେ । ମହଙ୍ଗା ଅଶୋଧିତ ତୈଳ ଯୋଗୁ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ବିକ୍ରିରେ ତୈଳ କମ୍ପାନିଗୁଡ଼ିକ ମାସକୁ ୩୦,୦୦୦ କୋଟି ଟଙ୍କା କ୍ଷତି ସହି ଆସୁଥିଲେ, ଯାହାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଦର ବଢ଼ାଉଛନ୍ତି ତୈଳ କମ୍ପାନି ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ବର୍ତ୍ତମାନର ଏହି ବୃଦ୍ଧି ପରେ ସରକାରୀ ତୈଳ କମ୍ପାନିଙ୍କ କ୍ଷତି କମିଯାଇଛି । ଏବେ ଏହା ହ୍ରାସ ପାଇ ଦୈନିକ ପ୍ରାୟ ୬୦୦ କୋଟି ଟଙ୍କାକୁ ଆସିଯାଇଛି । ମେ’ ୧୫ ପୂର୍ବରୁ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ବିକ୍ରି ଉପରେ ଦୈନିକ ପ୍ରାୟ ୧୦୦୦ କୋଟି ଟଙ୍କାର କ୍ଷତି ସହୁଥିଲେ । ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ଆଶା ତେଜିବା ଫଳରେ ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପାଖାପାଖି ୬% ଖସିଯାଇଛି । ବ୍ୟାରେଲ ପିଛା ଏହା ୧୦୦ ଡଲାର ତଳେ । ଏହା ସତ୍ତ୍ଵେ ଘରୋଇ ବଜାରରେ ଉପରମୁହାଁ ହୋଇଚାଲିଛି ଇନ୍ଧନ ଦର । ଦରବୃଦ୍ଧି ପରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୧୦୨.୧୨ ଟଙ୍କା ଏବଂ ଡିଜେଲ ୯୫.୨୦ ଟଙ୍କା ହୋଇଛି । ମୁମ୍ବାଇରେ ଏହା ଯଥାକ୍ରମେ ୧୧୧.୨୧ ଟଙ୍କା ଏବଂ ୯୭.୮୩ ଟଙ୍କା ରହିଛି । ସେହିଭଳି କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୩.୫୧ ଟଙ୍କା ଏବଂ ୧୦୭.୭୭ ଟଙ୍କାକୁ ବୃଦ୍ଧି ପାଇଛି । ଉଭୟ ସହରରେ ଡିଜେଲ ଦର ଯଥାକ୍ରମେ ୯୯.୮୨ ଟଙ୍କା ଏବଂ ୯୯.୫୫ ଟଙ୍କା ହୋଇଛି।

ଏହି ଖବରଟିକୁ ପଢନ୍ତୁCNG Price Hike: ମହଙ୍ଗା ମାଡ଼ରେ ନାକେଦମ୍‌; ପେଟ୍ରୋଲ୍-ଡିଜେଲ୍ ପରେ ବଢିଲା ସିଏନ୍‌ଜି ଦର, ଜାଣନ୍ତୁ କେତେ ?