ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ, ୪ ମାଫିଆ ଗିରଫ

ମୁନିଗୁଡ଼ା, ୨୭/୦୬ : ପୋଲିସକୁ ଚକ୍ମା ଦେଇ ଖସିଯିବାକୁ ଚେଷ୍ଟା କରିବା ବେଳେ ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜାମରାଗୁଡ଼ା ନିକଟରୁ ୬ କ୍ଵିଣ୍ଟାଲ ୪୦ କେ.ଜି ଗଞ୍ଜେଇ ଜବତ କରିବା ସହ ୪ ମାଫିଆ ଗିରଫ।
ସୂଚନାନୁଯାୟୀ, ରବିବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ସମେତ ମୁନିଗୁଡ଼ା ପୋଲିସର ଏକ ଟିମ୍ ମୁନିଗୁଡ଼ାର ସମସ୍ତ ପ୍ରବେଶ ପଥକୁ ସିଲ କରି ତନଖି ଆରମ୍ଭ କରିଥିଲେ। ଏହି ସମୟରେ ଜାମରାଗୁଡ଼ା ନିକଟରେ ଏକ XUV 500 ନମ୍ଵର ବିଶିଷ୍ଟ ଏକ କାର୍ ସହ ଏକ ଗଞ୍ଜେଇ ବୋଝେଇ ଟ୍ରକ୍ ପୋଲିସକୁ ଚକ୍ମା ଦେଇ ଦ୍ରୁତ ଗତିରେ ଯିବାକୁ ଚେଷ୍ଟା କରୁଥିଲା। ହେଲେ ପୋଲିସ ଗଞ୍ଜେଇ ବୋଝେଇ ଟ୍ରକ୍ ସହ ୪ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହା ସହ ଏକ କାର୍ ଜବତ ହୋଇଛି।
ଟ୍ରକ୍ଟିକୁ ଯାଞ୍ଚ୍ କରିବାରୁ ଏହା ଭିତରୁ ୬ କ୍ଵିଣ୍ଟାଲ ୪୦ କେ.ଜି ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ଗଞ୍ଜେଇ କୋରାପୁଟରୁ ଦିଲ୍ଲୀ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆଜି ଅପରାହ୍ନରେ ଏସମ୍ପର୍କରେ ସମସ୍ତ ତଥ୍ୟ ଦିଆଯିବ ବୋଲି ଏସ୍ଡିପିଓ କହିଛନ୍ତି।