‘ଘରେ ଘରେ ଶଙ୍ଖ’ ଅଭିଯାନର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଜଟଣୀ ବ୍ଲକ କଣ୍ଟିଲୋରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳ (ବିଜେଡିର) ‘ଘରେ ଘରେ ଶଙ୍ଖ’ ଅଭିଯାନ । ଦଳର ସଭାପତି ନବୀନ ପଟ୍ଟନାୟକ ଆଜି କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଲୋକଙ୍କୁ କ’ଣ ଆବଶ୍ୟକ? ସେ ନେଇ ପ୍ରସ୍ତାବ ଦେବାକୁ କହିଛନ୍ତି । ସେଇ ପ୍ରସ୍ତାବକୁ ନେଇ ବିଜେଡି ୨୦୧୯ ନିର୍ବାଚନ ପାଇଁ ନିଜର ଇସ୍ତାହାର ବନାଇବ ବୋଲି ନବୀନ ଘୋଷଣା କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ପ୍ରଧାନସାହି ପଞ୍ଚାୟତ ସରପଞ୍ଚ ସୁଚରିତା ପାଇକରାୟ ଓ ଆଉ ଜଣେ ମହିଳା କର୍ମୀଙ୍କୁ ‘ଘରେ ଘରେ ଶଙ୍ଖ’ ଫର୍ମ ଓ ଶଙ୍ଖ ଷ୍ଟିକର ଦେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦଳର ମହିଳା କର୍ମକର୍ତ୍ତାମାନେ ରାଜ୍ୟର ସମସ୍ତ ୮୬ ଲକ୍ଷ ପରିବାର ପାଖକୁ ଯିବେ । ସବୁ ଘରକୁ ଯାଇ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଲୋକଙ୍କର ମତାମତ ଆଣିବେ । ୨୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଜଟଣୀରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସାରା ରାଜ୍ୟରେ ଚାଲିବ ।
ଫର୍ମ ପୂରଣ କରୁଥିବା ବ୍ୟକ୍ତିଙ୍କ ନାମ ସହ ଗ୍ରାମପଞ୍ଚାୟତ, ନିର୍ବାଚନମଣ୍ଡଳୀ, ଜିଲ୍ଲା ସହ ପରିବାରର ଭୋଟ ସଂଖ୍ୟା ଲେଖିବାକୁ ହେବ । ଫର୍ମରେ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଲେଖା ରହିଛି । କେଉଁ ଯୋଜନା ଚାଲୁ ରହିବା ଦରକାର ବୋଲି ଫର୍ମରେ ପଚରା ଯାଇଛି । କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହ ରାଜ୍ୟ ସରକାରଙ୍କ ୧୧ ଟି ବଡ଼ ଯୋଜନା ସମ୍ପର୍କରେ ଏଥିରେ ଲେଖା ରହିଛି । ଏହାବାଦ୍ ଚାଷକୁ ଜଳସେଚନ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ କେଉଁ କ୍ଷେତ୍ରକୁ ବେଶି ଗୁରୁତ୍ୱ ଦେବା କଥା, ଏ ସବୁ ନେଇ କୋଠରୀରେ ଠିକ୍ ଚିହ୍ନ ଦେଇ ଲୋକେ ମତାମତ ଦେଇ ପାରିବେ ।
ଫର୍ମରେ କେନ୍ଦ୍ରୀୟ ଅବହେଳା କଥାକୁ ମଧ୍ୟ ଉଠାଯାଇଛି । କେଉଁ ଦାବିକୁ ନେଇ ସଂଗ୍ରାମକୁ ଜୋର୍ଦାର୍ କରାଯିବ? ଏ କଥା ମଧ୍ୟ ପଚରା ଯାଇଛି । ଏସବୁ ବାଦ୍ କେଉଁ ନୂଆ ଯୋଜନା ଆରମ୍ଭ କଲେ ଭଲ ହେବ । ଏ ପ୍ରସ୍ତାବ ମଧ୍ୟ ଦେବାକୁ କୁହାଯାଇଛି ।
ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ଖୋର୍ଦ୍ଧା ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ପ୍ରସାଦ ଡେଙ୍ଗଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କୁନା ତ୍ରିପାଠୀ ପରିଚାଳନା କରିଥିଲେ ।