ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଜଲ କିଙ୍ଗ୍ ପଙ୍କଜଙ୍କ ଶେଷକୃତ୍ୟ, ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ହୋଇଥିଲା ଦେହାନ୍ତ

ମୁମ୍ବାଇ ୨୭/୦୨:  ପ୍ରଖ୍ୟାତ ଗାୟକ ପଙ୍କଜ ଉଧାସଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି । ଆଜି ଅପରାହ୍ନରେ ମୁମ୍ବାଇ ୱର୍ଲି ସ୍ଥିତ ହିନ୍ଦୁ ଶ୍ମଶାନଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗତକାଲି ୭୨ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପଙ୍କଜ ଉଧାସ। ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ। ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ଝିଅ ନାୟାବ ଉଧାସ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। 

୧୯୫୧ ମସିହା, ମେ ୧୭ ତାରିଖରେ ଗୁଜରାଟର ଜେତପୁରରେ ପଙ୍କଜଙ୍କ ଜନ୍ମ। ତିନି ଭାଇଙ୍କ ମଧ୍ୟରେ ଥିଲେ ସବୁଠୁ ସାନ । ବଡ଼ ଭାଇ ମନହର ବଲିଉଡ୍‌ରେ ହିନ୍ଦୀ ପ୍ରଚ୍ଛଦ ଗାୟକ ଭାବେ ପରିଚିତ। ମଝିଆ ଭାଇ ନିର୍ମଲ ଜଣେ ଜଣାଶୁଣା ଗଜଲ ଗାୟକ । ପରିବାରରେ ସେ ହିଁ ପ୍ରଥମେ ଗୀତ ଗାଇବା ଆରମ୍ଭ କରିଥିଲେ । ପିଲାଦିନେ ଏହାର ପ୍ରଭାବ ପଙ୍କଜଙ୍କ ଉପରେ ପଡ଼ିଥିଲା । ଗୀତରେ ତାଙ୍କ ରୁଚି ଦେଖି ବାପା କେଶୁଭାଇ ଉଦାସ ତାଙ୍କୁ ରାଜକୋଟର ସଙ୍ଗୀତ ଏକାଡେମୀରେ ଭର୍ତ୍ତି କରିଥିଲେ । ସାର୍‌ ବିପିଟିଆଇ ଭାବନାନଗରରେ ପଙ୍କଜ ସ୍କୁଲ ଶିକ୍ଷା ଶେଷ କରିଥିଲେ । ପରିବାର ମୁମ୍ବାଇ ଆସିବା ପରେ ସେଣ୍ଟ୍‌ ଜାଭିୟର୍ସ କଲେଜରେ ସେ ଅଧ୍ୟୟନ କଲେ । ଗୁଲାମ କାଦିର ଖାନ୍‌ ସାହାବଙ୍କଠୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ମୁମ୍ବାଇ ଯିବା ପରେ ଗ୍ୱାଲିଅର ଘରାନାର ନବରଙ୍ଗ ନାଗପୁରକରଙ୍କ ଅଧୀନରେ ସେ ସଙ୍ଗୀତ ତାଲିମ ନେଲେ ।

ଭାରତ-ଚୀନ୍‌ ଯୁଦ୍ଧ ସମୟରେ ପ୍ରଥମେ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ ପଙ୍କଜ । ଗୀତ ଥିଲା ‘ୟେ ମେରେ ୱତନ୍‌ କେ ଲୋଗୋଁ’ । ତାଙ୍କ ଗୀତରେ ଖୁସି ହୋଇ ଜଣେ ଦର୍ଶକ ତାଙ୍କୁ ୫୧ ଟଙ୍କା ପୁରସ୍କାର ଦେଇଥିଲେ । ଚଳଚ୍ଚିତ୍ର ‘କାମନା’ରେ ସେ ପ୍ରଥମ ଥର ହିନ୍ଦୀ ସିନେମାରେ ଗୀତ ଗାଇବାର ସୁଯୋଗ ପାଇଲେ । ଫିଲ୍ମ ଫ୍ଲପ୍‌ ହେଲେ ମଧ୍ୟ ତାଙ୍କ ଗୀତ ଖୁବ୍‌ ପ୍ରଶଂସିତ ହୋଇଥିଲା । ଏହା ପରେ ଗଜଲ କ୍ଷେତ୍ରରେ ତାଙ୍କର ରୁଚି ବଢ଼ିଲା । ଜଣେ ଗଜଲ ଗାୟକ ଭାବେ କ୍ୟାରିଅର କରିବାକୁ ସେ ଉର୍ଦ୍ଦୁ ଶିଖିଲେ । ଆମେରିକା ଓ କାନାଡାରେ ୧୦ ମାସ ରହି ଗଜଲ କନ୍‌ସର୍ଟ କରିବା ପରେ ଦୃଢ଼ ଆତ୍ମବିଶ୍ୱାସ ସହ ସେ ଭାରତ ଫେରିଲେ । ୧୯୮୦ ମସିହାରେ ମୁକ୍ତିପ୍ରାପ୍ତ ‘ଆହଟ୍‌’ ଥିଲା ତାଙ୍କର ପ୍ରଥମ ଗଜଲ ଆଲ୍‌ବମ । ଏଇଠୁ ଆରମ୍ଭ ହୋଇଥିଲା ପଙ୍କଜଙ୍କ ସଫଳ ଯାତ୍ରା । ପଙ୍କଜଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.