ଭୁବନେଶ୍ୱର, ୫/୧୨ : ପୁରୀରେ ଶୁକ୍ରବାରଠାରୁ ହେବାକୁ ଯାଉଛି ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ-୨୦୨୫ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ୩ ଦିନିଆ ସମ୍ମିଳନୀରେ ୧୫ଟି ରାଜ୍ୟ ଓ ୩୦ରୁ ଊର୍ଦ୍ଧ୍ୱ ଜାତୀୟ ଓ ଆନ୍ତର୍ଜାତିକ ନେତୃବୃନ୍ଦ ଏକତ୍ର ହେବେ। ସମାବେଶକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ।
ଭାରତର ଦୀର୍ଘକାଳୀନ ଊର୍ଜା ସମ୍ପର୍କିତ ଭବିଷ୍ୟତକୁ ରୂପ ଦେବା ପାଇଁ ଏହା ଏକ ଗୁଣାତ୍ମକ ଆଲୋଚନାଚକ୍ର। ସମ୍ମିଳନୀର ବିଷୟବସ୍ତୁ ହେଉଛି "ଭାରତକୁ ଊର୍ଜା ପ୍ରଦାନ : ଯଥେଷ୍ଟ ପରିମାଣ, ସନ୍ତୁଳନ ଏବଂ ନବସୃଜନ’ । ବିଶେଷଜ୍ଞମାନେ ଊର୍ଜା କ୍ଷେତ୍ରରେ ହାସଲ କରିଥିବା ଗବେଷଣାତ୍ମକ ଜ୍ଞାନକୁ ଉପସ୍ଥାପନ କରିବେ ଏବଂ ସେମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ବିଚାର ବିମର୍ଶ କରିବେ। ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ବିଶ୍ୱବ୍ୟାପୀ ଦ୍ରୁତ ପରିବର୍ତ୍ତନର ଏହି ମୁହୂର୍ତ୍ତରେ ଊର୍ଜା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ କହିଥିଲେ, ଏହି ସମ୍ମିଳନୀ ଭାରତର ଶକ୍ତି ସଂସ୍କାରରେ କ୍ଷମତା ବୃଦ୍ଧି ପାଇଁ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା, ସମନ୍ୱୟରେ ଉନ୍ନତି ଆଣିବା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ସୃଷ୍ଟି କରିବ ।