ନୂଆଦିଲ୍ଲୀ: ବିଶ୍ବସ୍ତରରେ ଲୋକମାନଙ୍କ ଆୟୁ ବୃଦ୍ଧି ପାଇବ । ୨୦୨୫ ସୁଦ୍ଧା ଲୋକଙ୍କ ଆୟୁ ହାରାହାରି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ଲୋକମାନେ ମୋଟାପଣ, ଉଚ୍ଚ ରକ୍ତଚାପ ଭଳି ସ୍ବାସ୍ଥ୍ୟ ସମସ୍ୟାରେ ଅଧିକ ସମୟ ବିତାଇବେ । ମେଡିକାଲ୍ ଜର୍ଣ୍ଣାଲ ଲାନସେଣ୍ଟରେ ଏହି ଗେବଷଣାତ୍ମକ ତଥ୍ୟ ପ୍ରକାଶ ପାଇଛି । ଓ୍ବାଶିଂଟନ ବିଶ୍ବବିଦ୍ୟାଳୟର ହେଲ୍ଥ ମେଟ୍ରିକ୍ସ ଆଣ୍ଟ ଇଭାଲୁଏସନର ପ୍ରମୁଖ ବୈଜ୍ଞାନିକ ଲିଆନେ ଓଙ୍ଗ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଏବଂ କେତେକ ଅଭ୍ୟାସ ପାଇଁ ପୂର୍ବ ଟ୍ରେଣ୍ଡ ଅପେକ୍ଷା ଭବିଷ୍ୟତର ଟ୍ରେଣ୍ଡ ପରିବର୍ତ୍ତନ ହେବ ।
‘ଗ୍ଲୋବାଲ ବର୍ଡନ ଅଫ୍ ଡିଜଜ୍’ (ରୋଗର ବୈଶ୍ବିକ୍ ବୋଝ) ଶୀର୍ଷକ ଗବେଷଣାରୁ ଜଣାପଡ଼ିଛି ଯେ, ପୁରୁଷଙ୍କ ହାରାହାରି ଆୟୁ ୭୧.୧ ବର୍ଷରୁ ୭୬ ବର୍ଷକୁ ବୃଦ୍ଧି ପାଇବାକୁ ଥିବା ବେଳେ ମହିଳାଙ୍କ ବୟସ ୭୬.୨ ବର୍ଷରୁ ବଢ଼ି ୮୦.୫ ବର୍ଷରେ ପହଞ୍ଚିବ । ହେଲେ ଯେଉଁ ଦେଶରେ ଲୋକଙ୍କ ବଞ୍ଚିବାର ଆଶା କମ୍ ଥିବ ସେଠାକାର ଅଭିବୃଦ୍ଧି ଦ୍ରୁତ ଗତିରେ ହେବ । ୱାଶିଂଟନ୍ ୟୁନିଭରସିଟିର ଆଇଏମଏଚଇଇର ନିର୍ଦ୍ଦେଶକ କ୍ରିସ୍ ମୁରେ କହିଛନ୍ତି ଯେ, ଆୟୁଷ ସାମଗ୍ରିକ ଭାବେ ବଢ଼ୁଥିବାରୁ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଆୟୁଷର ପାର୍ଥକ୍ୟ ହ୍ରାସ ପାଇବ । ଏହା ଏକ ସୂଚକ ଯେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ଆୟ ଅଞ୍ଚଳ ମଧ୍ୟରେ ସ୍ୱାସ୍ଥ୍ୟଗତ ପାର୍ଥକ୍ୟ ଜାରି ରହିବ, କିନ୍ତୁ ଏହି ବ୍ୟବଧାନ ସଂକୀର୍ଣ୍ଣ ହେଉଛି ।
ବିଶେଷଜ୍ଞଙ୍କ ମତରେ, ହୃଦରୋଗ, କୋଭିଡ୍-୧୯ ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗ, ମାତୃ ଓ ଶିଶୁ ସମ୍ବନ୍ଧୀୟ ରୋଗ ଏବଂ ପୁଷ୍ଟିକର ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବାର ହାର ବୃଦ୍ଧି ପାଇଛି । ଏହା ହେଉଛି ଜନସ୍ୱାସ୍ଥ୍ୟର ପଦକ୍ଷେପ । ଯାହାକି ବଞ୍ଚିବାର ହାରରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ବିଶ୍ୱସ୍ତରରେ ଆୟୁଷ ବୃଦ୍ଧି ପାଇବ । ସେପଟେ ବିଶ୍ବର ଅନେକ ଲୋକ ନିଜ ଜୀବନର ଅଧିକାଂଶ ସମୟ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗ ସହ ଯୁଝୁଛନ୍ତି । ଜନ୍ମରୁ ଓଜନ ହ୍ରାସ, ଧୂମପାନ ଏବଂ ବାୟୁ ପ୍ରଦୂଷଣ ଭଳି କାରଣ ଯୋଗୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି ପାଉଛି । ଆଉ ଏଥିପାଇଁ ଲୋକମାନଙ୍କ ଅଧିକ ସମୟ ରୋଗ ସହ ବିତୁଛି ।