ବିଭିନ୍ନ ପ୍ରକାରର ଖାଦ୍ୟକୁ ଡାଏଟ୍ରେ ସାମିଲ୍ କରିବା ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ଆଜିକାଲି କିଛି ଲୋକ ଗହମ ରୁଟି ପରିବର୍ତ୍ତେ ଗ୍ଲୁଟେନ୍ ମୁକ୍ତ ଖାଦ୍ୟକୁ ଡାଏଟ୍ରେ ସାମିଲ୍ କରୁଛନ୍ତି । ତେବେ ସତରେ କଣ ଗହମ ସ୍ୱାସ୍ଥ୍ୟ ପାଇଁ ଖରାପ ନା ଏହାକୁ ଖରାପ ବୋଲି ପ୍ରମାଣିତ କରାଯାଉଛି? ଏବେ ଗହମ ରୁଟିର ଜାଗା ନେଉଛି ଗ୍ଲୁଟେନ୍ମୁକ୍ତ ଖାଦ୍ୟ । ଏକଦା ଟେବଲ୍ ଉପରେ ନିୟମିତ ଖାଦ୍ୟରେ ରୁଟି, ଭାତ ଓ ତରକାରୀ ବ୍ୟବହାର ହେଉଥିବା ବେଳେ ଏବେ ସେସବୁ ଜାଗାରେ ବୋଲ୍ସର ଲାଇନ୍ ଲାଗିଯାଉଛି ।
କେତେବେଳେ ମାଣ୍ଡିଆ ରୁଟି ତ ଆଉ କେତେବେଳେ ଗ୍ଲୁଟେନ୍ମୁକ୍ତ ଖାଦ୍ୟପଦାର୍ଥ । କ୍ରମଶଃ ଗହମ ରୁଟି ଗାଏବ୍ ହେବାରେ ଲାଗିଛି । କ୍ଲିନିକାଲ୍ ନ୍ୟୁଟ୍ରିନିଷ୍ଟ ସୀମା ଶର୍ମାଙ୍କ ଅନୁସାରେ ଏହି ପରିବର୍ତ୍ତନର କାରଣ ଆବଶ୍ୟକ ପୋଷକ ତତ୍ତ୍ୱକୁ ଗୁରୁତ୍ୱ ଦେବା । ସୀମାଙ୍କ ମତରେ ସିଲିଏକ ରୋଗ ଭାରତରେ ଖୁବ୍ କମ୍ ରହିଥିଲା । ଡାଏଟ୍, ଟ୍ରାଭେଲ୍, ପରିବର୍ତ୍ତିତ ଜୀବନଶୈଳୀ ଓ ଜିନ୍ରେ ପରିବର୍ତ୍ତନ କାରଣରୁ ଏହି ରୋଗ ଏବେ କ୍ରମଶଃ ବଢିଚାଲିଛି । କିଛି ଲୋକ ଏହି ରୋଗ ସହ ଲଢୁଥିବା ବେଳେ ଆଉ କିଛି ଗ୍ଲୁଟେନ୍ ମୁକ୍ତ ଖାଦ୍ୟ ଖାଇବାରେ ଲାଗିଛନ୍ତି । ସେମାନଙ୍କ ଧାରଣ ଗ୍ଲୁଟେନ୍ ଖାଇବା ଦ୍ୱାରା ବ୍ଲେଟିଂ, ଓଜନ ବଢିବା ଓ ମଧୁମେହ ପରି ସମସ୍ୟା ହୋଇଥାଏ । ସିଲିଏକ ରୋଗର ପୁରା ଯାଞ୍ଚ କରିବା ଜରୁରି । ଇନଫ୍ଲୁଏନ୍ସର ଓ ଟ୍ରେଣ୍ଡ୍କୁ ଦେଖି ଅନେକ ରୋଗୀ ନିଜର ଡାଏଗ୍ନୋସିସ୍ କରିବା ସହ ଚିକିତ୍ସା ମଧ୍ୟ କରାଇ ନେଉଛନ୍ତି । ଗ୍ଲୁଟେନ୍ମୁକ୍ତ ଖାଦ୍ୟ ଗ୍ଲୁଟେନ୍ ଆଲର୍ଜି ଥିବା ରୋଗୀଙ୍କ ପାଇଁ ଜରୁରି । ଏହାର ଅର୍ଥ ନୁହେଁ କି ସମସ୍ତେ ଗ୍ଲୁଟେନ୍ମୁକ୍ତ ଖାଦ୍ୟ ଖାଇବା ଆରମ୍ଭ କରିବା ଆବଶ୍ୟକ ।
କେବେ ଓ କେମିତି ଖାଇବେ?
-ନିଜ ଡାଏଟ୍ରୁ ଗ୍ଲୁଟେନ୍ ବାହାର କରିବା ପରିବର୍ତ୍ତେ ଅଟାରେ ଚଣାଡାଲି, ଯଅ, ମାଣ୍ଡିଆ ଓ ସୋୟାବିନ୍ ଆଦି ମିଶାଇପାରିବେ । ରୁଟିକୁ ନରମ କରିବା ପାଇଁ ୭୦ ପ୍ରତିଶତ ଅଟାରେ ୩୦ ପ୍ରତିଶତ ଉପରୋକ୍ତ ଶସ୍ୟ ମିଶାଇପାରିବେ । ଫଳରେ ଫାଇବର ଓ ନ୍ୟୁଟ୍ରିସନ୍ କମ୍ ହୋଇ ନଥାଏ, ବରଂ ରୁଟି ସ୍ୱାସ୍ଥ୍ୟକର ହୋଇଥାଏ ।
-ଗ୍ଲୁଟେନ୍ମୁକ୍ତ ଡାଏଟ୍ ନେଉଥିଲେ କ୍ୟାଲୋରୀରେ ସନ୍ତୁଳନ ରକ୍ଷା କରିବା ଜରୁରି ହୋଇଥାଏ । ଏହି ଡାଏଟ୍ ଅନୁକରଣ କରିବା ଦ୍ୱାରା ଶରୀରରେ ଭିଟାମିନ୍-ବି୧, ବି-୩, ଆଇରନ୍, ଫାଇବର ଓ ମ୍ୟାଗ୍ନେସିୟମ୍ର ଅଭାବ ଦେଖିବାକୁ ମିଳିଥାଏ । ଏହି ଖାଦ୍ୟ ଖାଇବା ସମୟରେ କ୍ୟାଲୋରୀ ଇନ୍ଟାକ୍ ଯାଞ୍ଚ କରିବା ଜରୁରି । ଯଦି ନିରାମିଶାଷୀ ହୋଇଥାନ୍ତି, ତେବେ ପ୍ରୋଟିନ୍କୁ ମଧ୍ୟ ଧ୍ୟାନ ଦେବାକୁ ଭୁଲନ୍ତୁନି । ନଚେତ୍ ମାଂସପେଶୀଜନିତ ସମସ୍ୟାର ଶିକାର ହୋଇପାରନ୍ତି ।
-ଡାଏଟ୍ କାଉନ୍ସେଲର୍ଙ୍କ ପରାମର୍ଶ ନିଅନ୍ତୁ । ବୟସ, ଜୀବନଶୈଳୀ, ଶାରୀରିକ ସକ୍ରିୟତା, କୌଣସି ପୁରୁଣା ରୋଗ ଥିଲେ ଡାଏଟିସିଆନ୍ଙ୍କୁ ଜଣାନ୍ତୁ । ଖାଦ୍ୟକୁ ଗ୍ଲୁଟେନ୍ମୁକ୍ତ କରିବା ଅପେକ୍ଷା ଡାଏଟ୍ରେ ଡାଲି, ସାଲାଡ୍ ଓ ପନିପରିବା ସାମିଲ୍ କରନ୍ତୁ ।