ପୁରୀ, ୨୩।୧୧ : ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏଏସ୍ଆଇ ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି।  ଏ ନେଇ ଏକ୍ସରେ ମୁଖ୍ୟ ପ୍ରଶାସକ ଶନିବାର ସୂଚନା ଦେଇଛନ୍ତି।  ଏଏସ୍ଆଇ ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସକ  ଏକ୍ସରେ ସୂଚନା ଦେଇଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ ହୋଇଛି। ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି । ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ  ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ମନ୍ଦିର ପ୍ରଶାସକ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ,  ଶ୍ରୀମନ୍ଦିରରେ ରତ୍ନଭଣ୍ଡାରରେ ଗୁପ୍ତ ଧନ ଓ  ଗୁପ୍ତ ସୁଡ଼ଙ୍ଗ ଖୋଜିବାକୁ ଏହି ସର୍ଭେ ହୋଇଥିଲା ।  ଏହାଛଡ଼ା ରତ୍ନଭଣ୍ଡାରରେ ବିପଦସଙ୍କୁଳ ଅବସ୍ଥାରେ  ରହିଥିବା ଅଭିଯୋଗ ସତ୍ୟାସତ୍ୟକୁ ଯାଞ୍ଚ କରି  ସ୍ଥାୟୀ ମରାମତି କରିବା ନିମନ୍ତେ ଅତ୍ୟାଧୁନିକ ବୈଷୟିକଜ୍ଞାନ କୌଶଳ ବ୍ୟବହାର କରାଯାଇଥିଲା ।  ଏଏସ୍‌ଆଇର ବିଶେଷଜ୍ଞ, ଶ୍ରୀମନ୍ଦିର ପ୍ରଶାସନିକ  କୋର କମିଟି, ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ  ଟିମ୍‌, ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇର ମୁଖ୍ୟ  ବୈଜ୍ଞାନିକ ଏହି ସର୍ଭେରେ ସାମିଲ ହୋଇଥିଲେ ।  ଏନ୍‌ଜିଆର୍‌ଆଇ ପକ୍ଷରୁ ୩ ପ୍ରକାର ମେସିନ୍‌ ପକାଇ ସର୍ଭେ  କରାଯାଇଥିଲା । ଏହି ମେସିନ୍‌ ୧୦ ମିଟର  ମାଟି ତଳୁ ଯାଇ ଫଟୋ ଆଣିଛି । କାନ୍ଥ ଓ ଛାତକୁ  ଲାଗି ୧୦ ମିଟର ଭିତରେ କ’ଣ ରହିଛି ତାହାର  ମଧ୍ୟ ଫଟୋ ନିଆଯାଇଥିଲା