ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଚିନ୍ତା ବଢ଼ାଇଛି । କିଛି ଦିନ ତଳେ କଟକଣା କୋହଳ ହୋଇଥିବା ବେଳେ ଆଜି ପୁଣି ଥରେ ଦିଲ୍ଲୀ-ଏନସିଆରରେ ଗ୍ରାପ୍‌-୩ ଲାଗୁ ହୋଇଛି ।  ଦିଲ୍ଲୀରେ ବାୟୁର ଗଣବୁତ୍ତା ଆହୁରି ଖରାପ ହୋଇପଡ଼ିଛି । ଏକ୍ୟୁଆଇ ସ୍ତର ଖସିଆସିବା ପରେ ଗ୍ରାପ୍‌-୩ ଲାଗୁ କରାଯାଇଛି । କଟକଣା ଲାଗୁ ହେବା ପରେ ଦିଲ୍ଲୀ-ଏନସିଆରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ହାଇବ୍ରିଡ୍‌ ମଡେଲରେ ପଢ଼ିବେ ।  

ଏହା ସହ ପଞ୍ଜିକୃତ ଛୋଟ ମାଲବାହୀ ଗାଡ଼ି ଉପରେ ରୋକ ଲାଗିଛି । କେବଳ ଜରୁରି ସେବା ଯୋଗାଉଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଚଳାଚଳ ଲାଗି ଅନୁମତି ମିଳିବ । ଏହି ସମୟରେ ବିଏସ-୩ ପେଟ୍ରୋଲ ଏବଂ ବିଏସ୍‌-୪ ଡିଜେଲ୍‌ ଗାଡ଼ି ଚାଲିପାରିବ ନାହିଁ । ଗ୍ରାପ-୩ କଟକଣା ପାଇଁ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଗୌତମବୁଦ୍ଧ ନଗରରେ ଥିବା ସ୍କୁଲଗୁଡ଼ିକ ଉଭୟ ଅନଲାଇନ୍‌ ଏବଂ ଅଫଲାଇନ୍‌ ମୋଡ୍‌ରେ ଚାଲିବ । 

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ଦିଲ୍ଲୀରେ ଶୀତଲହରି ଜାରି ରହିଛି ।  ଆୟାନଗର ଅଞ୍ଚଳରେ   ତାପାମାତ୍ରା ୪.୫ ଡିଗ୍ରି ତଳକୁ ଖସିଆସିଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୯ରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୫୧ ଥିଲା ।