ଶୋକରେ ବୁଡ଼ିଲା ଓଡ଼ିଶା

ଦେଶସେବାରେ ଜୀବନାଞ୍ଜଳି ଦେଇ ସହିଦ ହୋଇଛନ୍ତି ଓଡ଼ିଶାର ଦୁଇ ବୀର ଯବାନ- ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରି ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲା ନିଆଳି ବ୍ଲକ ରତନପୁର ପଞ୍ଚାୟତ ଗଜାବର ଗ୍ରାମର ମନୋଜ ବେହେରା । ମରଶରୀରକୁ ଅପେକ୍ଷା କରିଛନ୍ତି ଅଗଣିତ ଜନତା । ଶନିବାର ଭୋର୍ରେ ଉଭୟଙ୍କ ମରଶରୀର ଓଡ଼ିଶା ମାଟି ଛୁଇଁବ ।

୮ ଦିନ ତଳେ ଘରୁ ଯାଇଥିଲେ ମନୋଜ
ଚାଳିଶ ଦିନ ଛୁଟି ଆଣି ଆସିଥିଲେ । ଛୁଟି ସରିବା ପରେ, ମାତ୍ର ଆଠ ଦିନ ତଳେ, ଚଳିତ ମାସ ୬ ତାରିଖରେ ଘରୁ ବାହାରି ଯାଇଥିଲେ ଡ୍ୟୁଟିକୁ । ଏଇ ଛୁଟି ଭିତରେ ଘରେ ରହି ଏକମାତ୍ର ଝିଅ ମନସ୍ୱିନୀର ଜନ୍ମଦିନ ଉତ୍ସବକୁ ବେଶ୍ ଜାକଜମକରେ ପାଳିଥିଲେ । ଦୁଇ ମହଲା ଘରର କାମ ମଧ୍ୟ ଆରମ୍ଭ କରିଥିଲେ । ଅଧା ଗଢ଼ା ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ଗୁରୁବାର ଦିନ ଉଭୟ ମା’ ଓ ସ୍ତ୍ରୀଙ୍କୁ ଶେଷଥର ଲାଗି ଫୋନ୍ କରିଥିଲେ । ତିନିମାସ ପରେ ପୁଣି ଛୁଟିରେ ଘରକୁ ଫେରିଲେ ସବୁ କାମ ସାରିଦେବେ ବୋଲି କଥା ଦେଇଥିଲେ ।
କିନ୍ତୁ କଥା, ସ୍ୱପ୍ନ ସେଇଠି ଅଟକି ଯାଇଛି । ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସିଆର୍ପିଏଫ୍ର ଯବାନ ମନୋଜ ବେହେରା ସହିଦ୍ ହୋଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ଅଧୀନ ରତନପୁର ପଞ୍ଚାୟତ ଗଜାବର ଗ୍ରାମର ମନୋଜ ଥିଲେ ଜଟାଧାରୀ ବେହେରା ଓ ସାବିତ୍ରୀ ବେହେରାଙ୍କ ଏକମାତ୍ର ପୁତ୍ର । ଆତଙ୍କବାଦୀଙ୍କ ଆକ୍ରମଣରେ ମନୋଜ ସହିଦ୍ ହେବା ଖବର ଘରେ ପହଞ୍ଚିବା ପରେ କେବଳ ପରିବାର ଲୋକେ କାହିଁକି ସମଗ୍ର ନିଆଳି ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଘରୁ ଶୁଭୁଛି ବୁକୁଫଟା କାନ୍ଦ । ପରିବାର ଲୋକଙ୍କ ଆଖିରୁ ଅନବରତ ଝରୁଛି ଲୁହ । କିନ୍ତୁ କିଛି ବୁଝିପାରୁନି କୁନି ଝିଅ ମନସ୍ୱିନୀ । ସେ ଖାଲି ଜଳଜଳ କରି ଚାହୁଁଛି । ସମସ୍ତଙ୍କ ଆଖିରେ ଲୁହ ଦେଖି ସେ ଅବାକ୍ ହୋଇଯାଇଛି ।
ମନୋଜଙ୍କ ଘର ସମ୍ମୁଖରେ ଗ୍ରାମବାସୀ, ବନ୍ଧୁବାନ୍ଧବ, ବିଭିନ୍ନ ରାଜନୈତିକ ଦଳର ନେତା, ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି ତାଙ୍କ ବାସଭବନ ଆଗରେ ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ସମସ୍ତଙ୍କ ଆଖି ଲୁହରେ ଭରିଯାଇଥିଲା । ମନୋଜ ଜଣେ ସାହସୀ, ଶାନ୍ତ , ସରଳ ସ୍ୱାଭାବର ଯୁବକ ଥିଲେ । ସେ ଗ୍ରାମର ସମସ୍ତଙ୍କ ପ୍ରିୟ ପାତ୍ର ଥିଲେ ବୋଲି ଗ୍ରାମବାସୀ କହିିଛନ୍ତି । ତାଙ୍କ ମୃତ୍ୟୁରେ ଗାଁରେ ଏକ ଶୂନ୍ୟସ୍ଥାନ ହେଲା ଓ ଏହି ଶୂନ୍ୟସ୍ଥାନ କେବେ ପୂରଣ ହୋଇ ପାରିବ ନାହିଁ ବୋଲି ଗାଁ ଲୋକେ କୋହଭରା କଣ୍ଠରେ କହିଛନ୍ତି । ମନୋଜଙ୍କ ଗାଁ ଦାଣ୍ଡରେ ଜନଗହଳି ଲାଗିଥିଲେ ବି ପରିବେଶ ପୂରା ଶୋକାକୁଳ ଥିଲା । କାହାରି ମୁହଁରେ ଭାଷା ନଥିଲା । ଶୂନ୍ଶାନ୍ ଲାଗୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ସହିଦ୍ଙ୍କ ପରିବାର ସହ ଫୋନରେ କଥା ହେବା ସହ ସମବେଦନା ଜଣାଇଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ୍ ଯୋଗେ ସହିଦ୍ଙ୍କ ପରିବାର ଲୋକଙ୍କ ସହ କଥାହୋଇ ଗଭୀର ସମବେଦନା ଜଣାଇଛନ୍ତି । ଅପରାହ୍ନରେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ହରିଶ ନାଏକ, ବିଡିଓ ସୟଦ୍ ଆରିଫ୍ ହୋସେନ୍ ପ୍ରମୁଖ ମନୋଜଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏବେ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଲୁହଭରା ଆଖି ଓ ବ୍ୟାକୁଳ ମନରେ ସହିଦ୍ ମନୋଜଙ୍କ ମରଶରୀର ଆସିବା ବାଟକୁ ଚାତକ ପରି ଚାହିଁ ରହିଛନ୍ତି ।

ପ୍ରସନ୍ନଙ୍କୁ ଝୁରୁଛି ପାରି ଶିଖର ଗାଁ
ବାଲିକୁଦା,୧୫ା୨(ଆପ୍ର): ଶେଷ ଥର ପାଇଁ ପ୍ରସନ୍ନ ଗତ ନଭେମ୍ବର ମାସରେ ଗାଁକୁ ଆସିଥିଲେ । ପୁଅ ପିକୁନ୍ର ଷୋଳପୂଜା ପାଇଁ ଛୁଟି ନେଇ ଆସି ବହୁତ ଜାକଜମକରେ ପରିବାର, ବନ୍ଧୁବାନ୍ଧବଙ୍କ ସହ ଉତ୍ସବ ପାଳିଥିଲେ । ଏହା ଥିଲା ପରିବାର, ଗ୍ରାମବାସୀଙ୍କ ସହ ପ୍ରସନ୍ନଙ୍କର ଶେଷ ଦେଖା.. । ଏକଥା କହି, ପ୍ରସନ୍ନଙ୍କୁ ମନେପକାଇ ଆଜି ଝୁରି ହେଉଛନ୍ତି ଗ୍ରାମବାସୀ, ସାଙ୍ଗସାଥୀ ସମସ୍ତେ ।
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରି ଶିଖର ଗାଁର ପ୍ରସନ୍ନ କୁମାର ସାହୁଙ୍କ ସହିଦ୍ ହେବା ଖବର ଶୋକରେ ବୁଡ଼ାଇ ଦେଇଛି ସମଗ୍ର ଗାଁକୁ । ଗତକାଲି ପ୍ରଥମେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରୁ ଆତଙ୍କବାଦୀଙ୍କ ଆକ୍ରମଣ ବିଷୟରେ ସୂଚନା ମିଳିଥିଲା ପରିବାରକୁ । ସହିଦମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିିଆ ଅଛନ୍ତି ବୋଲି ଜଣା ପଡିଥିଲା । ପରେ ଗତକାଲି ସଂଧ୍ୟା ୭ ଟା ୩୫ ମିନିଟରେ ସେନା କାର୍ଯ୍ୟାଳୟରୁ ପ୍ରସନ୍ନଙ୍କ ପତ୍ନୀ ମୀନାଙ୍କ ମୋବାଇଲ୍କୁ କଲ୍ ଆସିଥିଲା । ମୀନା ବୁଝି ନ ପାରିବାରୁ ପାଖରେ ଥିବା ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ ଧରାଇ ଦେଇଥିଲେ । ପରେ ପରେ ‘ପ୍ରସନ୍ନ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି..’ -ଏହି କଥାଟା ପବନ ବେଗରେ ଚାରିଆଡେ ବ୍ୟାପି ଯାଇଥିଲା ।
ଗତ ସୋମବାର ରାତିରେ ପ୍ରସନ୍ନ ପତ୍ନୀ ମୀନାଙ୍କ ସହ ଫୋନ କରି ପରିବାରର ସମସ୍ତଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ତାହା ହିଁ ଥିଲା ସ୍ତ୍ରୀ ସହ ତାଙ୍କର ଶେଷ କଥା । ଏହି କଥାକୁ ମନେ ପକାଇ ମୀନା ମୁଣ୍ଡ ପିଟି କାନ୍ଦୁଛନ୍ତି । ପ୍ରସନ୍ନଙ୍କର ଦୁଇଟି ସନ୍ତାନ । ପୁଅ ପିକୁନ ଏବଂ ଝିଅ ରିତୁ । ଝିଅ ରିତୁ କାକଟପୁରର ମା’ ମଙ୍ଗଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ । ସେ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ପୁଅ ପିକୁନ ଚଳିତ ବର୍ଷ ମାଟ୍ରିକ ପାସ କରି ନିମାପଡାର ଏକ ଆବାସିକ ମହାବିଦ୍ୟାଳୟରେ ରହି ପାଠ ପଢୁଛନ୍ତି । ଝିଅ ରିତୁ କହିଛନ୍ତି ତାଙ୍କ ବାପା ସବୁଠୁ ଭଲ ବାପା ଥିଲେ । ସେ କିଛି ମାଗିବା ପୂର୍ବରୁ ବାପା ତାକୁ ଜାଣିପାରୁଥିଲେ ଏବଂ ତାହା ଅବିଳମ୍ବେ ପୂରଣ କରିଦେଉଥିଲେ । ସେହିପରି ପିକୁନ୍ କହିଛନ୍ତି, ତାଙ୍କ ବାପା ତାଙ୍କ ପାଇଁ ସାଙ୍ଗ ଭଳି ଥିଲେ । ବାପାଙ୍କୁ ହରାଇଥିବାରୁ ଉଭୟ ରିତୁ ଏବଂ ପିକୁନ ଭାଙ୍ଗି ପଡିଥିବା ବେଳେ ତାଙ୍କ ବାପା ଦେଶ ପାଇଁ ସହିଦ ହୋଇଥିବାରୁ ଉଭୟ ଗର୍ବ ଅନୁଭବ କରୁଥିବା କହିଛନ୍ତି ।
ତେବେ ପିଲାଙ୍କୁ କେମିତି ମଣିଷ କରିବେ ସେହି ଚିନ୍ତାରେ ମୀନା ଘାରି ହେଉଛନ୍ତି । ମୀନା କହିଛନ୍ତି, ମୋ’ ସ୍ୱାମୀ ତ ଆଉ ଫେରିିବେନି । ହେଲେ ସେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବାରୁ ମୁଁ ନିଜକୁ ଜଣେ ସହିଦର ପତ୍ନୀ ଭାବେ ନିଶ୍ଚୟ ଗର୍ବ ଅନୁଭବ କରୁଛି । ଅନ୍ୟ ପକ୍ଷରେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାକୁ ବି ମୁଁ ଦାବି କରୁଛି ବୋଲି ସେ କହିଛନ୍ତି । ସେହିପରି ତାଙ୍ଗ ସାଙ୍ଗସାଥୀମାନେ କହିଛନ୍ତି ଯେ ପ୍ରସନ୍ନଙ୍କ ଭଳି ମଣିଷ ତାଙ୍କ ଗାଁରେ ନାହାନ୍ତି । ସେ ଥିଲେ ଗାଁ ପାଇଁ ଆଦର୍ଶ ।
ପ୍ରସନ୍ନଙ୍କ ପାଇଁ ଶୋକରେ ବୁଡ଼ିଛି ପାରି ଶିଖର ଗାଁ । ଗାଁରେ ଆଜି କାହାରି ଘରେ ଚୁଲି ଜଳି ନ ଥିବା ବେଳେ କାହାରି ଆଖିରୁ ଲୁହ ଶୁଖିନି । ଗାଁର କେହି ଆଜି କାମଧନ୍ଦାକୁ ଯାଇ ନାହାନ୍ତି । ପ୍ରସନ୍ନଙ୍କ ପୁରୁଣା ସ୍ମୃତିକୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ତାଙ୍କ ସାଙ୍ଗ ସାଥୀ । ପ୍ରସନ୍ନଙ୍କ ମୃତ୍ୟୁରେ ସେ ପଢ଼ୁଥିବା ବିଦ୍ୟାଳୟରେ ଶୋକ ସଭା କରାଯାଇଥିଲା । ଇତିମଧ୍ୟରେ ସେନା ଅଧିକାରୀମାନେ ପାରି ଶିଖର ଗାଁକୁ ଯାଇ ପ୍ରସନ୍ନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ସହିଦଙ୍କ ପରିବାରଙ୍କ ସହ କଥା ହୋଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମବେଦନା ଜଣାଇଛନ୍ତି । ମନ୍ତ୍ରୀ ଶଶି ଭୂଷଣ ବେହେରା ପ୍ରସନ୍ନଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । କାଲି ତାଙ୍କ ମରଶରୀର କେତେବେଳେ ପହଞ୍ଚିବ ତାକୁ ଅପେକ୍ଷା କରିଛନ୍ତି ସମସ୍ତେ ।