କ୍ୟାବିନେଟ ଅନୁମୋଦନ ଅପେକ୍ଷାରେ ଗୁଣୁପୁର-ଥେରୁବାଲି ନୂଆ ରେଳପଥ

ଭୁବନେଶ୍ୱର,୨୪/୦୧: ଗୁଣୁପୁର-ଥେରୁବାଲି ମଧ୍ୟରେ ନୂଆ ରେଳ ଲାଇନର ଡିପିଆର୍ କ୍ୟାବିନେଟ ଅନୁମୋଦନ ପାଇଁ ଓଡ଼ିଶା-ଆନ୍ଧ୍ର ରେଳ ବ୍ୟବହାରିକ ସଂଘର ସଭାପତି ଡ.ସତ୍ୟ ପ୍ରକାଶ ପଣ୍ଡାଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା । ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଜଣେ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ।
ଶ୍ରୀ ପଣ୍ଡାଙ୍କ ଚିଠିର ଉତ୍ତରରେ ପୂର୍ବତଟ ରେଳପଥର ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗେଇବ । ଏହି ମାର୍ଗଟି କାର୍ଯ୍ୟକ୍ଷମ ହେଲେ ରାୟଗଡାଠାରୁ ନୌପଡା ପର୍ଯ୍ୟନ୍ତ ରେଳରାସ୍ତା ୧୧୫ କିମି ଦୂରତା ହ୍ରାସ ହେବ । ରେଳପଥର ରାଜସ୍ୱ ମଧ୍ୟ ବଢ଼ିବ । ଏହି ମାର୍ଗ ମୁଖ୍ୟତଃ ବନ୍ଦର ସଂଯୋଗ ସହ ଖଣିଜ ପଦାର୍ଥ, ନାଲକୋର ଉତ୍ପାଦ ପରିବହନ ପାଇଁ ଏକ ବିକଳ୍ପ ମାଲ୍ କରିଡର ଭାବେ ବ୍ୟବହୃତ ହେବ ।
ଏହା ସହ ଦେଶର ସବୁଠାରୁ ଆଦିମ ଆଦିବାସୀ କ୍ଷେତ୍ର ଦେଇ ଏହି ରେଳପଥ ଯିବ । ନୂଆ ରେଳପଥ ଦ୍ୱାରା ସେମାନଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ଦୃଢ଼ କରିବାରେ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି । ଏହି ପ୍ରକଳ୍ପକୁ ଆଗକୁ ନେବାରେ ଏବେ ସରକାର ଉଦ୍ୟମ ଜାରି ରଖିଥିବାରୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶର ଲୋକମାନେ କୃତଜ୍ଞତା ଜଣାଇଛନ୍ତି ।