PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସରକାରୀ ବସ୍‌ରେ ଗୁଟ୍‌ଖା ଚାଲାଣ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଜିଏସ୍‌ଟି ଫାଙ୍କିବା ପାଇଁ ନୂଆ ଉପାୟ ବାହାର କରିଛନ୍ତି କିଛି ଅସାଧୁ ବ୍ୟବସାୟୀ । ବିନା ନଥିପତ୍ରରେ ବସ୍‌ ସିଟ୍‌ରେ ଥୋଇ ଲକ୍ଷ ଲକ୍ଷ ଟଙ୍କାର ଗୁଟ୍‌ଖା ଚାଲାଣ କରାଯାଉଛି । ଏମିତି ଢଙ୍ଗରେ ଗୁଟ୍‌ଖା ଚାଲଣ ହେଉଥିବା ବେଳେ ଏକ ସରକାରୀ ବସ୍‌କୁ ଧରିଛି ବାଣିଜ୍ୟକର ବିଭାଗ । ଏଥିରୁ ୩୬ଟି ବଡ଼ ଗୁଟ୍‌ଖା ବସ୍ତା ଜବତ କରିଛି । ବିଭାଗୀୟ କର୍ମଚାରୀ ବସ୍‌ ଅଟକ ରଖି କର୍ମଚାରୀଙ୍କୁ ପଚରାଉଚରା ସହ ଗୁଟ୍‌ଖା କମ୍ପାନିକୁ ନୋଟିସ୍‌ ପଠାଇଛନ୍ତି ।
ସୂଚନା ମୁତାବକ, ବ୍ରହ୍ମପୁରରୁ ଏକ ଓଏସ୍‌ଆର୍‌ଟିସି ବସ୍‌ (ଓଡି-୦୨ଏଚ୍‌ ୨୧୭୧) ଭୁବନେଶ୍ୱର ଦେଇ କଟକ ଯାଉଥିଲା । ବାଣିଜ୍ୟକର ବିଭାଗ ଅଧିକାରୀ ଆଜି ପୂର୍ବାହ୍ନରେ ନୂଆପଲ୍ଲୀ ଓଭରବ୍ରିଜ୍‌ ଉପରେ ସନ୍ଦେହରେ ଉକ୍ତ ବସ୍‌କୁ ଅଟକାଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବସ୍‌ ଭିତରୁ ମିଳିଥିଲା ପୁଳାପୁଳା ଗୁଟ୍‌ଖା ଓ ପାନମସଲା ପ୍ୟାକେଟ୍‌ । ଯାତ୍ରୀଙ୍କ ସିଟ୍‌ ଉପରେ ୩୬ଟି ବଡ଼ ବସ୍ତାରେ ଏହାକୁ ପ୍ୟାକିଂ କରି ରଖା ଯାଇଥିଲା । ପଚରାଉଚରା ବେଳେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ପରିବହନ ପାଇଁ ଏନ୍‌ଭଏସ୍‌ କିମ୍ବା ଇ-ୱେ ବିଲ୍‌ ସେମାନଙ୍କ ନିକଟରୁ ନ ମିଳିବାରୁ ଅଧିକାରୀମାନେ ଏହାକୁ ଜବତ କରିଥିଲେ ।
ବାଣିଜ୍ୟକର ବିଭାଗ ଯୁଗ୍ମ ଆୟୁକ୍ତ ପର୍ଶୁରାମ କହଁର କହିଛନ୍ତି, ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ସାମଗ୍ରୀ ପାଇଁ ଟିକସ ଦେବାକୁ ହୋଇଥାଏ । କିଛି ବ୍ୟବସାୟୀ ଜିଏସ୍‌ଟି ଫାଙ୍କିବା ପାଇଁ ଏଭଳି ନୂଆ ଉପାୟ ଆପଣାଇଛନ୍ତି । ଖାଲି ଗୁଟ୍‌ଖା ନୁହେଁ, ଏମିତି ଢଙ୍ଗରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚାଲାଣ କରାଯାଉଛି । ଜିଏସ୍‌ଟି ଆଇନ୍‌ ଅନୁସାରେ କମ୍ପାନିକୁ ନୋଟିସ୍‌ ପଠାଯିବ । ସମସ୍ତ ଗୁଟ୍‌ଖାର ମୂଲ୍ୟାୟନ କରାଯାଇ ଏହାର ଟିକସ ଭରିବାକୁ କୁହାଯିବ ।
ତେବେ ସରକାରୀ ବସ୍‌ରେ ଯାତ୍ରୀ ନେବା ବଦଳରେ କେମିତି ଜିନିଷ ପରିବହନ କରାଯାଉଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବସ୍‌ରେ ଏଭଳି ଗୁଟଖା ପରିବହନ ହେଉଥିବା କଣ୍ଡକ୍ଟର ମାନିଛନ୍ତି । ସାଦା ପାନ ମସଲା ଥିବା କହି ବେପାରୀଜଣକ ତାଙ୍କୁ ବସ୍ତା ପିଛା ୮୦-୧୦୦ ଟଙ୍କା ଦେଉଥିବା ସେ କହିଛନ୍ତି । ବସ୍‌ର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ, ୧୫ ତାରିଖରେ କୋଲକାତାରୁ ଆସୁଥିବା ଦୁଇଟି ଯାତ୍ରୀବାହୀ ବସ୍‌ରୁ ୪୮ଟି କଏନ୍‌ ଭର୍ତ୍ତି ବସ୍ତା ମିଳିଥିଲା । ଟିକସ ଫାଙ୍କିବା ପାଇଁ ଏମିତି ଢଙ୍ଗରେ ସବୁଦିନ ଅନେକ ବସ୍‌ରେ ଯାତ୍ରୀଙ୍କ ବଦଳରେ ଜିନିଷ ପରିବହନ ଚାଲିଥିବା କୁହାଯାଉଛି ।