ଭୁବନେଶ୍ବର, ୨୪।୫ :  ଅସହ୍ୟ ହେଉଛି ରାତି ତାପମାତ୍ରା । ଦିନ ଠାରୁ ରାତି ତାପମାତ୍ରା ଅସ୍ତବ୍ୟସ୍ତ କରୁଛି । ଖାସ୍ କରି ସହରରେ ସ୍ଥିତି ବେହାଲ ହେଉଛି। ଲଗାତାର ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା  ରହୁଛି।  ଗ୍ରୀନ ଗ୍ୟାସ୍ ନିର୍ଗତ ଏଵଂ ଅତ୍ୟଧିକ ଏସିର ବ୍ୟବହାର ସହରରେ ରାତି ତାପମାତ୍ରା ବୃଦ୍ଧିର କାରଣ ବୋଲି ପରିବେଶବିତ୍ କହିଛନ୍ତି ।

ବିଶ୍ବ ସ୍ତରରେ ଗ୍ରୀନ ହାଉସ୍ ଗ୍ୟାସ୍ ଅଧିକ ନିର୍ଗତ ହେଉଛି । ବାୟୁମଣ୍ଡଳରେ ଏହା ଅତ୍ୟଧିକ ମାତ୍ରାରେ ଜମିକି ରହୁଛି । ଯାହାକି ଉତ୍ତାପକୁ ଟାଣିକି ରଖୁଛୁ। ଫଳରେ ପୃଥିବୀ ପୃଷ୍ଠରୁ ଆକାଶକୁ ଏହି ଉତ୍ତାପ ଯାଇ ପାରୁନାହିଁ । ଫଳରେ ପୃଥିବୀ ପୃଷ୍ଠରେ ଅଧିକ ଉତ୍ତାପ ସୃଷ୍ଟି କରୁଛି। ଅନ୍ୟତମ କାରଣ ହେଉଛି କଂକ୍ରିଟ ସହର , ଉଚ୍ଚ ଅଟ୍ଟାଳିକା। ପିଚୁ ରାସ୍ତା ମଧ୍ୟ ଅନ୍ୟତମ ଉତ୍ତାପର କାରଣ। ଯାହା ଦିନ ସାରା ଉତ୍ତାପକୁ ଟାଣି ରଖୁଥିବା ବେଳେ ରାତି ହେଲେ ବିକିରଣ କରୁଛନ୍ତି । ସେହିପରି ବାୟୁମଣ୍ଡଳରେ ଅଧିକ ମାତ୍ରାରେ ଜଳୀୟବାଷ୍ପ ରହୁଥିବା ବେଳେ ଏହା ତାପମାତ୍ରା ବୃଦ୍ଧି କରୁଛି । ଅନ୍ୟପଟରେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଏସିର ବ୍ୟବହାର ରାତ୍ରୀ ତାପମାତ୍ରାର ପ୍ରମୁଖ କାରଣ ବୋଲି କହିଛନ୍ତି ପରିବେଶବିତ୍। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ମେଘମୁକ୍ତ ଆକାଶ ତାପମାତ୍ରାକୁ ବୃଦ୍ଧି କରୁଛି । ଆର୍ଦ୍ରତା ୮୦ ପ୍ରତିଶତ ଉପରେ ରହୁଥିବା ବେଳେ ରାତ୍ରି ତାପମାତ୍ରା ୨୯/୩୦ ଡ଼ିଗ୍ରୀ ସେଲସିୟସ ରହୁଛି । କିନ୍ତୁ ତାହା ୧୦ ପ୍ରତିଶତ ବଢ଼ିଯାଉଥିବା ଅନୁଭୂତ ହେଉଛି। ଫଳରେ ରାତିରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।

ସେପଟେ ଗତ ୨୪ ଘଣ୍ଟାରେ ୪୫.୨ ଡ଼ିଗ୍ରୀ ସେଲସିୟସ ଝାରସୁଗୁଡ଼ାରେ ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ ଘଂଟା ପାଇଁ ୪ ଜିଲ୍ଳାକୁ ହିଟ୍ ୱେଭ୍ ଓ୍ବାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା ଅରେଞ୍ଜ ଓ୍ବାର୍ଣ୍ଣିଂ ଅଧୀନରେ ରହିଛି । ସେହିପରି ସୋନପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ମଧ୍ଯ ହିଟ୍ ୱେଭ୍ ସ୍ଥିତି ଉପୁଜି ପାରେ । ଏନେଇ ଏହି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଛି । ଏଥିସହ ଉଷ୍ମ ରାତ୍ରୀର ସ୍ଥିତି ସମ୍ବଲପୁର ଓ ବଲାଙ୍ଗୀରରେ ଉପୁଜିବ। ଏଭଳି ପାଗ ଆସନ୍ତା ୨୯ ତାରିଖ ଯାଏଁ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏଥିସିହିତ ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ପାଇଁ ବାଲେଶ୍ବର ଭଦ୍ରକ, କେଉଁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ୍, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ଏଥିସହ ଏଠାରେ ଘଂଟା ପ୍ରତି ପବନର ବେଗ ୫୦-୬୦ କିଲୋମିଟର ଯାଏଁ ରହିବ । ଏନେଇ ଏ ସମସ୍ତ ଜିଲ୍ଳାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରୀ ହୋଇଛି । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ , ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼,ଅନୁଗୁଳୁ, ଢ଼େଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାକୁ କାଳବୈଶାଖୀ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ ହୋଇଛି ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆସନ୍ତା ୩୦ ଯାଏଁ ପାଗରେ ପରିବର୍ତ୍ତନ ନାହିଁ । ୩୦ ପରେ ବଦଳିବ ପାଗ।  ୩୦/୩୧ ରେ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଚି ହେବ। ଫଳରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। 

ଉଭୟ ଦିନ ଓ ରାତ୍ରି ତାପମାତ୍ରା ସାଧାରଣ ଜୀଵନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ କାଳବୈଶାଖୀ ବର୍ଷା ସାମାନ୍ୟ ଆସ୍ବସ୍ଥି ଦେଇପାରେ।  ଯଦି ୨୯ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ତେବେ ରାଜ୍ୟରେ ସାମାନ୍ୟ ଆସ୍ବସ୍ତି ମିଳିପାରେ।