ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପାରଳାଖେମୁଣ୍ଡିକୁ ଫେରିଲା ରାଜବଂଶର ପୁରାତନ ଗୌରବ ରେଳ ଇଞ୍ଜିନ୍, ୧୯୦୦ ମସିହାରେ ଚଳାଚଳ କରିଥିଲା ପିଏଲ୍‌ଆର୍‌

ପାରଳାଖେମୁଣ୍ଡି/ବ୍ରହ୍ମପୁର ୦୮/୦୭:  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ପହଞ୍ଚିଛି ପାରଳା ରାଜବଂଶ ସହ ଜଡ଼ିତ ପୁରାତନ ଗୌରବ । ଲୋକଙ୍କ ଯାତାୟାତ ପାଇଁ ପାରଳା ରାଜବଂଶ ଦ୍ୱାରା ଆରମ୍ଭ କରାଯାଇଥିଲା ରେଳସେବା । ଏବେ ତାହାର ସନ୍ତକ ସ୍ୱରୂପ ଟ୍ରେନ୍‌ ଇଞ୍ଜିନ୍‌ ପାରଳାରେ ପହଞ୍ଚିଛି । ପାରଳାଖେମୁଣ୍ଡି ଷ୍ଟେସନ୍‌ ସମ୍ମୁଖରେ ଏହି ଇଞ୍ଜିନ୍‌ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ  କରାଯିବ। ଇଞ୍ଜିନ୍‌ଟିକୁ ବ୍ୟାରିକେଡ୍‌ କରି ଏକ ମ୍ୟୁଜିୟମ୍‌ ଭଳି ରଖାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।  

ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେଓ (ଦ୍ୱିତୀୟ)ଙ୍କ ଦ୍ୱାରା ପାରଳାଖେମୁଣ୍ଡି ଲାଇଟ୍‌ ରେଲୱେ (ପିଏଲ୍‌ଆର୍‌) କାର୍ଯ୍ୟକାରୀ କରାଯାଇଥିଲା । ସେ ନିଜ ରାଜ୍ୟର ରାଜଧାନୀ ପାରଳାଖେମୁଣ୍ଡି ସହ ତତ୍କାଳୀନ ରାଜ୍ୟ ଓ ଦେଶର  ପ୍ରମୁଖ ରେଳଷ୍ଟେସନ୍‌କୁ ଯୋଡ଼ିବା ଥିଲା ତାଙ୍କର ଉଦ୍ଦେଶ୍ୟ । ଦେଶର ହାତଗଣତି ସ୍ଥାନ ମଧ୍ୟରୁ ରାଜାରାଜୁଡ଼ା ଅମଳରେ ପାରଳାରେ ରେଳ ସେବା ଚାଲିଥିଲା । ସେହି ସମୟ‌ରେ ପ୍ରଥମ କରି ଯେଉଁ ଇଞ୍ଜିନ୍‌ ରେଳସେବା ଯୋଗାଇ  ଆସୁଥିଲା ତାହା ନେରୋଗେଜ୍‌ରେ ଚଳପ୍ରଚଳ କରୁଥିଲା । 

୧୮୯୪ରେ କଟକ-ଖୋର୍ଦ୍ଧା-ବିଜୟୱାଡା ରେଳଧାରଣା ଅନ୍ତର୍ଗତ ତତ୍କାଳୀନ ପାରଳା ରାଜ୍ୟ ତଥା ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ  ଥିବା ନୂଆପଡ଼ା ଅଞ୍ଚଳ ପ୍ରଥମ କରି ରେଳ ସଂଯୋଗରେ ଯୋଡ଼ି ହୋଇଥିଲା । ୧୮୯୮ରେ  ବ୍ରିଟିଶ୍‌ ରେଳ କର୍ତ୍ତୃପକ୍ଷଙ୍କୁ ସହମତ କରାଇବାରେ ସକ୍ଷମ ହୋଇଥିଲେ ଗଜପତି ନାରାୟଣ ଦେଓ  (ଦ୍ୱିତୀୟ) । ୧୮୯୯ରେ ୩୯ କିମି ରେଳପଥ  ନିର୍ମାଣ ପାଇଁ ରାଜକୋଷରୁ ସେତେବେଳେ ୩୯ ଲକ୍ଷ ଟଙ୍କା ବିନିଯୋଗ କରିଥିଲ ଗଜପତି  ରାଜା । ୧୯୦୦ ମସିହାରେ ପିଏଲ୍‌ଆର୍‌ ଚଳାଚଳ  ସହ ରେଳସେବାରେ ଯୋଡ଼ି ହୋଇଥିଲା  ପାରଳାଖେମୁଣ୍ଡି । ଏପରିକି ଖାସ୍‌ ରାଜପରିବାର  ସକାଶେ କାଠରେ ନିର୍ମିତ ସ୍ୱତନ୍ତ୍ର ବଗି ତିଆରି  କରାଯାଇଥିଲା । ରାଜ ପରିବାର ଚଳାଚଳ ବେଳେ  ଇଞ୍ଜିନ୍‌ ସହ ଏହି ବଗି ଯୋଡ଼ି ଦିଆଯାଉଥିଲା ।  

ଦୀର୍ଘବର୍ଷ ଧରି ଏହି ରେଳ ଇଞ୍ଜିନ୍‌ଟି  ପୂର୍ବତଟ ରେଳ ଜୋନ୍‌ ଅନ୍ତର୍ଗତ ୱାଲଟିଅର୍‌  ଡିଭିଜନ୍‌ କାର୍ଯ୍ୟାଳୟଠାରେ ଶୋଭା ବଢ଼ାଉଥିଲା । ସ୍ଥାନୀୟ ଅଞ୍ଚଳର ଆଇନଜୀବୀ ପ୍ରଶାନ୍ତ ପ୍ରଧାନ,  ପୂର୍ବତନ ବିଧାୟକ କେ ନାରାୟଣ ରାଓ, ବହୁ  ବୁଦ୍ଧିଜୀବୀ ପାରଳାର ଐତିହ୍ୟର ସନ୍ତକକୁ ଫେରାଇ  ଆଣିବାକୁ ବାରମ୍ବାର ରେଳମନ୍ତ୍ରୀଙ୍କ ନିକଟରେ ଦାବି  କରି ଆସୁଥିଲେ । ଏହି ଦାବିକୁ ଯଥାର୍ଥ ବୋଲି ରେଳ ମନ୍ତ୍ରାଳୟ ହୃଦ୍‌ବୋଧ କରିବା ସହ ଟ୍ରେନ୍‌  ଇଞ୍ଜିନ୍‌ ପାରଳାକୁ ଫେରାଇବା ପାଇଁ ପ୍ରତିଶ୍ରୁତି  ଦେଇଥିଲା । 

ଶନିବାର ବିଳମ୍ବିତ ରାତିରେ ଏକ  ସ୍ୱତନ୍ତ୍ର ଟ୍ରେନ୍‌ ସହ ଗୌରବମୟ ଐତିହ୍ୟର ବାର୍ତ୍ତା  ବହନ କରୁଥିବା ଉକ୍ତ ଇଞ୍ଜିନ୍‌ ପାରଳାଖେମୁଣ୍ଡି  ଷ୍ଟେସନ୍‌ରେ ପହଞ୍ଚିଛି । ସମ୍ମୁଖ ଭାଗ ଲାଲ୍‌ ରଙ୍ଗର ଥିବା ତଥା ୬୯୧  ନମ୍ବର ବହନ କରୁଥିବା ଏହି ଟ୍ରେନ୍‌ ଇଞ୍ଜିନ୍‌  ଦେଖିଲେ ପୁରୁଣା କାଳରେ ରେଳସେବା ବାବଦରେ  ଜାଣିହୁଏ । କୋଇଲାରେ ଚାଲୁଥିବା ଏହି ଇଞ୍ଜିନରେ  ଅତ୍ୟୁଜ୍ଜଳ ଆଲୋକ, ଚାଳକଙ୍କ କ୍ୟାବିନ୍‌ ଆଦି ରହିଛି । ଏହାକୁ ସଫା କରିବା ସହ ରଙ୍ଗ ଦେଇ  ଚକାଚକ୍‌ କରାଯାଇଛି । ଛାତ୍ରଛାତ୍ରୀ, ପର୍ଯ୍ୟଟକ,  ସାଧାରଣ ଲୋକ ଏହାକୁ ଦେଖି ବ୍ରିଟିଶ୍‌ ଅମଳର  ରେଳସେବା ସମ୍ପର୍କରେ ଜାଣିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.