ଭୁବନେଶ୍ୱର, ୨୩/୦୮: ସରକାର ଭୂ-ବନ୍ଦୋବସ୍ତ କରିବା ପାଇଁ ଓଡ଼ିଶା ସ୍ପେଶାଲ୍ ସର୍ଭେ ଆଣ୍ଡ ସେଟେଲ୍ମେଣ୍ଟ ଆକ୍ଟ ଆଣ୍ଡ ରୁଲ୍ସ ୨୦୧୨, ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ହାଇଟେକ୍ ସର୍ଭେ ହେଉଛି । ପ୍ରଥମ ପର୍ଯ୍ୟାୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ବଲାଙ୍ଗୀର, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲାରେ ସର୍ଭେ କାର୍ଯ୍ୟ ଚାଲିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ଜିଲ୍ଲାରେ କରିବାର ପ୍ରସ୍ତାବ ରହିଛି ।
ଜମିର ସତ୍ତ୍ୱାଧିକାରୀ ମୃତ୍ୟୁବରଣ କରିବା ସ୍ଥଳେ ରାଜସ୍ୱ ନିରୀକ୍ଷକମାନେ ରେକର୍ଡ ଯାଞ୍ଚ କରିବେ । କ୍ଷେତ୍ର ପରିଦର୍ଶନ କରିବା ପରେ ତାଙ୍କ ଉତ୍ତରାଧିକାରୀଙ୍କ ନାଁରେ ରେକର୍ଡ ସଂଶୋଧନ କରିବେ । ତହସିଲଦାରଙ୍କ ନିକଟରେ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି। ଏହି ପ୍ରସ୍ତାବକୁ ଭିତ୍ତି କରି ଦାଖଲ ଖାରଜ ମାମଲା ରୁଜୁ କରାଯାଇ ଜମି ପଟ୍ଟା ସଂଶୋଧନ କରିବାର ବ୍ୟବସ୍ଥା ରହିଛି । ଏଥିସହ ଜମିର ସତ୍ତ୍ୱାଧିକାରୀ ମୃତ୍ୟୁବରଣ କରିବାର ପରେ ତାଙ୍କ ଉତ୍ତରାଧିକାରୀମାନେ ୱାରସ ସଂଶୋଧନ ପାଇଁ ଅନ୍ଲାଇନ ମାଧ୍ୟମରେ ଦ୍ୱିତୀୟ ଖାତା ସଂଶୋଧନ ପାଇଁ ଦାଖଲ ଖାରଜ ମାମଲା କରିପାରିବେ । ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଉତ୍ତର ରଖିଛନ୍ତି ।