ରାଉରକେଲା/ଭୁବନେଶ୍ୱର, ୨୮/୧୨ : ଦୀର୍ଘ ୭ ବର୍ଷ ପରେ ନୂଆ ରୂପରେ ଫେରିଛି ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) । ୮ଟି ଦଳକୁ ନେଇ ପୁରୁଷ ଲିଗ୍ ଆଜି ଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବ । ଉଦ୍ଘାଟନୀ ମ୍ୟାଚ୍ ଗୋନାଶିକା ଏବଂ ଦିଲ୍ଲୀ ଏସ୍ଜି ପିପର୍ସ ମଧ୍ୟରେ ଖେଳାଯିବ । ଉଦ୍ଘାଟନୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ରହିଥିଲା । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁ ସାରା ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ତେଣୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣା ପଡ଼ିଛି । ଯଦିଓ ଏ ବିଷୟରେ ଆୟୋଜକଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ନୂଆ ସିଜନ, ନୂଆ ଦଳ । ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଗୋନାଶିକା ଓ ଦିଲ୍ଲୀ ।
ମନପ୍ରୀତ ସିଂଙ୍କ ନେତୃତ୍ୱରେ ଗୋନାଶିକା ଦଳ ଆରମ୍ଭରୁ ହିଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି । ସେମିତି ସାମଶେର ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସାମଶେର କହିଛନ୍ତି, ‘ଗୋନାଶିକା ବିପକ୍ଷରେ ଲିଗର ଶୁଭାରମ୍ଭ କରିବାକୁ ଯାଉଥିବାରୁ ଆମ ଦଳର ସମସ୍ତ ଖେଳାଳି ଉତ୍ସାହିତ ରହିଛନ୍ତି । ଗତ ଦୁଇ ସପ୍ତାହ ଧରି ଆମେ ଭଲ ଅଭ୍ୟାସ କରିଛୁ । ଦଳର ସମସ୍ତ ଖେଳାଳି ଅଭିଜ୍ଞ । ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବୁ ।’ ‘ଦୀର୍ଘ ୭ ବର୍ଷ ପରେ ଲିଗ ଫେରୁଥିବାରୁ ଆମେ ଉତ୍ସାହିତ । ଦିଲ୍ଲୀ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବୁ । ଦଳ ଭିତରେ ଉତ୍ତମ ବୁଝାମଣା ରହିଛି । ବରିଷ୍ଠ ଓ ଯୁବ ଖେଳାଳିଙ୍କ ମଧ୍ୟରେ ସନ୍ତୁଳନ ରହିଛି ବୋଲି ମନପ୍ରୀତ ସିଂ କହିଛନ୍ତି ।
ପୁରୁଷରେ ୮ ଦଳ
ଆଜି ଠାରୁ ପୁରୁଷ ଲିଗ୍ ଆରମ୍ଭ ହେବ । କେବଳ ୨ଟି ମ୍ୟାଚ୍ ରାଞ୍ଚିରେ ରହିଛି । ନଚେତ ସମସ୍ତ ମ୍ୟାଚ୍ ରାଉରକେଲାରେ ଖେଳାଯିବ । ଦଳ ଗୁଡ଼ିକ ହେଲେ ଗୋନାଶିକା, ଦିଲ୍ଲୀ ପିପର୍ସ, ବେଦାନ୍ତ କଳିଙ୍ଗ ଲାନନର୍ସ, ହାଇଦ୍ରାବାଦ ତୋଫାନ୍ସ, ରାହ ବେଙ୍ଗଲ ଟାଇଗର୍ସ, ସୁରମା ହକି କ୍ଲବ, ତାମିଲନାଡୁ ଡ୍ରାଗନ୍ସ ଓ ୟୁପି ରୁଦ୍ରସ୍ । ୨୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଜାନୁଆରୀ ୧୮ ତାରିଖରେ ଶେଷ ହେବ । ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଥରେ ଲେଖାଏଁ ପରସ୍ପରକୁ ଭେଟିବେ । ଜାନୁଆରୀ ୧୯ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏଥିରେ ୮ଟି ଦଳକୁ ୨ଟି ଗ୍ରୁପ୍ କରାଯିବ । ପୁଲ-ଏ’ରେ ଦିଲ୍ଲୀ, ବେଙ୍ଗଲ ଟାଇଗର୍ସ, ସୁରମା ଓ କଳିଙ୍ଗ ଲାନସର୍ସ ଏବଂ ପୁଲ ବି’ରେ ଗୋନାଶିକା, ହାଇଦ୍ରାବାଦ, ତାମିଲନାଡୁ ଓ ୟୁପି ରୁଦ୍ରସ୍ ରହିବେ । ୩୦ ତାରିଖରେ ଏହି ପର୍ଯ୍ୟାୟ ଶେଷ ହେବ । ଜାନୁଆରୀ ୩୧ରେ ସେମି ଫାଇନାଲ ଏବଂ ଫେବ୍ରୁଆରୀ ୧ ତାରିଖରେ ଫାଇନାଲ ଖେଳାଯିବ ।
ମହିଳାରେ ୪ ଦଳ
ଜାନୁଆରୀ ୧୨ ତାରିଖରୁ ମହିଳା ଲିଗ୍ ଆରମ୍ଭ ହେବ । ଏଥିରେ ୪ଟି ଦଳ ସାମିଲ ହୋଇଛନ୍ତି । ଦଳ ଗୁଡ଼ିକ ହେଲେ ଦିଲ୍ଲୀ ପିପର୍ସ, ଓଡ଼ିଶା ୱାରିୟର୍ସ, ରାହ ବେଙ୍ଗଲ ଟାଇଗର୍ସ ଓ ସୁରମା ହକି କ୍ଲବ । ମହିଳା ଲିଗ୍ ରାଞ୍ଚିରେ ଖେଳାଯିବ । ୨ଟି ମ୍ୟାଚ୍ ରାଉରକେଲାରେ ଖେଳାଯିବାର ସୂଚୀ ରହିଛି । ଜାନୁଆରୀ ୨୪ ତାରିଖରେ ଲିଗ୍ ପର୍ଯ୍ୟାୟ ଶେଷ ହେବ । ୨୬ ତାରିଖରେ ଫାଇନାଲ ଖେଳାଯିବ । ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଟିକେଟ୍ କିଣିବାକୁ ପଡ଼ିବ ନାହିଁ । ସଂପୂର୍ଣ୍ଣ ମାଗଣାରେ ପ୍ରତିଦିନ ମ୍ୟାଚ୍ ଦେଖି ପାରିବେ । ସେମିତି ମ୍ୟାଚ୍ର ସିଧାପ୍ରସାରଣ ଦୂରଦର୍ଶନରେ ହେବ । ଡିଜିଟାଲ ମାଧ୍ୟମରେ ଦେଖିବାକୁ ହେଲେ ହକି ଇଣ୍ଡିଆର ଏକ ସ୍ୱତନ୍ତ୍ର ଆପ୍ ଡାଉନଲୋଡ କରିବାକୁ ପଡ଼ିବ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆସନ୍ତାକାଲି ଉଦ୍ଘାଟନୀ ମ୍ୟାଚ୍ ରାତି ୮ଟା ୩୦ ମିନିଟରୁ ଆରମ୍ଭ ହେବାର ସୂଚୀ ରହିଛି ।