କଟକ, ୨୬/୦୭: ଗତ ୨୦ ତାରିଖ ରାତିରେ ଯୋବ୍ରା ପାଖରେ ଦୁଇ ମଦ୍ୟପ ଯୁବକ ହୋହଲ୍ଲା କଲେ । ପିସିଆର୍ ଭ୍ୟାନ୍ ଯାଇ ତାଗିଦ୍ କଲା ବେଳେ ଦୁଇ ଯୁବକପାଲଟା ନାଲିଆଖି ଦେଖାଇଲେ। ବଡ଼ବଡ଼ିଆଙ୍କ ନାଁ ଧରିଧମକାଇଲେ । ପିସିଆର୍ରେ ଥିବା ହୋମ୍ଗାର୍ଡ ସେମାନଙ୍କୁ ସାବାଡ୍ କରିପାରିଲେ ନାହିଁ । ବଡ଼ବଡ଼ିଆ ଲିଂକ୍ ଥିବାଭୟରେ ସେଠାରୁ ପିସିଆର୍ ଭ୍ୟାନ୍ ବୁଲାଇ ପଳାଇଆସିଲେ। ସମାନ ଘଟଣା ଚଳିତ ମାସ ୭ ତାରିଖରେ ସିଡିଏ ସେକ୍ଟର-୮ ପାଖରେ ଘଟିଲା । ଏକ କଳାରଙ୍ଗର ସ୍କର୍ପିଓ ଗାଡ଼ି ରାସ୍ତାରେ ଉତ୍ପାତ କରି ଯାଉଥିଲା ।ପିସିଆର୍ ଭ୍ୟାନ୍ ହାବୁଡ଼େ ପଡ଼ିଲା । ହେଲେ ଭିତରେ ବସିଥିବା ଯୁବକ ଏମିତି ରୋବାବ ଦେଖାଇଲେ ଯେ,ଡ୍ୟୁଟି କରୁଥିବା ହୋମ୍ଗାର୍ଡ ଚୁପ୍ ହୋଇ ବସିଲେ ।
କଟକରେ ଅଧିକାଂଶ ପିସିଆର୍ରେ ହୋମ୍ଗାର୍ଡମାନେ ଡ୍ୟୁଟି କରୁଥିବାବେଳେ ରାତି ସମୟରେ ଏଭଳି ସ୍ଥିତି ବାରମ୍ବାର ଘଟୁଛି । ହୋମଗାର୍ଡମାନଙ୍କ ପାଖରେ ବିଶେଷ କ୍ଷମତା ନଥିବାରୁ ସେମାନେ ବଡ଼ ଧରଣର ନିଷ୍ପତ୍ତି ନେଇପାରୁନାହାନ୍ତି । ସହରର ସୁରକ୍ଷା ଭାର ଏବେ ପ୍ରାୟ ହୋମ୍ଗାର୍ଡମାନଙ୍କ ହାତରେ ରହୁଛି । ପିସିଆର୍ ଭ୍ୟାନ୍, ଥାନା ଗାଡ଼ି ଓ ୧୧୨ ଭଳି ଆପାତକାଳୀନ ଗାଡ଼ିରେ ସଂଖ୍ୟାଧିକ ହୋମ୍ଗାର୍ଡ ଡ୍ୟୁଟି କରୁଛନ୍ତି । ଏମିତିକି ପ୍ରମୁଖ ଛକରେ ମଧ୍ୟ ସେମାନଙ୍କର ଡ୍ୟୁଟି ଲାଗୁଛି । ଫଳରେ ରାତିରେ ହଠାତ୍ କିଛି ବଡ଼ ଅଘଟଣ ହେଲେ, ପରିସ୍ଥିତି ବିଗିଡ଼ିଲେ ଏହାକୁ ନିୟନ୍ତ୍ରଣ କରିବା ସେମାନଙ୍କ ପକ୍ଷେ ସହଜ ହେଉନାହିଁ ।
କଟକ ସହରାଞ୍ଚଳ ପୁଲିସ ଅଧିନରେ ୧୯ଟି ଥାନା ଅଛି । ଏହା ବାଦ୍ ଦୁଇଟି ଟ୍ରାଫିକ୍ ଥାନା, ଗୋଟିଏ ସାଇବର ଓ ଗୋଟିଏ ମହିଳା ଥାନା ରହିଛି । ସେହିପରି ରିଜର୍ଭ ଅଫିସ୍ ମଧ୍ୟ ଅଛି । କଟକ ସହରାଞ୍ଚଳ ପୁଲିସ ପାଇଁ୧୦୬୯ଟି ମଞ୍ଜୁରିପ୍ରାପ୍ତ ହୋମ୍ଗାର୍ଡ ପଦବି ରହିଛି । ଏବେ ପ୍ରାୟ ୧୦୦୯ ଜଣ ହୋମ୍ଗାର୍ଡ କାମ କରୁଛନ୍ତି । ଏଥିରେ ପ୍ରାୟ ୨୦୦ ଜଣ ନୂଆ ନିଯୁକ୍ତି ପାଇଥିବା ବେଳେ ବାକି ୮ଶହରୁ ଅଧିକ ପୂର୍ବରୁ ଚାକିରି କରିଥିଲେ । ତେବେ ବାକି ପଦବି ଖାଲି ପଡ଼ିଛି । ୧୯ଟି ସାଧାରଣ ଥାନା,୨ଟି ଟ୍ରାଫିକ୍ ଥାନା ଓ ମହିଳା ଥାନାରେ ହୋମ୍ଗାର୍ଡଙ୍କୁ ଡ୍ୟୁଟି ଦିଆଯାଇଛି । ହୋମ୍ଗାର୍ଡମାନଙ୍କୁ ଟ୍ରାଫିକ୍ରେ ୨ଟି ସିଫ୍ଟରେ ଓ ଅନ୍ୟ ଥାନା ଗୁଡ଼ିକରେ ୩ଟି ସିଫ୍ଟରେ ଡ୍ୟୁଟି ଦିଆଯାଉଛି । ତେବେ ଗଲା କିଛି ମାସ ହେବ ଅଧିକାଂଶ ହୋମ୍ଗାର୍ଡଙ୍କୁ ରାତି ସମୟରେ ବା ରାତି ୧୦ରୁ ସକାଳ ପର୍ଯ୍ୟନ୍ତ ଅଧିକ ଡ୍ୟୁଟି ଦିଆଯାଉଛି । ରାତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକରେ ନଜର ରଖିବାକୁ ଡ୍ୟୁଟି ଦିଆଯାଉଛି ।
ଅଧିକ ପଢ଼ନ୍ତୁ :- Bhubaneswar Hit and Run Case: ଦୁଇ ଭାଇଙ୍କୁ ଧକ୍କା ଦେଇ ତମାଣ୍ଡୋରୁ ବରମୁଣ୍ଡା ଘୋଷାଡି ଆଣିଲା ଅଜଣା ଗାଡ଼ି, ମିଳିଲା ମୁଣ୍ଡ ବିହୀନ ମୃତଦେହ
ସେହପରି ସବୁ ଥାନା ଅଧିକରେ ଥିବା ପିସିଆର୍ ଭ୍ୟାନ୍ ଓ ୧୧୨ ଇର୍ମଜେନ୍ସି ଗାଡ଼ିରେ ହୋମ୍ଗାର୍ଡଙ୍କୁ ଡ୍ୟୁଟି ମିଳୁଛି । ଏହା ବାଦ୍ ଥାନା ଗାଡ଼ିରେ ଅର୍ଥାତ୍ ହଠାତ୍ କିଛିକାମ ପଡ଼ିଲେ ଥାନାରେ ଥିବା ଗାଡ଼ିରେ ମଧ୍ୟ ହୋମ୍ଗାର୍ଡଙ୍କୁ ରଖାଯାଉଛି । ପ୍ରାୟ ସବୁ ଗାଡ଼ିରେ ୩ରୁ ୪ ଜଣ ହୋମ୍ଗାର୍ଡ ଡ୍ୟୁଟି କରୁଛନ୍ତି । କିଛି ଗାଡ଼ିର ଚାଳକ ମଧ୍ୟ ହୋମ୍ଗାର୍ଡ । ତେବେ ମୋଟ୍ ୧୦୦୯ ହୋମ୍ଗାର୍ଡଙ୍କ ମଧ୍ୟରୁ ପ୍ରାୟ ୫ଶହ ହୋମ୍ଗାର୍ଡଙ୍କୁ ରାତି ସମୟରେ ଡ୍ୟୁଟି କରୁଛନ୍ତି । ଗୋଟିଏ ଗୋଟିଏ ପିସିଆର୍ ଭ୍ୟାନ୍ କିମ୍ବା ୧୧୨ ଗାଡ଼ିରେ ଜଣେ କରି ହାବିଲ୍ଦାର କିମ୍ବା କନ୍ଷ୍ଟେବଲ୍ ରହୁଛନ୍ତି ।
ତେବେ ବହୁଗାଡ଼ିରେ ପୁଲିସ ଷ୍ଟାଫ୍ ରହୁନଥିବାରୁ ସ୍ଥିତି ବିଗୁଡ଼ୁଥିବା ବେଳେ ହଠାତ୍ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋମ୍ଗାର୍ଡମାନେ ନେଇପାରୁ ନାହାନ୍ତି । ରାତି ସମୟରେ ବହୁବାର ଏଭଳିସ୍ଥିତି ସୃଷ୍ଟି ହେଉଥିବାରୁ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଏଡିସିପି ଅମରେନ୍ଦ୍ରପଣ୍ଡାଙ୍କ କହିବା କଥା, ରାତି ସୁରକ୍ଷା ଗୁରତ୍ୱପୂର୍ଣ୍ଣ, ପିସିଆର୍,୧୧୨ ଓ ବିଟ୍ ପାଟ୍ରୋଲିଂରେ ହୋମ୍ଗାର୍ଡଙ୍କ ସହିତ କନ୍ଷ୍ଟେବଲ୍ ଡ୍ୟୁଟି ଦିଆଯାଉଛି । ପୁଲିସ ସବୁ ବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।