ପ୍ରମୂଖ ଖବର
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ନିର୍ବାଚନ ପାଇଁ ଘରମୁହାଁ ଶିକ୍ଷାର୍ଥୀ; ହଷ୍ଟେଲ୍‌ ଖାଲି, ଲାଇବ୍ରେରୀ ଖାଁ ଖାଁ

ଭୁବନେଶ୍ୱର, ୨୫।୫: ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସେଥିପାଇଁ ଏବେ ଘରମୁହାଁ ହୋଇଛନ୍ତି ଛାତ୍ରଛାତ୍ରୀ । ତେଣୁ ଏବେ ରାଜଧାନୀର ପ୍ରମୁଖ ହଷ୍ଟେଲ୍‌ ଖାଲି ପଡ଼ିଛି । ଲାଇବ୍ରେରୀରେ ମଧ୍ୟ ଭିଡ଼ କମିଛି । ମତଦାନ ପାଇଁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ ଓ ପ୍ରଥମ ଥର ଭୋଟ ଦେବାକୁ ଉତ୍ସାହ ଥିବାରୁ ପିଲାମାନେ ଘର ମୁହାଁ ହୋଇଛନ୍ତି । ଦୁଇଦିନ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନ୍‌ରେ ପିଲାଙ୍କ ଭିଡ଼ ଦେଖିବାକୁ ମିଳିଛି । ଶନିବାର ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ପୁରୀ, ଭୁବନେଶ୍ୱର, କଟକ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ମତଦାନ ହେବ । ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ କରାଯିବ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ୪୨ଟି ବିଧାନସଭା କ୍ଷେତ୍ରରେ ୧୮-୧୯ ବର୍ଷ ମଧ୍ୟରେ ଅର୍ଥାତ୍‌ ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୩୭ ହଜାର ୧୩୧ । 

ସେହିପରି ୨୦ରୁ ୨୯ ବର୍ଷ ମଧ୍ୟରେ ଥିବା ଭୋଟରଙ୍କ ସଂଖ୍ୟା ହେଉଛି ୧୮ ଲକ୍ଷ ୪୫ ହଜାର ୫୦୩ । ଏହି ବୟସର ଭୋଟରଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ଶିକ୍ଷାର୍ଥୀ । ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ଏବେ ପ୍ରାୟ ସମସ୍ତ ରୁମ୍‌ ଖାଲି ପଡ଼ିଛି । ସେହିପରି ରମାଦେବୀ, ବିଜେବି, ଓୟୁଏଟି, ଓୟୁଟିଆର୍‌ ସମେତ ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନରେ ମଧ୍ୟ ହଷ୍ଟେଲରୁ ପିଲାମାନେ ଭୋଟ ଦେବା ପାଇଁ ନିଜ ଘରକୁ ଯାଉଛନ୍ତି । ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ଲାଇବ୍ରେରୀରେ ସିଭିଲ୍‌ ସର୍ଭିସ ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଶିକ୍ଷାର୍ଥୀଙ୍କ ଭିଡ଼ କମିଛି । ଘରୋଇ କୋଚିଂ ସେଣ୍ଟରରେ ମଧ୍ୟ ପିଲାଙ୍କ ସଂଖ୍ୟା କମିଛି । 

ସୂଚନାଯୋଗ୍ୟ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭୋଟ ଦେବା ପାଇଁ ଯୁବ ଭୋଟରଙ୍କୁ ଆକୃଷ୍ଟ କରାଯାଉଛି । ପୁରୀର ହୋଟେଲ ଆସୋସିଏସନ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ, ପ୍ରଥମ ଥର ଭୋଟର ଯଦି ମତଦାନ କରିଥିବେ ଏବଂ ପ୍ରମାଣ ସ୍ୱରୂପ ହାତରେ ନିର୍ବାଚନୀ କାଳି ଲାଗିଥିବ ତେବେ ତାଙ୍କୁ ରେଷ୍ଟୁରାଣ୍ଟରେ ୨୦ ପ୍ରତିଶତ ରିହାତି ମିଳିବ । ସେହିପରି ଆଉ କିଛି ଅନୁଷ୍ଠାନ ପକ୍ଷରୁ ଭୋଟଦାନ ପାଇଁ ବାରମ୍ବାର ପିଲାଙ୍କୁ ଫୋନ୍‌ ଆସୁଛି । ଶିକ୍ଷାର୍ଥୀ ମନୋରଞ୍ଜନ ସ୍ୱାଇଁଙ୍କ କହିବା କଥା, ମୋ ଘର ଅନୁଗୁଳ । ମୋର ମତଦାନ ୨୫ ତାରିଖରେ ରହିଛି । ପ୍ରଥମ କରି ଭୋଟ ଦେଉଥିବାରୁ ମନରେ ଉତ୍ସାହ ରହିଛି । ରାଷ୍ଟ୍ର ନିର୍ମାଣରେ ମୋର ମତଦାନ ଜରୁରି ଭାବି ମୁଁ ଆଜିଠୁ ଘରକୁ ଯାଉଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.