ନୂଆଦିଲ୍ଳୀ,୯।୬: ପିଓକେ ଅର୍ଥାତ ପାକ୍ ଅଧିକୃତ କାଶ୍ମୀରରୁ ବିରୋଧ ପ୍ରଦର୍ଶନ ଓ ହିଂସା ଖବର ସାମନାକୁ ଆସୁଛି। ଏହା ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇଏଏଫ୍ ପାଇଲଟ୍ ସ୍କ୍ବାଡ୍ରନ୍ ଲିଡର ରିଜୱାନ୍ ମଲିକଙ୍କୁ ‘ବୀର ଚକ୍ର’ ରେ ସମ୍ମାନିତ କରିଛନ୍ତି। ଆଇଏଏଫ୍ ପାଇଲଟ୍ ସ୍କ୍ବାଡ୍ରନ୍ ଲିଡର ରିଜୱାନ୍ ମଲିକ ଅପରେସନ୍ ସିନ୍ଦୂର ସମୟରେ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ସେ ଅପରେସନ୍ ସିନ୍ଦୂର ସମୟରେ ପିଓକେରେ ପ୍ରବେଶ କରିଥିଲେ ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଥିଲେ। ସ୍କ୍ବାଡ୍ରନ୍ ଲିଡର ରିଜୱାନ୍ ମଲିକ ପାକିସ୍ତାନୀ ସୁରକ୍ଷା କର୍ଡନ୍ ଭେଦ କରି ପିଓକେରେ ପ୍ରବେଶ କରିଥିଲେ ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲେ। ତାଙ୍କର ଏହି ସାହାସିକତାର କାହାଣୀ ଭାରତର ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି।

ଆସନ୍ତୁ ଆଇଏଏଫର ସ୍କ୍ବାଡ୍ରନ୍ ଲିଡର ଥିବା ରିଜୱାନ୍ ବିଷୟରେ ଜାଣିବା। ଅପରେସନ୍ ସିନ୍ଦୂର ସମୟରେ ଅଦମ୍ୟ ସାହସ ପାଇଁ ସ୍ୱାଧୀନତା ଦିବସରେ ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ୍ ଲିଡର ରିଜୱାନ ମଲିକଙ୍କୁ ବୀର ଚକ୍ର ଦେବାର ଘୋଷଣା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗତକାଲି ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ‘ବୀର ଚକ୍ର’ରେ ସମ୍ମାନିତ କରିଛନ୍ତି।

ଅପରେସନ୍ ସିନ୍ଦୂର ସମୟରେ, ସ୍କ୍ୱାଡ୍ରନ୍ ଲିଡର ରିଜୱାନ ମଲିକଙ୍କ ମିଶନ୍ ଅକଳ୍ପନୀୟ ଥିଲା, ସେଭଳି ତାଙ୍କ ଜୀବନ ବି ବିପଦରେ ଥିଲା। ପାକିସ୍ତାନର ଆଡଭାନ୍ସଡ ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ଥିଲା ଏବଂ ରାଡାର ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ଥିଲା। ଆକ୍ରମଣ କରିବା ପାଇଁ ତାଙ୍କ ପାଖରେ ବହୁତ କମ୍ ସମୟ ଥିଲା। ଏଭଳି ସ୍ଥିତିରେ, ସ୍କ୍ୱାଡ୍ରନ୍ ଲିଡର ରିଜୱାନ ମଲିକ ଅନ୍ଧାରରେ ସୁଖୋଇ ଉଡ଼ାଇ ଶତ୍ରୁ ଆକାଶ ସୀମା ଭିତରକୁ ପ୍ରବେଶ କରି ଗୋଟିଏ ପରେ ଗୋଟିଏ ଅନେକ କ୍ଷେପଣାସ୍ତ୍ର ମାଡ଼ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲେ। ଏଭଳି ଭାବରେ ସେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲେ। I ରିଜୱାନ୍ ମଲିକ୍ ମଣିପୁରର ଇମ୍ଫାଲ୍ ପୂର୍ବ ଜିଲ୍ଲାର କେଇଖୁ ଗାଁର ନିବାସୀ। ସେ ଏକ ମୈତେଇ ପଙ୍ଗଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଅଲହାଜ ହାଫିଜୁଦ୍ଦିନ ଜଣେ ଅବସରପ୍ରାପ୍ତ ହଟିକଲଚର ଅଧିକାରୀ। ୨୦୧୫ରେ ରିଜୱାନ ଭାରତୀୟ ବାୟୁସେନା (IAF)ରେ ଯୋଗ ଦେଇଥିଲେ। ସେ ୧୯୫ତମ ଫ୍ଲାଇଂ କୋର୍ସର ଅଂଶ ଥିଲେ। ପରବର୍ତ୍ତୀ ସମୟରେ ସେ ୨୦୨୧ ମସିହାରେ ସ୍କ୍ବାଡ୍ରନ୍ ଲିଡର ହୋଇଥିଲେ। ସେ ଡିପ୍-ଷ୍ଟ୍ରାଇକ୍ ମିଶନ୍ ଏବଂ ଏୟାର ସୁପିରିଓରିଟି ଅପରେସନ୍ସରେ ସାମିଲ ହୋଇଥିଲେ।