ନୂଆଦିଲ୍ଲୀ,୯।୬: ଭାରତ, ଚୀନ୍, ପାକିସ୍ତାନ ଏବଂ ଆମେରିକା ଭଳି ଦେଶ ପରମାଣୁ ଅସ୍ତ୍ର ଉପରେ ଅତ୍ୟଧିକ ଖର୍ଚ୍ଚ କରୁଛନ୍ତି। ଏଭଳି ଖୁଲାସା କରିଛି ଏକ ଅଣଲାଭକାରୀ ସଂସ୍ଥା। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ନଅଟି ଦେଶ ପରମାଣୁ ଅସ୍ତ୍ର ରଖିଛନ୍ତି। ୨୦୨୫ ସୁଦ୍ଧା, ଏହି ଦେଶଗୁଡ଼ିକ ସେମାନଙ୍କର ପରମାଣୁ ଅସ୍ତ୍ରର ରକ୍ଷଣାବେକ୍ଷଣ ଏବଂ ଆଧୁନିକୀକରଣ ପାଇଁ ମୋଟ ୧୧୯ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ, ଭାରତ ଏବଂ ଚୀନ୍ ଭଳି ଦେଶ ମଧ୍ୟ ନୂତନ ପରମାଣୁ ଅସ୍ତ୍ର ବିକଶିତ କରିଛନ୍ତି। ଗତ ବର୍ଷ, ଚୀନ୍ର ପରମାଣୁ ଅସ୍ତ୍ରାଗାରରେ ୨୦ଟି ଏବଂ ଭାରତରେ ୧୦ଟି ନୂତନ ପରମାଣୁ ଅସ୍ତ୍ର ଯୋଡା ଯାଇଥିଲା।
ଆନ୍ତର୍ଜାତୀୟ ନ୍ୟୁକ୍ଲିୟର ଅସ୍ତ୍ର ବିଲୋପ ଅଭିଯାନ (ICAN) ଅନୁଯାୟୀ, ଭାରତ ପରମାଣୁ ଅସ୍ତ୍ର ପାଇଁ ୨.୮ ବିଲିୟନ ଡଲାର, ପାକିସ୍ତାନ ୧.୫ ବିଲିୟନ ଡଲାର, ଚୀନ ୧୩.୫ ବିଲିୟନ ଡଲାର ଏବଂ ଆମେରିକା ୬୯.୨ ବିଲିୟନ ଡଲାର ଖର୍ଚ୍ଚ କରୁଛି। ଉତ୍ତର କୋରିଆ ପରମାଣୁ ଅସ୍ତ୍ର ରକ୍ଷଣାବେକ୍ଷଣ ଏବଂ ଦେଖାଶୁଣା ପାଇଁ ୬୫୬ ମିଲିୟନ ଡଲାର ଖର୍ଚ୍ଚ କରୁଛି।
ଆମେରିକା କରୁଛି ସବୁଠୁ ଅଧିକ ଖର୍ଚ୍ଚ
ରିପୋର୍ଟ ଅନୁସାରେ, ବର୍ଷକ ଭିତରେ ଆମେରିକା ପରମାଣୁ ହତିଆର ଉପରେ ସବୁଠାରୁ ଅଧିକ ଖର୍ଚ୍ଚ ବଢାଇଛି। ଆମେରିକା ପରମାଣୁ ହତିଆରର ବଜେଟ୍ରେ ୨୨ ପ୍ରତିଶତ ବୃଦ୍ଧି କରିଛି। ୨୦୨୫ ରେ ସବୁଠାରୁ ଅଧିକ ୬୯.୨ ବିଲିୟନ ଡଲାର ଖର୍ଚ୍ଚ କରିଥିଲା। ସେଭଳି ବ୍ରିଟେନ୍ ପରମାଣୁ ହତିଆର ଖର୍ଚ୍ଚରେ ୧୭% ବୃଦ୍ଧି କରିଛି। ବ୍ରିଟେନ୍ ୨୦୨୫ ରେ ପରମାଣୁ ହତିଆର ଉପରେ ୧୨.୬ ବିଲିୟନ ଡଲାର ଖର୍ଚ୍ଚ କରିଥିଲା। ଏଭଳି ଭାବରେ ଚୀନ୍ ୭% ବୃଦ୍ଧି କରିଛି। ଚୀନ୍ ୨୦୨୫ ରେ ପରମାଣୁ ହତିଆର ଉପରେ ୧୩.୫ ବିଲିୟନ ଡଲାର ଖର୍ଚ୍ଚ କରିଛି। ରୁଷ କେବଳ ୬% ବୃଦ୍ଧି କରିଛି। ରୁଷ ଚଳିତ ବର୍ଷ ୯ ବିଲିୟନ ଡଲାର ପରମାଣୁ ହତିଆର ଉପରେ ଖର୍ଚ୍ଚ କରିଛି। ଦକ୍ଷିଣ ଏସିଆର କଥା ଯଦି ହେବା ତେବେ ଭାରତ ୧୨ ଓ ପାକିସ୍ତାନ ୧୮% ବୃଦ୍ଧି କରିଛି। ଇସ୍ରାଏଲ ୨ ଓ ଫ୍ରାନ୍ସ ୮% ବୃଦ୍ଧି କରିଛି।
୯୯ ଦେଶ TPNW ଉପରେ କରିଛନ୍ତି ସ୍ବାକ୍ଷର
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଦୁନିଆର ଶକ୍ତିଶାଳୀ ଦେଶ ପରମାଣୁ ହତିଆର ଉପରେ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଭଳି ଅନ୍ୟପକ୍ଷେ ଦୁନିଆର ୯୯ ଦେଶ ପରମାଣୁ ହତିଆରର ନିଷେଧର ସନ୍ଧି (TPNW) ଉପରେସ୍ବାକ୍ଷରକରିଛନ୍ତି। ଏହି ଦେଶର କହିବା ଅନୁସାରେ, ଦୁନିଆ ପ୍ରତି ପରମାଣୁ ବିପଦକୁ ଶେଷ କରିବା ଜରୁରୀ।
କେଉଁ ଦେଶ ପାଖରେ କେତେ ପରମାଣୁ ହତିଆର ରହିଛି ?
ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ଇନଷ୍ଟିଚ୍ୟୁଟ୍ ଅନୁସାରେ, ଜାନୁଆରୀ ୨୦୨୬ରେ ଦୁନିଆ ପାଖରେ ୧୨,୧୮୭ ପରମାଣୁ ହତିଆର ଥିଲା। ଏଥିରେ ପ୍ରାୟ ୯,୭୪୫ ସମ୍ବାବିତ ଉପଯୋଗ ପାଇଁ ସାମରିକ ଭଣ୍ଡାର ଥିଲା, ସେଭଳି ୪,୦୧୨ ମିସାଇଲ ଓ ବିମାନ ମୁତୟନ ଥିଲା। ରୁଷ ପାଖରେ ସବୁଠାରୁ ଅଧିକ ୫୫୦୦ ପରମାଣୁ ହତିଆର ରହିଛି। ଏହାପରେ ଆମେରିକା ପାଖରେ ପ୍ରାୟ ୫୩୦୦ ପରମାଣୁ ହତିଆର ରହିଛି। ଚୀନ୍ ପାଖରେ ୬୨୦ ଏବଂ ଭାରତ ପାଖରେ ୧୯୦ ପରମାଣୁ ଅସ୍ତ୍ର ରହିଛି। ସେଭଳି ପାକିସ୍ତାନ ପାଖରେ ୧୭୦ ପରମାଣୁ ଅସ୍ତ୍ର ଥିବାର ଆଶଙ୍କା ରହିଛି।
ଆହୁରି ପଢନ୍ତୁ : ଶତ୍ରୁ ଦେଶ ସାବଧାନ ! ଅଣୁ ଅସ୍ତ୍ର ବଢ଼ାଇଲା ଭାରତ, ୧୮୦ରୁ ୧୯୦କୁ ବଢ଼ିଲା ପରମାଣୁ ଅସ୍ତ୍ର ସଂଖ୍ୟା