ପ୍ରମୂଖ ଖବର
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବଢ଼ୁଛି ଆୟ ଅସମାନତା ଚିନ୍ତା, ୧୦ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିରେ ୨% ଟିକସ ଦାବି

ନୂଆଦିଲ୍ଲୀ, ୨୫।୫: ଲୋକସଭା ନିର୍ବାଚନ ମଧ୍ୟରେ ଦେଶରେ ଉତ୍ତରାଧିକାରୀ ଟିକସ ବା ଇନ୍‌ହେରିଟାନ୍ସ ଟାକ୍ସକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏହା ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା । ତେବେ ବର୍ତ୍ତମାନ ପୁଣି ଥରେ ଏହି ଇନ୍‌ହେରିଟାନ୍ସ ଟାକ୍ସ ଲାଗୁ କରିବାକୁ ଦାବି ହେଲାଣି । ଭାରତରେ ବର୍ଦ୍ଧିତ ଅସମାନତା ଦୂର କରିବା ପାଇଁ ୧୦ କୋଟିରୁ ଊଦ୍ଧ୍ୱର୍ ନେଟ୍‌ ସମ୍ପତ୍ତି ଉପରେ ୨%ର ବାର୍ଷିକ ଟିକସ ଏବଂ ୩୩% ଇନ୍‌ହେରିଟାନ୍ସ ଟାକ୍ସ ଲଗାଇବା ଆବଶ୍ୟକ ବୋଲି ଏକ ରିସର୍ଚ୍ଚ ପେପର୍‌ରେ ଉଲ୍ଲେଖ କରାଯାଇଛି । ଅର୍ଥନୀତିଜ୍ଞ ଥୋମାସ ପିକେଟ୍ଟିଙ୍କ ଦ୍ୱାରା ପ୍ରସ୍ତୁତ ରିସର୍ଚ୍ଚ ପେପର୍‌ରେ ସମ୍ପତ୍ତି ବିତରଣକୁ ନେଇ ଏକ ବ୍ୟାପକ ଦୃଷ୍ଟିକୋଣ ଉପସ୍ଥାପନ କରାଯାଇଛି । 

‘ଭାରତରେ ଅତ୍ୟଧିକ ଅସମାନତାର ମୁକାବିଲା ପାଇଁ ସମ୍ପତ୍ତି ଟିକସ ପ୍ୟାକେଜ୍‌ର ପ୍ରସ୍ତାବ’ ଶୀର୍ଷକ ଏହି ରିସର୍ଚ୍ଚ ପେପର ଅନୁସାରେ, ଆଧାରଭୂତ ସ୍ଥିତିରେ ୧୦ କୋଟି ଟଙ୍କାରୁ ଅଧିକ ନେଟ୍‌ ସମ୍ପତ୍ତି ଉପରେ ୨%ର ଏକ ବାର୍ଷିକ କର ଏବଂ ୧୦ କୋଟିରୁ ଅଧିକ ସମ୍ପତ୍ତି ଉପରେ ୩୩%ର ଉତ୍ତରାଧିକାରୀ ଟିକସ ଲାଗୁ କରିବା ଦ୍ୱାରା ଯେଉଁ ରାଜସ୍ୱ ମିଳିବ ତାହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୨.୭୩% ହେବ । ଏହି ପାଣ୍ଠିକୁ ସାମାଜିକ କ୍ଷେତ୍ରରେ ନିବେଶ କରି ଗରିବଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଅଣାଯାଇପାରିବ । ଉକ୍ତ ରିସର୍ଚ୍ଚ ପେପର୍‌ରେ ଆହୁରି କୁହାଯାଇଛି ଯେ, ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଦ୍ୱାରା ଗରିବ, ନିମ୍ନ ବର୍ଗ ଏବଂ ମଧ୍ୟମ ବର୍ଗଙ୍କ ସହାୟତା ପାଇଁ ସ୍ପଷ୍ଟ ପୁନର୍ବିତରଣ ନୀତି ଲୋଡ଼ା । ଏହି ପ୍ରସ୍ତାବ ଅନୁସାରେ, ଆଧାରଭୂତ ପରିସ୍ଥିତିରେ ଶିକ୍ଷା ଉପରେ ଏବେ ସାର୍ବଜନୀକ ଖର୍ଚ୍ଚକୁ ପ୍ରାୟ ଦୁଇ ଗୁଣା କରାଯାଇପାରିବ । ଯଦିଓ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ୬% ବ୍ୟୟର ନିର୍ଦ୍ଧାରିତ ଲକ୍ଷ୍ୟ ରଖାଯାଇଛି ତଥାପି ଏହା ଗତ ୧୫ ବର୍ଷ ଧରି ଜିଡିପିର ୨.୯%ରେ ସ୍ଥିର ରହିଛି । 

ଏହି ରିସର୍ଚ୍ଚ ପେପର ପ୍ୟାରିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସର ଜଣାଶୁଣା ଅର୍ଥନୀତିଜ୍ଞ ଥୋମାସ ପିକେଟ୍ଟି, ହାର୍ଭାର୍ଡ କେନେଡି ସ୍କୁଲ୍‌ ଏବଂ ୱାର୍ଲଡ ଇନ୍‌ଇକ୍ୱାଲିଟି ଲ୍ୟାବ୍‌ ସହ ଜଡ଼ିତ ଲୁକାସ ଚାନ୍‌ସେଲ୍‌ ଏବଂ ନ୍ୟୁୟର୍କ ୟୁନିଭର୍ସିଟି ସହ ଜଡ଼ିତ ନିତିନ କୁମାର ଭାରତୀ ଲେଖିଛନ୍ତି । ଭାରତରେ ଆୟ ଏବଂ ସମ୍ପତ୍ତି ଅସମାନତାକୁ ନେଇ ତର୍କ କିଛି ଦିନ ହେବ ଜୋର ଧରିଛି । ଏହା ପୂର୍ବରୁ ଜାରି ହୋଇଥିବା ‘ଭାରତରେ ଆୟ ଏବଂ ସମ୍ପତ୍ତି ଅସମାନତା ୧୯୨୨-୨୦୨୩’ ରିପୋର୍ଟରେ କୁହାଯାଇଥିଲା ଯେ, ଭାରତରେ ଆର୍ଥିକ ଅସମାନତା ଐତିହାସିକ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.