ରାଞ୍ଚି, ୩୦/୧୧: ରାଞ୍ଚି ଦିନିକିଆରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର । ଦକ୍ଷିଣ ଆଫ୍ରିକାକୁ ୩୫୦ ରନ୍ର ଟାର୍ଗେଟ୍ ଦେଲା ଭାରତୀୟ ଦଳ । ଭମ୍ରଣକାରୀ ଦଳର ଆମନ୍ତ୍ରଣ ପାଇଁ ବ୍ୟାଟିଂ କରିବାକୁ ପଡ଼ିଆ ଓହ୍ଲାଇ ଥିଲା କେଏଲ୍ ବାହିନୀ । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୮ ଓ୍ବିକେଟ୍ ହରାଇ ୩୪୯ ରନର ବିଶାଳ ସ୍କୋର ଛିଡ଼ା କରିଛି । ଭାରତ ପକ୍ଷରୁ ବିରାଟ କୋହଲି, ୧୩୫ ରନ୍ର ଶତକୀୟ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ଏବଂ ଅଧିନାୟକ କେଏଲ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ନାନ୍ଦ୍ରେ ବର୍ଗର, ବୋଶ୍, ମାର୍କୋ ଏବଂ ବାର୍ଟମ୍ୟାନ୍ ପ୍ରତ୍ୟେକ ୨ଟି ୱିକେଟ୍ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି । ଏହି ମ୍ୟାଚ୍ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୫୦ ରନ୍ ସଂଗ୍ରହ କରିବାକୁ ପଡ଼ିବ ।
ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଓପନିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଓ ଯଶସ୍ବୀ ଜୈସ୍ବାଲ । ହେଲେ ଯଶସ୍ବୀ ବେଶୀ ସମୟ ପଡ଼ିଆରେ ତିଷ୍ଠି ପାରିନଥିଲେ । ସେ ମାତ୍ର ୧୮ ରନ କରି ନାନ୍ଦ୍ରେ ବରର୍ଗରଙ୍କ ଶିକାର ହୋଇଥିଲେ । ଏହା ପରେ ରାଞ୍ଚିରେ ଆରମ୍ଭ ହୋଇଥିଲା କିଙ୍ଗ୍ କୋହଲିଙ୍କ ଏଣ୍ଟ୍ରି । ପ୍ରଥମ ବଲ୍ ଚୌକା ମାରି ଟେଷ୍ଟ ପରାଜୟର ପ୍ରତିଶୋଧ ଘୋଷଣା କରିଦେଇଥିଲେ ସେ । ରୋହିତ୍ ଶର୍ମାଙ୍କ ସହ ମିଶି ଉଭୟେ ଜବରଦସ୍ତ ଶତକୀୟ ଭାଗିଧାରୀ ଖେଳିଥିଲେ । ରୋହିତ ଶର୍ମା ୫୭ ରନ କରି ମାର୍କୋ ଜନସନଙ୍କ ଶିକାର ହୋଇଥିଲେ । ମାତ୍ର ବିରାଟ କୋହଲି ପଛକୁ ଫେରି ଦେଖିନଥିଲେ । ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ । ସେ ପ୍ରଥମେ ଅର୍ଦ୍ଧଶତକ ପରେ ଏହାକୁ ଶତକୀୟ ଇନିଂସରେ ବଦଳାଇ ଦେଇଥିଲେ । ରାଞ୍ଚିରେ ବିରାଟ୍ କୋହଲି ୧୨୦ରୁ ୧୩୫ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି । ଏଥିରେ ୧୧ଟି ଚୌକା ଏବଂ ୭ଟି ଛକା ରହିଛି । ଏହା ଦିନିକିଆ କ୍ରିକେଟରେ ବିରାଟଙ୍କ ୫୨ତମ ସେଞ୍ଚୁରୀ ଏବଂ ଆନ୍ତର୍ଜାତିକ କ୍ରିକେଟରେ ୮୩ତମ ଶତକ । ସେହିପରି ରୋହିତ ଶର୍ମା ୫୧ ବଲରୁ ୫୭ ରନ ସଂଗ୍ରହ କରିଛନ୍ତି । ଅଧିନାୟକ କେଏଲ ରାହୁଲ ୫୬ ବଲରୁ ୬୦ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୩୨ ରନ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଏହି ମ୍ୟାଚ୍ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୫୦ ରନ ସଂଗ୍ରହ କରିବାକୁ ପଡ଼ିବ ।...