ଆମେରିକାରେ ଭାରତୀୟ ଆଇଟି ପେସାଦାର କଲବଲ: ଚାକିରି ଯିବା ପରେ ଶେଷ ହେଉଛି ଭିସା ଅବଧି, ଘରବାହୁଡା ଅନ୍ତିମ ବିକଳ୍ପ

ନୂଆଦିଲ୍ଲୀ,୨୪/୦୧: ଆମେରିକାରେ ହଜାର ହଜାର ଭାରତୀୟ ଆଇଟି ପେସାଦାର ସଂକଟରେ । ଗୁଗୁଲ, ମାଇକ୍ରୋସଫ୍ଟ ଏବଂ ଆମାଜନ ଭଳି କମ୍ପାନିଗୁଡ଼ିକରେ ବିପୁଳ ଛଟେଇ ଏମାନଙ୍କୁ ସ୍ୱଦେଶ ଫେରିବାକୁ ବାଧ୍ୟ କରୁଛି । ଚାକିରି ଯିବା ପରେ ସେମାନଙ୍କ କାର୍ଯ୍ୟ ଭିସାର ଅବଧି ସରିବାକୁ ଯାଉଛି । ଅବଶିଷ୍ଟ ଅବଧିରେ ନିଯୁକ୍ତି ନ ମିଳିଲେ ଘରକୁ ଫେରିବା ଛଡ଼ା ସେମାନଙ୍କ ନିକଟରେ ଆଉ ବିକଳ୍ପ ନାହିଁ ।
ଦ ୱାଶିଂଟନ ପୋଷ୍ଟ ଅନୁସାରେ, ଗତବର୍ଷ ନଭେମ୍ବରରେ ପାଖାପାଖି ୨,୦୦,୦୦୦ ଆଇଟି ପ୍ରଫେସନାଲଙ୍କୁ ବିଦା କରାଯାଇଛି । ଛଟେଇ କରିଥିବା କମ୍ପାନିଗୁଡ଼ିକ ମଧ୍ୟରେ ଗୁଗୁଲ, ମାଇକ୍ରୋସଫ୍ଟ, ଫେସ୍ବୁକ୍ ଏବଂ ଆମାଜନ ଭଳି କମ୍ପାନିଗୁଡ଼ିକ ରହିଛନ୍ତି । କିଛି ରିପୋର୍ଟରେ କୁହାଯାଇଛି ଯେ, ଛଟେଇ ହୋଇଥିବା ପେସାଦାରଙ୍କ ମଧ୍ୟରୁ ୩୦ରୁ ୪୦% ଭାରତୀୟ । ଏମାନଙ୍କ ମଧ୍ୟରୁ ବୃହତ୍ ଭାଗ ଏଚ୍-୧ବି ଏବଂ ଏଲ୍୧ ଭିସାରେ କାର୍ଯ୍ୟ କରୁଛନ୍ତି ।
ଏଚ୍୧ ବି ଭିସା ସେମାନଙ୍କୁ ପ୍ରଦାନ କରାଯାଇଥାଏ, ଯେଉଁମାନେ ଆଇଟି, ଆର୍କିଟେକ୍ଚର ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ସ୍ୱତନ୍ତ୍ର ପେସାରେ ଜଡ଼ିତ । ନିଯୁକ୍ତି ଅଫର ମିଳିବାର ତତ୍କାଳ ଏହି ଭିସା ମିଳିଥାଏ । ଯଦି ନିଯୁକ୍ତିଦାତା ଚାକିରିରୁ ବାହାର କରିଦିଅନ୍ତି ଏବଂ ଦ୍ୱିତୀୟ ଚାକିରି ନ ମିଳେ ତା’ହେଲେ ଭିସା ଅବଧି ଶେଷ ହୋଇଥାଏ ।
ଏଲ୍-୧ଏ ଏବଂ ଏଲ୍-୧ବି ଭିସା ଟେମ୍ପୋରାରୀ ଇଣ୍ଟ୍ରା-କମ୍ପାନି ଟ୍ରାନ୍ସଫରିଜ୍ମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ । ଏମାନେ ମ୍ୟାନେଜର ପଦବୀରେ କାର୍ଯ୍ୟ କରନ୍ତି କିମ୍ବା ସ୍ୱତନ୍ତ୍ର ଜ୍ଞାନ ରଖିଥାନ୍ତି । ଏଲ୍-୧ବି ଭିସା ଅଧୀନରେ କମ୍ପାନିଗୁଡ଼ିକୁ ଅନ୍ୟୁନ ବର୍ଷକ ପାଇଁ ନିଜ କର୍ମଚାରୀମାନଙ୍କୁ ଆମେରିକା ପଠାଇବାର ଅନୁମତି ଥାଏ । ଆମେରିକାରେ ସ୍ଥାୟୀ ଭାବେ ରହିବାକୁ ଯାଉ ନ ଥିବା କର୍ମଚାରୀଙ୍କୁ ଏହି ଭିସା ପ୍ରଦାନ କରାଯାଇଥାଏ ।
ଛଟେଇ ହୋଇଥିବା ଆମାଜନର ଜଣେ କର୍ମଚାରୀ କୁହନ୍ତି, ୩ ମାସ ତଳେ ସେ ଆମେରିକା ଆସିଥିଲେ । ଏହି ସପ୍ତାହରେ ତାଙ୍କୁ କୁହାଗଲା ଯେ, ମାର୍ଚ୍ଚ ୨୦ ତାଙ୍କ ପାଇଁ ଅନ୍ତିମ କାର୍ଯ୍ୟ ଦିବସ । ଏଚ୍-୧ବି ଭିସାଧାରୀଙ୍କ ପାଇଁ ସ୍ଥିତି ଆହୁରି ଖରାପ ହୋଇଗଲାଣି । କାରଣ ସେମାନଙ୍କୁ ୬୦ ଦିନ ଭିତରେ ନୂଆ ଚାକିରି ଖୋଜିବାକୁ ପଡ଼ିବ । ନହେଲେ ସେମାନଙ୍କ ନିକଟରେ ଭାରତ ଫେରିବା ଛଡ଼ା ଆଉ ବାଟ ନାହିଁ ।
ଜାନୁଆରୀ ୧୮ରେ ମାଇକ୍ରୋସଫ୍ଟରୁ ଛଟେଇ ହୋଇଥିବା ଅନ୍ୟ ଜଣେ ଭାରତୀୟ ଆଇଟି ପେସାଦାର କୁହନ୍ତି, ସେ ଜଣେ ସିଙ୍ଗିଲ୍ ମଦର । ତାଙ୍କ ପୁଅ ହାଇସ୍କୁଲରେ ପାଠ ପଢୁଛି । କଲେଜ୍ରେ ନାମ ଲେଖାଇବାକୁ ପୁଅ ପ୍ରସ୍ତୁତ ହେଉଥିବାବେଳେ ଛଟେଇ ଖବର ମହିଳାଜଣଙ୍କର ଚିନ୍ତା ବଢ଼ାଇ ଦେଇଛି । ତାଙ୍କ ପାଇଁ ଏହା ଅତ୍ୟନ୍ତ କଠିନ ସ୍ଥିତି ବୋଲି ସେ କହିଛନ୍ତି । ଏଚ୍-୧ବି ଭିସାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଅତି ଖରାପ ବୋଲି ମହିଳାଜଣକ କହିଛନ୍ତି ।
ସିଲିକନ୍ ଭ୍ୟାଲିରେ ଥିବା ଜଣେ ଶିଳ୍ପପତି ତଥା କମ୍ୟୁନିଟି ଲିଡର ଅଜୟ ଜୈନ କୁହନ୍ତି, ପରିବାର ଉପରେ ଛଟେଇର ଅତି ଖରାପ ପ୍ରଭାବ ପଡ଼ିପାରେ । ଲୋକଙ୍କୁ ନିଜର ସମ୍ପତ୍ତି ବିକ୍ରି କରିବାକୁ ପଡ଼ିପାରେ ଏବଂ ପିଲାଙ୍କ ପାଠପଢ଼ାରେ ବ୍ରେକ୍ ଲାଗିପାରେ । ଟେକ୍ କମ୍ପାନିଗୁଡ଼ିକ ଏଚ୍-୧ବି କର୍ମଚାରୀଙ୍କ ଭିସା ଅବଧି କିଛି ମାସ ବଢ଼ାଇଦେବା ଉଚିତ । କାରଣ ବର୍ତ୍ତମାନ ପରିସ୍ଥିତିରେ କ୍ଷୁଦ୍ର ଅବଧି ମଧ୍ୟରେ ନୂଆ ଚାକିରି ପାଇବା ମୁସ୍କିଲ ।
ଚାକିରି ହରାଇଥିବା ଭାରତୀୟ ଆଇଟି କର୍ମଚାରୀମାନେ ବର୍ତ୍ତମାନ ସ୍ଥିତିରେ ନୂଆ ଚାକିରି ପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ବନାଇଛନ୍ତି । ଏହି ଗ୍ରୁପ୍ରେ ଛଟେଇ ହୋଇଥିବା ୮୦୦ରୁ ଊଦ୍ଧ୍ୱର୍ ଭାରତୀୟ ଆଇଟି କର୍ମଚାରୀ ଅଛନ୍ତି, ଯେଉଁମାନେ ଦେଶରେ ଥିବା ଭ୍ୟାକାନ୍ସି ଉପରେ ତଥ୍ୟ ଏଥିରେ ପୋଷ୍ଟ କରୁଛନ୍ତି । ଆଉ ଏକ ଗ୍ରୁପ୍ରେ ସେମାନେ ବିଭିନ୍ନ ଭିସା ବିକଳ୍ପ ଉପରେ ଆଲୋଚନା କରୁଛନ୍ତି ।
