ପ୍ରମୂଖ ଖବର

ଦିଲ୍ଲୀ-ଝାରସୁଗୁଡ଼ା ସେକ୍ଟର୍‌ ପାଇଁ ଇଣ୍ଡିଗୋର ସଙ୍କେତ ! ମେ' ପହିଲାରୁ ବିମାନସେବା ଲାଗି ଯୋଜନା

ଝାରସୁଗୁଡ଼ା,୩୧/୦୩: ଆଜି ଠାରୁ ଦିଲ୍ଲୀ-ଝାରସୁଗୁଡ଼ା ସେକ୍ଟର୍‌ରେ ସ୍ପାଇସ୍‌ଜେଟ୍‌ର ବିମାନ ସେବା ସସ୍‌ପେଣ୍ଡ ହେବ । ଏଥିପାଇଁ ପୂର୍ବରୁ ବିମାନବନ୍ଦର  କର୍ତ୍ତୃପକ୍ଷ ତଥା ଏୟାର୍‌ପୋର୍ଟ ଅଥରିଟ ଅଫ୍‌ ଇଣ୍ଡିଆକୁ  ସ୍ପାଇସ୍‌ଜେଟ ପକ୍ଷରୁ ସୂଚିତ କରାଯାଇଥିଲା । ଦିଲ୍ଲୀ-ଝାରସୁଗୁଡ଼ା ସେକ୍ଟରରେ ଆଗକୁ ସ୍ପାଇସଜେଟ୍‌ର ବିମାନ ପୁଣିଥରେ ଚଳାଚଳ କରିବା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହି ସେକ୍ଟରରେ ଇଣ୍ଡିଗୋ ବିମାନ ଚଳାଚଳ ପାଇଁ ସଙ୍କେତ ଦେଇଛି । ଆସନ୍ତ ମେ' ପହିଲାରୁ  କିଭଳି ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ବିମାନସେବା ଆରମ୍ଭ ହେବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । 

ସ୍ପାଇସଜେଟ୍‌ ପକ୍ଷରୁ ଗତ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ଦିଲ୍ଲୀଝାରସୁଗୁଡ଼ା ରୁଟ୍‌ରେ ବିମାନସେବା ଆରମ୍ଭ କରାଯାଇଥିଲା ।  ସେ ସମୟରେ ଉଡ଼ାନ ଯୋଜନାଭୁକ୍ତ ରହିଥିଲା । ଯେଉଁଥିରେ  ପ୍ରାଇଭେଟ୍‌ ପ୍ଲେୟାର୍‌କୁ ସରକାରୀ ପ୍ରୋତ୍ସାହନ ମିଳୁଥିଲା ।  ମାତ୍ର ପରବର୍ତ୍ତୀ ସମୟରେ ଉଡ଼ାନ ଯୋଜନାର ଅବଧି ଶେଷ  ହେବା ପରେ ମଧ୍ୟ ସ୍ପାଇସଜେଟ୍‌ ବିମାନସେବା ଏହି ରୁଟ୍‌ରେ  ଜାରି ରଖିଥିଲା । ଏବେ ବ୍ୟବସାୟିକ କ୍ଷତି ଆଳ ଦେଖାଇ  ବିମାନସେବାକୁ ସସ୍‌ପେଣ୍ଡ କରୁଥିବା ବେଳେ ପ୍ରକୃତପକ୍ଷେ  କମ୍ପାନି ପାଖରେ ଆବଶ୍ୟକ ସଂଖ୍ୟକ ବିମାନ ଅଭାବ ଥିବା  ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ଦିଲ୍ଲୀ-ଝାରସୁଗୁଡ଼ା  ରୁଟ୍‌ରେ ସ୍ପାଇସ୍‌ଜେଟ ବିମାନସେବା ସସ୍‌ପେଣ୍ଡ ପାଇଁ ନୋଟିସ  ଦେଇଛି ମାତ୍ର ଏହି ରୁଟ୍‌ରୁ ଓହରି ଯାଇନାହିଁ । ଯେଉଁଥିପାଇଁ  ନୂତନ କମ୍ପାନି ଏହି ରୁଟ୍‌ରେ ବିମାନ ଚଳାଇବା ଦିଗରେ  ସମସ୍ୟା ରହିଛି ବୋଲି ତଥ୍ୟାଭିଜ୍ଞ ମହଲର ମତ । ଦିଲ୍ଲୀ-ଝାରସୁଗୁଡ଼ା ସେକ୍ଟରରେ ଇଣ୍ଡିଗୋ ପକ୍ଷରୁ  ବିମାନସେବା ଆରମ୍ଭ କରାଯିବା ନେଇ ସବୁ ମହଲରୁ  ଦାବି ରହିଛି । ସର୍ଭେରେ ମଧ୍ୟ ଅଧିକାଂଶ ଲୋକ ଇଣ୍ଡିଗୋର  ବିମାନସେବା ଏହି ରୁଟ୍‌ରେ ଆରମ୍ଭ କରାଯିବା ସପକ୍ଷରେ  ମତ ରଖିଛନ୍ତି । ଷ୍ଟେକ୍‌ ହୋଲଡର୍ସ ମିଟିଂରେ ମଧ୍ୟ ଅନୁରୂପ  ମତାମତ ଦିଆ ଯାଇଥିଲା । ତେଣୁ ଏବେ ଇଣ୍ଡିଗୋ  ଦିଲ୍ଲୀ-ଝାରସୁଗୁଡ଼ା ରୁଟ୍‌ରେ ବିମାନ ଚଳାଚଳ ଲାଗି ମନ  ବଳାଇଥିବା କୁହାଯାଉଛି ।

 ଯଦିଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଏଯାଏଁ ଦିଆଯାଇ  ନାହିଁ ତଥାପି ଆସନ୍ତା ମେ' ପହିଲାରୁ ଏହି ସେକ୍ଟରରେ  ବିମାନସେବା ଲାଗି ଇଣ୍ଡିଗୋ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।  ଇଣ୍ଡିଗୋ ପକ୍ଷରୁ ପ୍ରକାଶିତ ସମର୍‌ ସିଡ୍ୟୁଲ ପ୍ରଥମ ପର୍ଯ୍ୟାଳୟ  ସାରଣୀରେ ଦିଲ୍ଲୀ-ଝାରସୁଗୁଡ଼ାକୁ ସ୍ଥାନ ମିଳିନାହିଁ । କେବଳ  କୋଲକାତା-ଝାରସୁଗୁଡ଼ା ଏବଂ ବେଙ୍ଗାଲୁରୁ-ଝାରସୁଗୁଡ଼ା ସେକ୍ଟରକୁ ସ୍ଥାନ ଦିଆଯାଇଛି । ହେଲେ ସଂଶୋଧିତ ସାରଣୀ  ପ୍ରକାଶ ସମୟରେ ଦିଲ୍ଲୀ-ଝାରସୁଗୁଡ଼ା ସେକ୍ଟର ସ୍ଥାନ ପାଇବ  ବୋଲି ସୂଚନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.