ମୋରବି ( ଗୁଜରାଟ)-ଗୁଜରାଟର ମୋରବିରେ ଦୁଇ ବର୍ଷ ପୂର୍ବେ ହୋଇଥିବା ସସ୍ପେନ୍ସନ ପୋଲ ଦୁର୍ଘଟଣା ମାମଲାର ମୁଖ୍ୟ ଅଭିଯୁକ୍ତ ଉଦ୍ୟୋଗପତି ଜୟସୁଖ ପଟେଲଙ୍କୁ ପାଟିଦାର ସଂପ୍ରଦାୟ ନିକଟରେ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ ଏବଂ ତାଙ୍କୁ ଲଡୁ ସହ ଓଜନ କରି ଥିଲେ। ଏହାପରେ ଏହି କଥାକୁ ନେଇ ସଂପୃକ୍ତ ସଂପ୍ରଦାୟକୁ ଖୁବ୍‌ ସମାଲୋଚନା କରାଯାଉଛି। ୨୦୨୨ରେ ହୋଇଥିବା ମୋରବି ପୋଲ ଦୁର୍ଘଟଣାରେ ୧୩୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କର ଏହିପରି ସମ୍ମାନ ହେବାରେ ଲୋକେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। 

ଏପଟେ ପୀଡ଼ିତଙ୍କ ପରିବାର ଲୋକେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର କହିବାନୁସାରେ, ସେ ଏହି ଘଟଣାକୁ କେବେ ଭୁଲିବେ ନାହିଁ। ଆୟୋଜକଙ୍କ କହିବାନୁସାରେ, ଜାମିନରେ ଜେଲ୍‌କୁ ଆସିଥିବା ଜୟସୁଖ ପଟେଲଙ୍କୁ ଅଜନ୍ତା ଗ୍ରୁପର ସ୍ଥାପନା କରିଥିବା ଉଦ୍ୟୋଗପତି ଓ.ଆର ପଟେଲଙ୍କ ପୁଅ ଭାବେ ସମ୍ମାନିତ କରାଯାଇଛି। 

ଏହି ସମ୍ମାନ ଉତ୍ସବ ଶୁକ୍ରବାର ଉମା ସଂସ୍କାରଧାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ଅବସରରେ ମୋରବି ସହରର ବାହାର ଅଞ୍ଚଳରେ ହୋଇଛି। ଏହାର ଆୟୋଜନ କଡୱା ପାଟିଦାର କନ୍ୟା କେଲୱାନୀ ମଣ୍ଡଳ ଦ୍ୱାରା କରାଯାଇ ଥିଲା। ଏହି ସମୟରେ ପଟେଲଙ୍କୁ ତରାଜୁରେ ଲଡୁ ସହ ଓଜନ କରାଯାଇ ଥିଲା। ଆୟୋଜକମାନେ କହିଛନ୍ତି କି, ଲଡୁକୁ ୬୦,୦୦୦ ଡବାରେ ପ୍ୟାକ୍‌ରେ କରି ପାଟିଦାର ପରିବାରରେ ବଣ୍ଟା ଯିବ।

ସେପଟେ ଉକ୍ତ ଆୟୋଜନକୁ ନେଇ ଦୁର୍ଘଟଣାର ପୀଡ଼ିତ ଓ ତାଙ୍କର ପରିବାରର ପ୍ରତିନିଧିତ୍ୱ କରୁଥିବା ସଂଘର ସଦସ୍ୟ ନରେନ୍ଦ୍ର ପରମାର କହିଛନ୍ତି, ମୋରବି ସସ୍ପେନ୍ସସ ବ୍ରିଜ୍ ଭୁଶୁଡ଼ିବା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଏହିପରି ସମ୍ମାନିତ ହେବାର ଦେଖିବା ଆମ ପାଇଁ ଦୁଃଖର କଥା। କାର୍ଯ୍ୟକ୍ରମ ଆୟୋଜିତ କରିଥିବା ସଂଗଠନର ଏକେ ପଟେଲ ନାମକ ଜଣେ ସଦସ୍ୟ କହିଛନ୍ତି କି,ସେ ଜୟସୁଖ ପଟେଲଙ୍କୁ ‘କାନ୍ଥ ଘଣ୍ଟାର ଜନକ’ ତାଙ୍କ ପିତା ଦିବଙ୍ଗତ ଓଆର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସମ୍ମାନିତ କରିଛନ୍ତି। ଯିଏକି ଅଜନ୍ତା ଗ୍ରୁପର୍‌ ସ୍ଥାପନା କରି ଥିଲେ। ସେମାନେ କହିଥିଲେ , ଆମେ ଜୟସୁଖ ପଟେଲ ଓ ତାଙ୍କ ଭାଇମାନଙ୍କୁ ତାଙ୍କର ପିତା ଓ.ଆର ପଟେଲଙ୍କ ସମାଜ ପ୍ରତି ସେବା ପାଇଁ ଶ୍ରଦ୍ଧାଞ୍ଜଳି ଭାବେ , ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରିବାର ନିଷ୍ପତ୍ତି ନେଇ ଥିଲୁ। 

ଉଲ୍ଲେଖନୀୟ ଯେ,ପଟେଲଙ୍କ କମ୍ପାନୀ ଓରେୱା ଗ୍ରୁପ୍‌ ମୋରବି ସହରରେ ମଚ୍ଛୁ ନଦୀରେ ବ୍ରିଟିଶ ସମୟରେ ତିଆରି ଏହି ସସ୍ପେନ୍ସନ ବ୍ରିଜ୍‌ର ପରିଚାଳନା ଓ ରକ୍ଷଣାବେକ୍ଷଣ କରିଥିଲେ , ଯାହା ୩୦ ଅକ୍ଟୋବର , ୨୦୨୨ରେ ଭୁଶୁଡ଼ିପଡ଼ି ଥିଲା। ଉକ୍ତ ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୧୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା ଏବଂ ୫୬ ଜଣ ଆହତ ହୋଇଥିଲେ।