ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜେଏସ୍‌ଡବ୍ଲ୍ୟୁ ସହଯୋଗିତାରେ ହେବ ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟ୍‌, ଏମ୍‌ଓୟୁ ସ୍ୱାକ୍ଷର

Published By : Rasmita Pradhan | October 30, 2024 11:56 AM

ନୂଆଦିଲ୍ଲୀ, ୩୦/୧୦ : ୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆଭିତ୍ତିକ ଇସ୍ପାତ କମ୍ପାନି ପୋସ୍କୋ । ଏଥିପାଇଁ ଏହା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହ ଅନୁବନ୍ଧିତ ହୋଇଥିବା ଜଣାପଡ଼ିଛି । ଆଜି ଉଭୟ କମ୍ପାନିଙ୍କ ମଧ୍ୟରେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷର ହୋଇଯାଇଛି । କମ୍ପାନିଦ୍ୱୟ ଏକତ୍ର ହୋଇ ଭାରତରେ ଏକ ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବେ । ପ୍ରାଥମିକ ଭାବେ ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା ୫ ନିୟୁତ ଟନ୍‌ ରହିବ । ଯଦିଓ ପ୍ଲାଣ୍ଟ କେଉଁଠି ସ୍ଥାପନ ହେବ ସେଥିପାଇଁ ଉଭୟ କମ୍ପାନିଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ତଥାପି ଏହା ଓଡ଼ିଶାରେ ହୋଇପାରେ ବୋଲି ଅନୁମାନ କରାଯାଉଛି । ନିବେଶ ରାଶିର ଅଧା ଲେଖାଏଁ ଯୋଗଦାନ ଦେବାକୁ ଉଭୟ କମ୍ପାନି ଯୋଜନା ରଖିଥିବା ଜଣାପଡ଼ିଛି । ଏମ୍‌ଓୟୁ ମୁତାବକ ଉଭୟ କମ୍ପାନି ଷ୍ଟିଲ୍‌, ବ୍ୟାଟେରି ଉପକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । 

ସୂଚନାଯୋଗ୍ୟ, ୧୨୦୦ କୋଟି ଡଲାର ନିବେଶରେ ଓଡ଼ିଶାରେ ଏକ ୧୦ ଏମ୍‌ଟିପିଏ କ୍ଷମତାଯୁକ୍ତ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ୨୦୦୫ରେ ପୋସ୍କୋ ଓଡ଼ିଶା ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲା । କିନ୍ତୁ ବିଭିନ୍ନ ମଞ୍ଜୁରି ମିଳିବାରେ ବିଳମ୍ବ ହେତୁ କମ୍ପାନି ଏହି ପ୍ରକଳ୍ପରୁ ଓହରିଯାଇଥିଲା । ପରେ ପୋସ୍କୋ ଅଧିଗ୍ରହଣ କରିଥିବା ୨,୯୦୦ ଏକର ଜମିକୁ ରାଜ୍ୟ ସରକାର ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌କୁ ଏହାର ପ୍ରସ୍ତାବିତ ୧୦ଏମ୍‌ଟିପିଏ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଦାନ କରିଥିଲେ । ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ପର୍ଯ୍ୟାୟ କ୍ରମେ ନୂଆ ଓଡ଼ିଶା ପ୍ଲାଣ୍ଟକୁ ନିର୍ମାଣ କରିବାକୁ ଯୋଜନା କରୁଛି । ତେବେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଏବଂ ପୋସ୍କୋ ଦ୍ୱାରା ପ୍ରସ୍ତାବିତ ୫ ଏମ୍‌ଟିପିଏ ପ୍ଲାଣ୍ଟ ଓଡ଼ିଶାରେ ଥିବା ସମାନ ଜମିରେ ହେବ ଅବା ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ସମ୍ପ୍ରତି ମହାରାଷ୍ଟ୍ରରେ ପୋସ୍କୋର ଏକ ଷ୍ଟିଲ୍‌ ରୋଲିଂ ପ୍ଲାଣ୍ଟ ଥିବାବେଳେ ଦିଲ୍ଲୀ, ଅହମ୍ମଦାବାଦ, ପୁଣେ, ହାଇଦ୍ରାବାଦ ଏବଂ ଚେନ୍ନାଇରେ ଇସ୍ପାତ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି । 

ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ, ଷ୍ଟିଲ୍‌ ପ୍ଲାଣ୍ଟ ବ୍ୟତୀତ ଉଭୟ କମ୍ପାନି ଦେଶର ଅକ୍ଷୟ ଶକ୍ତି ଏବଂ ବ୍ୟାଟେରି ଉପକରଣ କ୍ଷେତ୍ରରେ ନିବେଶ ସୁଯୋଗ ସନ୍ଧାନ କରିବେ । ଇଲେକ୍ଟ୍ରିକ୍‌ ଯାନ ଏବଂ ଅକ୍ଷୟ ଶକ୍ତି ସହ ଜଡ଼ିତ ବ୍ୟାଟେରି ଉପକରଣ କ୍ଷେତ୍ରରେ ସହଯୋଗିତାର ସମ୍ଭାବନାକୁ ପରଖିବେ । ଏହାର ଉଦ୍ଦେଶ୍ୟ ହେଉଛି ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ପାଇଁ କ୍ୟାପ୍‌ଟିଭ୍‌ ଆବଶ୍ୟକତା ପୂରଣ କରିବା । ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଏବଂ ପୋସ୍କୋ ମଧ୍ୟରେ ସହଯୋଗିତା ଭାରତର ଇସ୍ପାତ ଉତ୍ପାଦନ କ୍ଷମତାକୁ ବଢ଼ାଇବା ସହ ଉଭୟ ଦେଶରେ ସ୍ଥିରତା ପ୍ରୟାସକୁ ଦୃଢ଼ୀଭୂତ କରିବ । ମୁମ୍ବାଇରେ ଜେଏସ୍‌ଡବ୍ଲ୍ୟୁର କର୍ପୋରେଟ ମୁଖ୍ୟ କାର୍ଯ୍ୟାଳୟରେ ଏହି ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଏ ଅବସରରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ ପୋସ୍କୋ ଅଧ୍ୟକ୍ଷ ଚାଙ୍ଗ୍‌ ଇନ୍‌-ୱାଙ୍କ ସହ ଉଭୟ କମ୍ପାନିଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ଏ ଅବସରରେ ଶ୍ରୀ ଜିନ୍ଦଲ କହିଲେ, ପୋସ୍କୋ ସହ ସହଯୋଗିତା ଭାରତୀୟ ଇସ୍ପାତ ଶିଳ୍ପକୁ ଆମର ଯୋଗଦାନକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତ ନିରନ୍ତର ବିକାଶର ବିଶାଳ ସମ୍ଭାବନା ସୃଷ୍ଟି କରିଛି । ପୋସ୍କୋ ସହ ସହଯୋଗିତା ଏହି ପରିବର୍ତ୍ତନରେ ସାମିଲ ହେବା ପାଇଁ ଜେଏସ୍‌ଡବ୍ଲ୍ୟୁର ପ୍ରତିବଦ୍ଧତାକୁ ଅଧିକ ମଜଭୁତ କରିଛି । ଏକ ଆଧୁନିକ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ପାଇଁ ଅକ୍ଷୟ ଶକ୍ତି ନିମନ୍ତେ ଏ ସହଯୋଗିତା ଉଲ୍ଲେଖନୀୟ ଅବଦାନ ଦେବ । ଏହାସହିତ ଦେଶରେ ଇଭି ଇକୋସିଷ୍ଟମ୍‌କୁ ମଜଭୂତ କରିବ । ସୂଚନାଯୋଗ୍ୟ, ଫେବ୍ରୁଆରୀରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଓଡ଼ିଶାରେ ଏକ ଇଲେକ୍ଟ୍ରିକ୍‌ ଯାନ ବ୍ୟାଟେରି ଉତ୍ପାଦନ ପ୍ରକଳ୍ପ ଲାଗି ୪୦,୦୦୦ କୋଟି ଟଙ୍କାର ନିବେଶ ଯୋଜନା ଘୋଷଣା କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.