ନୂଆଦିଲ୍ଲୀ – ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଓ ୟୁରୋପୀୟ ମହାକାଶ ଏଜେନ୍ସି (ଇଏସଏ) ମାନବ ମହାକାଶ ଅନ୍ୱେଷଣକୁ ବୃଦ୍ଧି କରାଇବା ପାଇଁ ଏକ ନୂଆ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଶନିବାର ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ ଓ ଇଏସଏର ମହାନିର୍ଦ୍ଦେଶକ ଜୋସେଫ୍‌ ଅଶବୈକରଙ୍କ ମଧ୍ୟରେ ହୋଇଛି।

ଏହି ବ୍ୟାପକ ଚୁକ୍ତିନାମା ଅନୁସାରେ, ମହାକାଶ ଯାତ୍ରୀ ପ୍ରଶିକ୍ଷଣ , ମିଶନ ସଞ୍ଚାଳନ ଓ ମହାକାଶରେ ବିଭିନ୍ନ ରିସର୍ଚ୍ଚ ପ୍ରୟୋଗକୁ ସାମିଲ କରାଯିବ। ଏହା ପ୍ରଥମ ମାନବ ମହାକାଶ ଉଡ଼ାଣ ସହ ସମ୍ୱନ୍ଧିତ କାର୍ଯ୍ୟକଳାପ ଭଳି ମହାକାଶ ଯାତ୍ରୀ ପ୍ରଶିକ୍ଷଣ, ମହାକାଶ ପ୍ରୟୋଗର ବିକାଶ ଓ ଏକତ୍ରିକରଣ , ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଇଏସଏର ସୁବିଧାର ବ୍ୟବହାର ,ମାନବ ଓ ଜୈବ ଚିକିତ୍ସା ଅନୁସନ୍ଧାନ , ତଥା ମିଳିତ ଶୈକ୍ଷିକ ଓ ଆଉଟରିଚ୍‌ କାର୍ଯ୍ୟକ୍ରମକୁ ମଧ୍ୟ କଭର କରିବ। 

ଚୁକ୍ତିନାମା ଅନୁସାରେ, ପ୍ରଥମ ବଡ଼ ପ୍ରକଳ୍ପ Axiom-4 ମିଶନ ହେବ। ଏହି ମିଶନରେ ଇସ୍ରୋର ଗଗନଯାତ୍ରୀ ମହାକାଶ ଯାତ୍ରୀ ଓ ଇଏସଏର ମହାକାଶ ଯାତ୍ରୀ ସାମିଲ ହେବେ। ଏହି ମିଶନ ଆଇଏସଏସରେ ଭାରତୀୟ ଗବେଷକଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରୟୋଗକୁ ଲାଗୁ କରିବ। ଏହା ବ୍ୟତୀତ , ଇସ୍ରୋ ଓ ଇଏସଏ ମାନବ ଶାରୀରିକ ଅଧ୍ୟୟନ , ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଓ ଜନସଂଚାର କାର୍ଯ୍ୟକଳାପରେ ମଧ୍ୟ ସହଯୋଗ କରିବ।