ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରାକ୍ଟର, ଜଣେ ମୃତ

ମାଲକାନଗିରି/ଖଇରପୁଟ ,୨୪।୫ (ଆପ୍ର):ଚାଉଳ ବୋଝେଇ ଟ୍ରାକ୍ଟର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡି ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ ଅଣ୍ଡରାହାଲ ଗ୍ରାମର ପ୍ରଶାନ୍ତ କୁମାର ପାଙ୍ଗି (୧୩)।
ମୁଦୁଲିପଡା ଥାନାସ୍ଥ ବଣ୍ଡା ଘାଟି ଅଣ୍ଡରାହାଲ ଗ୍ରାମର ପ୍ରିତମ ଖରା ତାଙ୍କ ଟ୍ରାକ୍ଟର ( ନଂ ଓଡି ୧୦ଡି ୭ ୮ ୯ ୧) ରେ ହିତାଧିକାରୀମାନଙ୍କ କିଣି ଥିବା ପିଡିଏସ୍ ଚାଉଳକୁ ବୋଝେଇ କରି ବିସେଇଗୁଡ଼ା ଗ୍ରାମକୁ ଯାଉଥିଲେ । ତାଙ୍କ ସହିତ ତାଙ୍କ ସମ୍ପର୍କୀୟ ପୁତୁରା ପ୍ରଶାନ୍ତ କୁମାର ପାଙ୍ଗି (୧୩) ମଧ୍ୟ ଯାଇଥିଲେ । ଭଜଗୁଡ଼ା ଏବଂ ବିଶେଇଗୁଡ଼ା ମଝିରେ ଏକ ବୁଲାଣି ରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରାକ୍ଟର ଓଲଟି ପଡିବାରୁ ପ୍ରଶାନ୍ତ ଚାପି ହୋଇଯାଇଥିଲେ । ପ୍ରିତମ କିଛି ଦୂରକୁ ଛିଟିକି ହୋଇ ପଡିଯାଇଥିଲା ।
ଖବର ପାଇ ମୁଦୁଲିପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସାହାଯ୍ୟରେ ଟ୍ରାକ୍ଟରର ଟଲିରୁ ପ୍ରଶାନ୍ତଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଗୁରୁତର ପ୍ରିତମଙ୍କୁ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।