ନୂଆଦିଲ୍ଲୀ: ପର୍ଥରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଜସପ୍ରୀତ ବୁମରା ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ପାଣି ପିଆଇ ଦେଇଛନ୍ତି ।  ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍‌ ୭ ଓ୍ବିକେଟ ହରାଇଛି । ସେଥିମ୍ୟରୁ ୪ଟି ଓ୍ବିକେଟ ବୁମରା ନେଇଛନ୍ତି ।  ଏହି ଓ୍ବିକେଟ   ସହ ବୁମରା ଏମିତି ଏକ ରେକର୍ଡ କରିଛନ୍ତି, ଯାହା କି ଏହା ପୂର୍ବରୁ କେବଳ ଜଣେ ବୋଲରଙ୍କ ନାଁରେ ଥିଲା ।  ଏମିତି ରେକର୍ଡ କରିବାରେ ବୁମରା ବିଶ୍ବର ଦୁଇ ନମ୍ବର ବୋଲର ହୋଇପାରିଛନ୍ତି । 

ଆଜି ବୁମରା ଅଷ୍ଟ୍ରେଲିଆର ବ୍ୟାଟର ଷ୍ଟିଭ୍‌ ସ୍ମିଥଙ୍କୁ ଗୋଲ୍ଡେନ ଡକ୍‌ କରାଇ ପାଭିଲିୟନ୍‌ ପଠାଇଥିଲେ । ଅର୍ଥାତ, ଷ୍ଟିଭ୍‌ ସ୍ମିଥଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ବୁମରା । ଘରୋଇ ମ୍ୟାଚ୍‌ରେ ସ୍ମିଥ ପ୍ରଥମ ଥର ଗୋଲ୍ଡେନ ଡକ୍‌ ହୋଇଛନ୍ତି । ଏହା ପୂର୍ବରୁ ସ୍ମିଥ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ଙ୍କ ଦ୍ବାରା ଗୋଲ୍ଡେନ ଡକ୍‌ର ଶିକାର ହୋଇଥିଲେ । ଦୁଇ ଥର ଯାକ ସ୍ମିଥ ଏଲବିଡବ୍ଲୁ ଜରିଆରେ ଗୋଲ୍ଡେନ୍‌ ଡକ୍‌ ହୋଇଛନ୍ତି । 

ଆଜି ପର୍ଥ ଟେଷ୍ଟର ପ୍ରଥମ ଦିନରେ ବୁମରାଙ୍କ ପ୍ରଦର୍ଶନ ଖେଳପ୍ରେମୀଙ୍କୁ ଉତ୍ସାହିତ କରିଛି ।  ଲଗାତାର ଦୁଇଟି ବଲ୍‌ରେ ଦୁଇଟି ଓ୍ବିକେଟ ନେଇଛନ୍ତି ବୁମରା । ପ୍ରଥମେ ବାମହାତୀ ବ୍ୟାଟର ଉସମାନ୍‌ ଖ୍ବାଜାଙ୍କୁ ସେ କ୍ୟାଚ୍‌ ଆଉଟ କରାଇଥିବା ବେଳେ ଦ୍ବିତୀୟ ବଲରେ ସ୍ମିଥ୍‌ଙ୍କୁ ଖାତା ଖୋଲିବାକୁ ନଦେଇ ଗୋଲ୍ଡେନ ଡକ୍‌ କରାଇ ପାଭିଲିୟନ ଫେରାଇଥିଲେ ।  

ଟେଷ୍ଟର ପ୍ରଥମ ଦିନରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ ମାତ୍ର ୧୫୦ ରନ୍‌ରେ ସବୁ ଓ୍ବିକେଟ ହରାଇଥିଲା । ପରେ ପ୍ରଥମ ପାଳିର ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଆୟୋଜକ ଅଷ୍ଟ୍ରେଲିଆ ଆଜି ଦିନର ଖେଳ ଶେଷ ହେବାକୁ ବେଳକୁ ୬୭ ରନ୍‌ରେ ୭ ଓ୍ବିକେଟ ହରାଇଥିଲା । ସେଥିମଧ୍ୟରୁ ୪ ଓ୍ବିକେଟ ନିଜ ନାଁରେ କରିଥିଲେ ପର୍ଥ ଟେଷ୍ଟର ଭାରତୀୟ ଅଧିନାୟକ ଜସପ୍ରୀତ ବୁମରା । ଉସମାନ ଖ୍ବାଜା, ଷ୍ଟିଭ୍‌ ସ୍ମିଥ, ନାଥନ ମ୍ୟାକସ୍ବିନୀ ଏବଂ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କମିନ୍ସ, ବୁମରାଙ୍କ ବଲ୍‌ର ଶିକାର ହୋଇଥିଲେ ।