ସାଲେପୁର, ୧୫/୧୨: ଯାତ୍ରା ମଞ୍ଚସ୍ଥ ହେଉଥିବା ବେଳେ ପାର୍ଟିର ସମ୍ମୁଖରେ ଉଚ୍ଚ ଲୁହାର ଏଣ୍ଟ୍ରି ଗେଟ୍ ଭୁଶୁଡି ଚାପି ହୋଇଗଲା ୫୦ରୁ ଉର୍ଦ୍ଧ୍ୱ ଦର୍ଶକ । ଗେଟ୍ ତଳେ ମହିଳା, ପୁରୁଷ, ବୟସ୍କ ଏମିତିକି ଛୋଟ ଛୋଟ ପିଲା ମାନେ ମଧ୍ୟ ଚାପି ହୋଇ ଯାଇଥିଲେ । ଏହି ଦୁର୍ଘଟଣାରେ ୫୦ରୁ ଉର୍ଦ୍ଧ୍ୱ ଦର୍ଶକ ଆହତ ହୋଇଥିଲେ । ଏହା ପରେ ବନ୍ଦ ହୋଇଥିଲା ଯାତ୍ରା ପରିବେଷଣ । କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଠାରେ ଏଭଳି ବଡ ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ରାଇସୁଙ୍ଗାଡ଼ା ଶନି ପଡିଆ ଠାରେ ଶୁକ୍ରବାର ଠାରୁ ଯାତ୍ରା ରାଜାରାଣୀ ଯାତ୍ରା ମଞ୍ଚସ୍ଥ କରୁଥିଲା । ଶନିବାର ଅର୍ଥାତ୍ ଦ୍ଵିତୀୟ ରଜନୀରେ ନାଟକ ମଞ୍ଚସ୍ଥ ପୂର୍ବରୁ ଘଟିଥିଲା ଅଘଟଣ । ଦର୍ଶକଙ୍କ ଭିଡ ବି ପ୍ରବଳ ଥିଲା । ନାଟକ ମଞ୍ଚସ୍ତ ହେଉଥିବା ବେଳେ ଯାତ୍ରା ପାର୍ଟି ପକ୍ଷରୁ ନିର୍ମାଣ କରାଯାଇଥିବା ଏଣ୍ଟ୍ରି ଗେଟ୍ଟି ହଠାତ ଭୁଶୁଡି ପଡିଥିଲା । ଏହା ତଳେ ଚାପି ହୋଇ ପ୍ରାୟ ୫୦ଜଣରୁ ଉର୍ଦ୍ଧ ଦର୍ଶକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସାତଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହା ସହ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।