ନୂଆଦିଲ୍ଲୀ,୧୨/୧୧: ନରେଶ ଗୋଏଲଙ୍କୁ ଆଶ୍ବସ୍ତି । ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋଏଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ବେଆଇନ ଅର୍ଥ କାରବାରେ ଗିରଫ ହୋଇଥିବା ନରେଶ ଗୋଏଲଙ୍କୁ ଚିକିତ୍ସା ଆଧାରରେ ଜାମିନ ମିଳିଛି । ସେ କର୍କଟ ରୋଗରେ ପୀଡିତ ଅଛନ୍ତି ।
ସୂଚନାଅନୁସାରେ, ମନି ଲଣ୍ଡରିଂ ମାମଲରେ ୨୦୨୩ ସେପ୍ଟମ୍ବର ୧ ତାରିଖରେ ତାଙ୍କୁ ଇଡି ଗିରଫ କରିଥିଲା । କ୍ୟାନ୍ସର ଚିକିତ୍ସା ନିମନ୍ତେ ଚଳିତବର୍ଷ ମେ' ରେ ଦୁଇ ମାସ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା । ନରେଶ ଗୋଏଲ ମୁମ୍ବାଇର ଅର୍ଥର ରୋଡ ଜେଲରେ ଅଛନ୍ତି । ୭୫ ବର୍ଷୀୟ ନରେଶ ଗୋଏଲଙ୍କୁ କ୍ୟାନ୍ସର ଚିକିତ୍ସା ନିମନ୍ତେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଚଳିତବର୍ଷ ମେ' ୧୬ ତାରିଖରେ ନରେଶ ଗୋଏଲଙ୍କ ପତ୍ନୀଙ୍କ ପରଲୋକ ହୋଇଥିଲା । ସେ ଦୀର୍ଘ ଦିନ ହେବ କ୍ୟାନ୍ସରରେ ପୀଡିତ ଥିଲେ ।
୧୯୯୩ରେ ଜେଟ୍ ଏୟାରୱେଜ୍ ସ୍ଥାପନା କରିଥିଲେ ନରେଶ ଗୋଏଲ । ୨୬ ବର୍ଷ ପରେ ଆର୍ଥିକ ସମସ୍ୟା କାରଣରୁ ୨୦୧୯ରେ ଏୟାରୱେଜ ବନ୍ଦ ହୋଇଯାଇଥିଲା । ଏହାପରେ ନରେଶ ଅଧ୍ୟକ୍ଷ ପଦ ଛାଡିଥିଲେ । ଏହି ସମୟରେ ସେ କାନାଡା ବ୍ୟାଙ୍କରୁ ୫୩୮.୬୨କୋଟି ଟଙ୍କାର ଋଣ ବକେୟା ରଖିଥିଲେ। ୨୦୨୧ରେ କାନାଡା ବ୍ୟାଙ୍କ ଅଭିଯୋଗ ପରେ ୨୦୨୩ରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।