ନୂଆଦିଲ୍ଲୀ,୨୯/୦୮: ଗତ କିଛି ସପ୍ତାହ ଧରି ଝାଡ଼ଖଣ୍ଡ ରାଜନୀତିରେ ଜଣେ ନେତାଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ଏଠାରେ ଆମେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ବିଷୟରେ କହୁଛୁ। ଚମ୍ପାଇ ବର୍ତ୍ତମାନ ବିଜେପିରେ ମିଶିବାକୁ ଯାଉଛନ୍ତି। ସେ ଅଗଷ୍ଟ ୩୦ ତାରିଖରେ ଦଳରେ ଯୋଗଦେବେ। ବର୍ତ୍ତମାନ ସେ ରାଜ୍ୟସଭା ସଦସ୍ୟ ତଥା ଝଡଖଣ୍ଡର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଗରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚା (ଜେଏମଏମ) ରେ ଥାଇ ମଧ୍ୟ ଚମ୍ପାଇ ସୋରେନ କ୍ରମାଗତ ଭାବରେ ବିଜେପି ନେତାମାନଙ୍କୁ ଭେଟୁଥିଲେ।
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଚମ୍ପାଇ ସୋରେନଙ୍କ ବିଜେପି ନେତାଙ୍କ ସହିତ ମିଳାମିଶା ଉପରେ ନଜର ରଖୁଥିଲେ। କିନ୍ତୁ ସେ ଥରେ ମଧ୍ୟ ଏହି ପ୍ରସଙ୍ଗରେ କିଛି କହି ନାହାଁନ୍ତି। ଚମ୍ପାଇ ଖୋଲାଖୋଲି ଭାବରେ ଜେଏମ୍ଏମ୍ ର କାର୍ଯ୍ୟ ଶୈଳୀକୁ ବିରୋଧ କରିଥିଲେ। ସେ ମନ୍ତ୍ରୀ ପଦରେ ଥାଇ ମଧ୍ୟ ନିଜ ସରକାରକୁ କୋଣ ଅନୁକୋଣରୁ ନଜର ରଖୁଥିଲେ। ଏସବୁ ସତ୍ତ୍ବେ ହେମନ୍ତ ସୋରେନ୍ ଚମ୍ପାଇଙ୍କ ଉପରେ କୌଣସି ପ୍ରତିକ୍ରିୟା ଦେଉନଥିଲେ। ତେବେ ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନିଶ୍ଚିତ ହୋଇଛି। ଏଭଳି ପରିସ୍ଥିତିରେ ହେମନ୍ତ ସୋରେନ କାହିଁକି ଚୁପ୍ ରହିଲେ ତାହା ବର୍ତ୍ତମାନ ସାମ୍ନାକୁ ଆସିଛି।
ଚମ୍ପାଇ ସୋରେନଙ୍କ ଊପରେ କାହିଁକି ନିରବ ଥିଲେ ହେମନ୍ତ ?
ଝାଡ଼ଖଣ୍ଡ କ୍ୟାବିନେଟରେ ଥାଇ ମଧ୍ୟ ଚମ୍ପାଇ ସୋରେନ ଦଳ ତଥା ସରକାରଙ୍କ ବିରୋଧରେ କ୍ରମାଗତ ଭାବରେ ବିବୃତ୍ତି ଦେଉଥିଲେ। କିନ୍ତୁ ଏସବୁ ପରେ ନା ତାଙ୍କୁ କୌଣସି କାରଣ ନୋଟିସ ପଠାଯାଇଥିଲା, ନା ତାଙ୍କୁ ଦଳରୁ ବାହାର କରିବାର ରାସ୍ତା ଦେଖାଯାଇ ଥିଲା। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବିଜେପି ଓ ଚମ୍ପାଇ ସୋରେନ୍ ଅପେକ୍ଷା କରିଥିଲେ ଯେ, ଜେଏମଏମରୁ ତାଙ୍କୁ ବାହାର କରିବା ପାଇଁ ହେମନ୍ତ ସୋରେନ କେବେ ପଦକ୍ଷେପ ନେବେ? ଯଦ୍ଦ୍ବାରା ବିଜେପି ଓ ଚମ୍ପାଇ ଭିକ୍ଟିମ କାର୍ଡ ଖେଳିପାରିବେ। କିନ୍ତୁ ଜେଏମ୍ଏମ୍ ଏହି ସୁଯୋଗ ଦେଇନଥିଲା।
କହିରଖୁଛୁ ଯେ, ହେମନ୍ତ ସୋରେନ ବିଜେପିର ଯୋଜନାକୁ ଅନୁଭବ କରିଥିଲେ। ସେଥିପାଇଁ ସେ ଏକ ରଣନୀତି ପ୍ରସ୍ତୁତ କରିଥିଲେ ଯେ ଯଦି ଚମ୍ପାଇ ସୋରେନଙ୍କୁ ଦଳ ଛାଡିବାକୁ ହୁଏ, ତେବେ ସେ ଯାଇପାରନ୍ତି। ତାଙ୍କୁ ଦଳରୁ ବହିଷ୍କାର କରାଯିବ ନାହିଁ, ଆଉ ଏହାଦ୍ବାରା ପୀଡ଼ିତା କାର୍ଡ ଖେଳି ପାରିବେ ନାହିଁ। ଏକ କାର୍ଯ୍ୟକ୍ରମ ସମୟରେ ସିଏମ ହେମନ୍ତ କହିଛନ୍ତି ଯେ, ଝାଡ଼ଖଣ୍ଡ ହେଉଛି ବିପ୍ଳବୀଙ୍କ ରାଜ୍ୟ। ଅନେକ ଷଡଯନ୍ତ୍ରକାରୀଙ୍କୁ ଏଠାରେ ଉପଯୁକ୍ତ ଉତ୍ତର ଦିଆଯାଇଛି। ତାଙ୍କର ଏହି ପ୍ରତିକ୍ରିୟା ବିଜେପି ଆଡ଼କୁ ଥିଲା।