ନ’ ତାଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ! ଏତଲା ଦେଲେନି ପୀଡି଼ତା, ଡ୍ରାଇଭରଙ୍କୁ ଛାଡି଼ଦେଲା ପୁଲିସ

ଭୁବନେଶ୍ୱର,୦୬/୧୨: ବିଭାଗୀୟ ମୁଖ୍ୟ ଦପ୍ତର ତଥା ନ’ ତାଲା ପରିସରରେ ଜଣେ ଯୁବତୀ ଗଣଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକ୍ରମେ କ୍ୟାପିଟାଲ ଥାନା ପୁଲିସ୍ ଜଣେ ଡ୍ରାଇଭରଙ୍କୁ ଥାନାକୁ ଉଠାଇ ଆଣି ତଦନ୍ତ ଚଳାଇଥିଲା। କିନ୍ତୁ ପୀଡି଼ତା ଜଣକ ପରବର୍ତ୍ତୀ ସମୟରେ ଏତଲା ଦେବାକୁ ଅରାଜି ହେବାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।
ପୁଲିସ କହିବା ମୁତାବକ, ଜଣେ ୨୫ ବର୍ଷୀୟ ଯୁବତୀ ଥାନାରେ ଏଭଳି ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ମୁତାବକ, ସେ କୌଣସି କାମରେ ରବିବାର ନ’ ତାଲା ପରିସରକୁ ଯାଇଥିଲେ । ସେଠାରେ ଡ୍ରାଇଭରଙ୍କ ସହ ୨ଜଣ ଅଧିକାରୀ ଯୁବତୀଙ୍କୁ ପ୍ରଥମେ ଅସଦାଚରଣ କରିଥିଲେ । ଯୁବତୀ ଜଣକ ବିରକ୍ତ ହେବାରୁ ଡ୍ରାଇଭର ଓ ଅନ୍ୟମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ରବିବାର ବିଭାଗୀୟ କାର୍ଯ୍ୟାଳୟ ଛୁଟି ଥିବାରୁ ଯୁବତୀଙ୍କ ଚିତ୍କାର କାହାରିକୁ ଶୁଣାଯାଇନଥିବା ସେ ଅଭିଯୋଗ କରିଥିଲେ ।
ପୁଲିସ ଯୁବତୀଙ୍କ ଅଭିଯୋଗ ଅନୁସାରେ ସୋମବାର ସମ୍ପୃକ୍ତ ଡ୍ରାଇଭରଙ୍କୁ ଥାନାକୁ ଡକାଇଥିଲା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତାଙ୍କୁ ପଚରାଉଚରା ଜାରି ରଖିଥିଲା । ଅପରାହ୍ଣରେ ଯୁବତୀଙ୍କୁ ଏତଲା ଦେବା ପାଇଁ କୁହାଯିବାରୁ ସେ ଅରାଜି ହୋଇଥିଲେ । ଏମିତିକି ମେଡିକାଲ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଯିବାକୁ ମଧ୍ୟ ସେ ଚାହିଁନଥିଲେ । ପୁଲିସ କହିଛି, କୌଣସି ଦୁଷ୍କର୍ମ କିମ୍ବା ଅସଦାଚରଣ ମାମଲାରେ ପୀଡି଼ତାଙ୍କ ଅଭିଯୋଗ ନିହାତି ଆବଶ୍ୟକ । ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।