ସାଲେପୁର,୦୪/୦୮: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଅଘଟଣ । ଶ୍ରାବଣ ସୋମବାରରେ ମହାଦେବଙ୍କ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଚିତ୍ରୋତ୍ପଳା ନଦୀରେ ଭାସିଗଲେ ଯୁବକ । ଯୁବକ ଜଣକ ହେଲେ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗାଁର ରବୀନ୍ଦ୍ର କରଙ୍କ ପୁଅ ଆବୃତ୍ତ କୁମାର କର । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି ।
ସୂଚନା ମୁତାବକ, ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ମହାଦେବଙ୍କ ଜଳାଅଭିଷେକ କରିବା ପାଇଁ ଆଜି ସକାଳୁ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗାଁର ଆବୃତ୍ତ କର ବଟେଶ୍ୱର ଗାଁ ନିକଟରେ ଚିତ୍ରୋପଳା ନଦୀରୁ ପାଣି ଉଠାଇବାକୁ ଯାଇଥିଲେ । ପାଣି ଉଠାଇବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଓ ସାଲେପୁର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ଧରି ନଦୀ ପାଣିରେ ଖୋଜାଖୋଜି ଚଳାଇଛନ୍ତି ମଧ୍ୟ ଏପର୍ଯ୍ୟନ୍ତ ଆବୃତ୍ତଙ୍କ କୌଣସି ପତ୍ତା ମିଳିନାହିଁ ।