କଟକ,୦୯/୧୨; କ୍ରିକେଟ୍‌ପ୍ରେମୀ ମୀ ଚାତକ ପରି ଅନେଇ ବସିଛନ୍ତି । ସମୟ ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଦୀର୍ଘ ପ୍ରତୀକ୍ଷାରେ ଘଟିବ ଅନ୍ତ । ଦର୍ଶକ ହେବେ ମତୁଆଲା । ଛକା, ଚୌକାରେ ଉଛୁଳି ପଡ଼ିବ ବାରବାଟୀ । ପ୍ରକମ୍ପିତ ହେବ ଷ୍ଟାଡିୟମ, ରଙ୍ଗୀନ ଆଲୋକମାଳେ ଝଲସି ଉଠିବ ସାରା ଆକାଶ । ପ୍ରାୟ ୧୦ ମାସର ବ୍ୟବଧାନ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା । ରାତି ୭ଟାରୁ ଆରମ୍ଭ ହେବ ମୁକାବିଲା । ମ୍ୟାଚ ଦେଖିବାକୁ ଚାହିଁ ବସିଛି କ୍ରିକେଟପ୍ରେମୀ । ତେବେ ଜାଣନ୍ତୁ କେବେ କେବେ ମ୍ୟାଚରେ ବିବାଦ ମୁଣ୍ଡଇଥିଲା ବାରବାଟୀ କ୍ରିକେଟ ଷ୍ଟାଡିୟମ ।

ଫ୍ଲଡ୍ ଲାଇଟ୍ ସମସ୍ୟା

ଫେବ୍ରୁଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚରେ ହଠାତ ଫ୍ଲଡ୍ଲାଇଟ ଲିଭି ଯିବା ପ୍ରସଙ୍ଗକୁ ନେଇ ଓସିଏକୁ ବହୁ ଅପଦସ୍ତ ହେବାକୁ ପଡ଼ିଥିଲା । ଭାରତୀୟ ଇନିଂସ ସମୟରେ ସନ୍ଧ୍ୟା ୬ଟା ୧୫ ମିନିଟ ବେଳକୁ ଫ୍ଲଡଲାଇଟ୍ ବନ୍ଦ ହୋଇଯାଇଥିଲା । ଖେଳ ୩୦ ମିନିଟରୁ ଊଦ୍ଧ୍ୱ ସମୟ ଧରି ବନ୍ଦ ରହିଥିଲା । ଜେନେରେଟର ଫେଲ ମାରିବାରୁ ଏଭଳି ସମସ୍ୟା ଦେଖା ଦେଇଥିଲା । ଯାହାବି ହେଉ, ଜେନେରେଟର ପୁନଃ ସଂଯୋଗ ହେବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା । କିନ୍ତୁ ଷ୍ଟାଡିୟମରେ ଉପସ୍ଥିତ ୪୫ ହଜାରରୁ ଊଦ୍ଧ୍ୱ ଦର୍ଶକ ଫ୍ଲଡଲାଇଟ ସମସ୍ୟା ଯୋଗୁ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥର ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟିରେ ଯେମିତି ପୂର୍ବ ସମସ୍ୟା ଦେଖା ନଯାଏ, ସେନେଇ ଓସିଏ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପାଣିବୋତଲ ମାଡ଼

୨୦୧୫ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟିକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା, ତାହା ଦୀର୍ଘ ସମୟ ଧରି କାଏମ୍ ରହିପାରି ନଥିଲା । ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଦର୍ଶକ ଅସନ୍ତୁଷ୍ଟ ହୋଇଥିଲେ । ଫଳରେ ଗ୍ୟାଲେରୀରୁ ପାଣିବୋତଲ ଓ ପାଉଚ୍ ମାଡ଼ ହୋଇଥିଲା । ଏହାକୁ ନେଇ ପ୍ରାୟ ୨୦ମିନିଟ୍ ଖେଳ ବନ୍ଦ ରହିଥିଲା । ପଡ଼ିଆ ମଝିରେ ଖେଳାଳି ମାନେ ବସିରହି ଲୋକଙ୍କ ଉତ୍ପାତ ଦେଖିଥିଲେ । ଏମିତିକି କିଛି ଖେଳାଳି ପଡ଼ିଆରୁ ରହି ଦର୍ଶକଙ୍କୁ ପାଣିବୋତଲ ମାଡ଼ ନକରିବାକୁ ହାତ ଯୋଡ଼ି ଅନୁରୋଧ କରିଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍‌କୁ ବିସିସିଆଇ ଆଗରେ ନତମସ୍ତକ ହେବାକୁ ପଡ଼ିଥିଲା । ଭାଷ୍ୟକାର ଭାବେ ବାରବାଟୀ ଆସିଥିବା ସୁନୀଲ ଗାଭାସ୍କର କହିଥିଲେ, ‘ଏଭଳି ଭେନ୍ୟୁକୁ ଆଉ ଅନ୍ତର୍ଜାତୀୟ ମ୍ୟାଚ ନଦିଆଯାଉ’ 

ଅଭ୍ୟାସରେ ପାଣ୍ଡ୍ୟା ଅନୁପସ୍ଥିତ

ସାମ୍ବାଦିକ ସମ୍ମିଳନୀ ପରେ ସୋମବାର ଅପରାହ୍ଣ ୧ଟା ୩୦ରୁ ୪.୩୦ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଅଭ୍ୟାସ କରିଥିଲେ । ଏହାପରେ ସେମାନେ ଭୁବନେଶ୍ୱର ଫେରିଥିଲେ । ଦକ୍ଷିଣ ଆଫ୍ରିକା ଦଳର ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ ପରେ ୫ଟା.୩୦ ମିନିଟ୍‌ ଅଭ୍ୟାସ କରିଥିଲା । ଦଳ ୮ଟା.୩୦ ପର୍ଯ୍ୟନ୍ତ ଅଭ୍ୟାସ କରି ଫେରି ଆସିଥିଲା । ତେବେ ରବିବାର ସନ୍ଧ୍ୟାରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀରେ ଅଭ୍ୟାସ କରିଥିଲେ । ତେଣୁ ସୋମବାର ଦଳ ସହ ପଡ଼ିଆରେ ଦେଖିବାକୁ ତାଙ୍କୁ ମିଳି ନଥିଲେ । ହୁଏତ ପାଣ୍ଡ୍ୟା ବିଶ୍ରାମ ନେଇଥିବା ଅନୁମା କରାଯାଉଛି ।

ଟିକେଟ୍ ଦର ଆକାଶ ଛୁଆଁ

୧୧୦୦ ଟଙ୍କାରେ କିଣାଯାଇଥିବା ଗ୍ୟାଲେରୀ ଟିକେଟ୍ ଏବେ ୬ହଜାରରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି । ୯୦୦ ଟଙ୍କିଆ ଟିକେଟର ମୂଲ୍ୟ ବି ୫ହଜାରରୁ କମ୍ ମୂଲ୍ୟରେ ଯାଉନି । ସବୁଥର ପରି ବାରବାଟୀ ମୁକାବିଲାରେ ଏଥର ବି ଟିକେଟ କଳାବଜାରି ଜୋରଦାର ଚାଲିଛି । ୬ହଜାର ଟଙ୍କା ମୂଲ୍ୟର ସ୍ପେଶିଆଲ ଏନକ୍ଲୋଜର ଟିକେଟକୁ ୧୦ରୁ ୧୨ହଜାର ଟଙ୍କାରେ କିଣିବାକୁ ପଛାଉନାହାନ୍ତି କ୍ରିକେଟପ୍ରେମୀ । ଅନ୍ୟ ପଟରେ ସାମ୍ବାଦିକଙ୍କ ନିମନ୍ତେ ଉଦ୍ଦିଷ୍ଟ ଅପର-ପ୍ରେସବକ୍ସ କମ୍ପ୍ଲିମେଣ୍ଟାରୀକୁ ମଧ୍ୟ କଳାବଜାରି ଦ୍ୱରା ବିକ୍ରି କରାଯାଉଥିବା ନଜିର ରହିଛି । ଏ ଦିଗରେ ପୁଲିସ, ପ୍ରଶାସନର ତିଳେ ହେଲେ ଦୃଷ୍ଟି ରହୁନାହିଁ ।