କୋଲକାତା,୨୭/୦୮: କୋଲକାତା ଦୁଷ୍ମର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଡାକ୍ତରଙ୍କ ପରେ ବର୍ତ୍ତମାନ ଛାତ୍ର ସଂଗଠନ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ବାନ କରିଛି। ଏହାକୁ ଦୃଷ୍ଟିରେ ରଖି କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହାରି ଭିତରେ କୌଣସି ହିଂସା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ହାଇ ଆଲର୍ଟ ମୋଡ୍ରେ ଥିବା ଜଣାପଡିଛି। ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ଅଭିମୁଖେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ନବନ୍ନୋ ହେଉଛି ରାଜ୍ୟ ସଚିବାଳୟ, ଯେଉଁଠାରୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟ କରନ୍ତି। ନବନ୍ନୋରେ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀ ରୁହନ୍ତି।
କୋଲକାତାରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ଦାବି:
ଅଗଷ୍ଟ ୯ ରେ କୋଲକାତାର ଆର.ଜି କର ମେଡିକାଲ କଲେଜରେ ୩୧ ବର୍ଷ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏକ ପଞ୍ଜୀକୃତ ହୋଇନଥିବା ଛାତ୍ର ସଂଗଠନ ଆଜି ଏକ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି। ପୋଲିସ କହିଛି ଯେ,' ଏମାନେ ଭଲ ନାଗରିକଙ୍କ କ୍ରୋଧର ଅପବ୍ୟବହାର କରି ରାଜ୍ୟରେ ଅସୁବିଧା ଏବଂ ଅରାଜକତା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।
କୋଲକାତା ପୋଲିସ ଦାବି କରିଛି ଯେ ସେମାନେ ସୂଚନା ପାଇଛନ୍ତି ଯେ "ନବନ୍ନୋ ଅଭିଜାନ" ପାଇଁ ଡାକରା ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପଞ୍ଚ ତାରକା ହୋଟେଲରେ ଏକ ରାଜନୈତିକ ଦଳର ନେତାଙ୍କୁ ଭେଟିଛନ୍ତି। ପୋଲିସ୍ ଦାବି କରିଛି ଯେ ବହୁ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି କରିବା ପାଇଁ ଏପରି ଷଡ଼ଯନ୍ତ୍ର ପୋଲିସକୁ ବଳ ପ୍ରୟୋଗ କରିବାକୁ ପ୍ରୋତ୍ସାହିତ କରିଛି।
ବିରୋଧ ପଦଯାତ୍ରା ପୂର୍ବରୁ କଡ଼ା ସୁରକ୍ଷା:
ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୬୦୦୦ ରୁ ଅଧିକ ପୋଲିସ ନିୟୋଜିତ ହୋଇଛନ୍ତି। ବ୍ୟାରିକେଡ ପାଇଁ ୧୯ ଟି ପଏଣ୍ଟ ଚିହ୍ନଟ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ପୋଲିସ କମିଶନର ନିୟୋଜିତ ହେବେ। ହାଷ୍ଟିଙ୍ଗସ୍, ଫୁରଲଙ୍ଗ ଗେଟ୍, ଷ୍ଟ୍ରାଣ୍ଡ୍ ରୋଡ୍ ଏବଂ କୋଲକାତାର ଟ୍ବିନ ସିଟି ହାଓ୍ବଡ଼ା ଭଳି ସ୍ଥାନରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହେବା ସହ ବ୍ୟାରିକେଡିଂ ରହିଛି।
'ନବନ୍ନୋ' ଅଭିଯାନକୁ ନେଇ ଟିଏମ୍ସି-ବିଜେପି ମୁହାଁମୁହିଁ:
"ନବନ୍ନୋ ଅଭିଜାନ" ସମ୍ପର୍କରେ ଟିଏମ୍ସି ବିଜେପି ଉପରେ ବର୍ଷିିଛି। ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ରକ୍ଷା କରିବା ପାଇଁ ପୋଲିସର ସାହାଯ୍ୟ ନେଉଛନ୍ତି ବୋଲି ବିଜେପି ଦାବି କରିଛି। ବିକ୍ଷୋଭ ମଧ୍ୟରେ ପୋଲିସ କହିଛି ଯେ UGCNET ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୋଲିସ୍ କହିଛି ଯେ ଛାତ୍ର ସଂଗଠନ ବୋଲି ଦାବି କରୁଥିବା ଏକ ସଂଗଠନ UGCNET ପରୀକ୍ଷା ଦିନ ବ୍ୟାଘାତ ସୃଷ୍ଟି କରିବାକୁ ଯୋଜନା କରୁଥିବାବେଳେ ହଜାର ହଜାର ଛାତ୍ରଛାତ୍ରୀ ସହରର ବିଭିନ୍ନ କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯିବେ।