ଭୁବନେଶ୍ୱର,୨୯/୦୮: ମହିଳା ଇନ୍ସପେକ୍ଟରଙ୍କ ଘରେ ଉତ୍ପାତ କରିବା ଘଟଣା ବରିଷ୍ଠ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଅଡୁଆରେ ପକାଇଛି । ଗୃହ ବିଭାଗ ଶ୍ରୀ ପଣ୍ଡିତଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ତାଙ୍କ ନାଁରେ ବିଭାଗୀୟ ଚାର୍ଜସିଟ୍ ଦାଖଲ କରାଯାଇଛି ।
ତାଙ୍କୁ ୩୦ଦିନ ମଧ୍ୟରେ ଲିଖିତ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ପଣ୍ଡିତ ଗତ ଜୁଲାଇ ୨୭ ତାରିଖ ରାତିରେ ୟୁନିଟ୍-୧ରେ ରହୁଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ ଯାଇ ଦୁର୍ବ୍ୟବହାର କରିଥିଲେ। ସେଠାରେ ମହିଳା ପୁଲିସ ଅଧିକାରୀଙ୍କ ସ୍ୱାମୀଙ୍କ ସହ ତାଙ୍କର ବଚସା ହୋଇଥିଲା । ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କ ଭାଇ (କନଷ୍ଟେବଳ) ପିସିଆରକୁ କଲ୍ କରିଥିଲେ । ଏସ୍ଆଇ ପାହ୍ୟାର ଦୁଇଜଣ ପୁଲିସ ଅଧିକାରୀ ପହଞ୍ଚି ଶ୍ରୀ ପଣ୍ଡିତଙ୍କୁ ବୁଝାସୁଝା କରି ସେଠାରୁ ନେଇଯାଇଥିଲେ ।
ଏନେଇ କ୍ୟାପିଟାଲ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଗତ ଜୁଲାଇ ୨୯ରେ ଏକ ଗୁପ୍ତ ରିପୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ପଠାଇଥିଲେ । ସେହି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ଗୁରୁତ୍ୱର ସହ ନେଇ ଶ୍ରୀ ପଣ୍ଡିତଙ୍କୁ ତତ୍କାଳ ଅଗ୍ନିଶମ ଡିଜି ପଦରୁ ନିଲମ୍ୱନ କରିଥିଲେ । ଘଟଣାର ମାସକ ପରେ ଗୃହ ବିଭାଗ ନିକଟରେ ବିଭାଗୀୟ ଚାର୍ଜସିଟ୍ ଦାଖଲ ହୋଇଛି । ୩୦ ଦିନ ମଧ୍ୟରେ ପକ୍ଷ ରଖିବାକୁ ତାଙ୍କୁ କୁହାଯାଇଛି । ଯଦି ସେ ଉପସ୍ଥିତ ହୋଇ ବା ଲିଖିତ ଆକାରରେ ପକ୍ଷ ନ ରଖନ୍ତି ତେବେ ସର୍ବଭାରତୀୟ ସେବା ରୁଲ୍ସ-୧୯୬୯ର ରୁଲସ୍-୩ ଓ ୧୮ ଆଧାରରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।
ଜଣେ ଆଇପିଏସ୍ ଅଧିକାରୀ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଉତ୍ପାତ କଲେ । ଭୟରେ ମହିଳା ପୁଲିସ୍ ଏତଲା ଦେଲେ ନାହିଁ । ଏହି ଘଟଣାରେ କମିଶନରେଟ୍ ପୁଲିସ୍ ନିଜ ଆଡୁ ମାମଲା ରୁଜୁ କରିପାରିବ । ହେଲେ ପୁଲିସ୍ ମାମଲା ରୁଜୁ କଲା ନାହିଁ । ଘଟଣା ବିଷୟରେ ଡିଜିପି ତଦନ୍ତ କରି ରିପୋର୍ଟ ଦେଲା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଡିଜିପିଙ୍କ ରିପୋର୍ଟ ସତ୍ତେ୍ୱ କମିଶନରେଟ୍ ପୁଲିସ୍ ମାମଲା ରୁଜୁ ନ କରି ଚୁପ୍ ରହିଛି।