ଆବୁଧାବି,୦୮/୧୨: ସିଜନର ଅନ୍ତିମ ତଥା ୨୪ତମ ଫର୍ମୁଲା ୱାନ ରେସ୍ ଆବୁଧାବି ଗ୍ରାଁପ୍ରିରେ ମ୍ୟାକ ଲରେନ ଚାଳକ ଲାଣ୍ଡୋ ନୋରିସ ତୃତୀୟ ସ୍ଥାନରେ ରହି ଶେଷରେ ନୂଆ ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ରେଡ୍ ବୁଲର ମ୍ୟାକ୍ସ ଭର୍ଷ୍ଟାପେନ ରେସ୍ ବିଜୟୀ ହୋଇଥିଲେ ବି ସେ ମାତ୍ର ୨ ପଏଣ୍ଟ ପଛରେ ରହି ବିଶ୍ୱ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲେ । ସିଜନରେ ୨୪ଟି ରେସରୁ ନୋରିସ ମୋଟ୍ ୪୨୩ ପଏଣ୍ଟ ସହ ପ୍ରଥମ, ଭର୍ଷ୍ଟାପେନ ୪୨୧ ପଏଣ୍ଟ ସହ ଦ୍ୱିତୀୟ ଏବଂ ଓସ୍କାର ପିଆଷ୍ଟ୍ରି ୪୧୦ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଥିଲେ । ବ୍ରିଟେନର ପୂର୍ବତନ ବିଶ୍ୱ ଚାମ୍ପିଅନ ଲୁଇସ ହାମିଲଟନ ୧୫୬ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଥିଲେ । ହାମିଲଟନଙ୍କ ପରେ ୨୬ ବର୍ଷୀୟ ନୋରିସ ବ୍ରିଟେନର ନୂଆ ବିଶ୍ୱ ବିଜେତା ହୋଇଛନ୍ତି ।

ଆବୁ ଧାବିରେ ୫୮ ଲାପ୍ ବିଶିଷ୍ଟ ରେସକୁ ରେଡବୁଲ ଚାଳକ ଭର୍ଷ୍ଟାପେନ ୧:୨୬:୦୭.୪୬୯ ଟାଇମିଂ ସହ ପ୍ରଥମ (୨୫ ପଏଣ୍ଟ), ମ୍ୟାକ ଲରେନ ଚାଳନ ପିଆଷ୍ଟ୍ରି (+୧୨.୫୯୪) ଦ୍ୱିତୀୟ (୧୮ ପଏଣ୍ଟ) ଏବଂ ନୋରିସ (+୧୬.୫୭୨) ତୃତୀୟ (୧୫ ପଏଣ୍ଟ) ସ୍ଥାନ ହାସଲ କରିଥିଲେ । ରେସ୍‌ରେ ଯଦି ନୋରିସ ଆଉ ଗୋଟିଏ ସ୍ଥାନ ତରେ ରହିଥାନ୍ତେ, ତେବେ ସେ ଚାମ୍ପିଅନ ହୋଇପାରି ନଥାନ୍ତେ । କାରଣ ଚତୁର୍ଥ ସ୍ଥାନରେ ରହିଥିଲେ ତାଙ୍କୁ ୧୨ ପଏଣ୍ଟ ମିଳିଥାନ୍ତା । ବିଶ୍ୱ ଚାମ୍ପିଅନ ହେବା ପରେ ନୋରିସ ଭାବବିହ୍ୱଳ ହୋଇ ପଡ଼ିଥିଲେ । ସେ ଭଗବାନ, ନିଜ ଟିମ୍ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ।