ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଧୂଳିକଣାଠାରୁ ହୀନ...

ଭୁବନେଶ୍ୱର: କୁହାଯାଇଥାଏ ଯେ, ସୃଷ୍ଟିର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ହେଲା ମଣିଷ । ହେଲେ ମୋ ମତରେ ସୃଷ୍ଟିର ସବୁଠାରୁ ଅହଙ୍କାରୀ ପ୍ରାଣୀ ହେଲା ମଣିଷ । ଏଇଟା ବୋଧହୁଏ ବେଶୀ ପ୍ରଯୁଜ୍ୟ ହେବ ମଣିଷ କ୍ଷେତ୍ରରେ । ପଶୁ ପକ୍ଷୀଙ୍କ ପାଖରେ ଏହି ଅହଙ୍କାର ଗୁଣଟି ଆଦୌ ନଥାଏ ବୋଲି ସେମାନଙ୍କର ଜୀବନ ଅତ୍ୟନ୍ତ ସରଳ ସ୍ୱାଭାବିକ । ହେଲେ, ମଣିଷଙ୍କ କ୍ଷେତ୍ରରେ ଜୀବନ ଅତ୍ୟନ୍ତ ଜଟିଳ ଏବଂ ଅସ୍ୱାଭାବିକ । ଆଉ ସାଧାରଣ ମଣିଷ ଯେତିକି ଅହଙ୍କାରୀ ହୋଇନଥାଏ ସଂସାରରେ ସବୁଠାରୁ ଅହଙ୍କାରୀ ହେଉଛନ୍ତି ପଣ୍ଡିତ ଆଉ ଧର୍ମଗୁରୁମାନେ । ଏମାନଙ୍କର ଅହଙ୍କାର ହେଲା ଯେ, ଏମାନେ ସବୁଠାରୁ ବଡ଼ ଜ୍ଞାନୀ ଗୁଣୀ । ଏମାନଙ୍କ ମୁହଁରେ ବେଦ ଉପନିଷଦ । ସାଧାରଣ ମଣିଷ ଠାରୁ ସମାଜରେ ଏମାନଙ୍କ ସ୍ଥାନ କୁଆଡ଼େ ବହୁ ଉଚ୍ଚରେ । ଏପରି ହୋଇନଥିଲେ ଧର୍ମଗୁରୁ ହୁଅନ୍ତୁ କି ଶଙ୍କରାଚାର୍ଯ୍ୟମାନେ ଉଚ୍ଚ ଚୌକିରେ ବସି ଧର୍ମବାଣୀ ଶୁଣାଉ ନଥାନ୍ତେ । ସତେ ଯେମିତି ଅନ୍ୟାନ୍ୟ ମଣିଷଙ୍କ ସହ ସମାନ୍ତରାଳ ଆସନରେ ବସିଲେ ଏମାନଙ୍କର ଗାରିମା କମିଯିବ । ତା’ ଅର୍ଥ- ଏମାନଙ୍କର ଗାରିମା ଏମାନଙ୍କ ବ୍ୟକ୍ତିତ୍ୱ ପାଇଁ ନୁହେଁ ବରଂ ଉଚ୍ଚ ଆସନରେ ବସିଲେ ଯାଇ ଏମାନଙ୍କ ଗରିମା ବଢ଼ିଥାଏ ଓ ଅହଙ୍କାରର ପୂର୍ତ୍ତି ହୋଇଥାଏ । ପାଣ୍ଡିତ୍ୟର ଅହଙ୍କାରରେ ଉବୁଟୁବୁ ହେଉଥିବା ଏହିସବୁ ଧର୍ମଗୁରୁମାନେ ଜାଣି ପାରନ୍ତି ନାହିଁ ଯେ, ଏ ବିଶ୍ୱ ବ୍ରହ୍ମାଣ୍ଡରେ ମଣିଷର ଅସ୍ତିତ୍ୱ ଧୂଳିକଣା ଠାରୁ ବି ହୀନ ।

ଜଣେ ଧର୍ମଗୁରୁ ଗୋଟିଏ ରାତିରେ ସ୍ୱପ୍ନ ଦେଖିଲା । ଦେଖିଲା- ସେ ସ୍ୱର୍ଗର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଜୀବନସାରା ସେ ଲୋକଙ୍କୁ କେବଳ ସ୍ୱର୍ଗ ନର୍କର କଥା କହିଥିଲା । ସ୍ୱର୍ଗକୁ କିପରି ଯାଇପାରିବ ତାର ନକ୍ସା ବତେଇଥିଲା । ତେଣୁ ସେ ନିଶ୍ଚିନ୍ତ ଥିଲା ଯେ, ଯେବେ ସେ ସ୍ୱର୍ଗଦ୍ୱାର ପାଖରେ ପହଞ୍ଚିଯିବ ସ୍ୱୟଂ ପରମାତ୍ମା ତାକୁ ସ୍ୱାଗତ କରିବାକୁ ଛିଡ଼ା ହୋଇଥିବେ । କିନ୍ତୁ ସେ ଦେଖିଲା ଦୁଆର ମୁହଁରେ କେହିବି ନଥିଲେ । ଦୁଆର ବି ବନ୍ଦ ଥିଲା । ଆଉ ଦୁଆର ଏତେ ବଡ଼ ଥିଲା ଯେ, ସେ ଦୁଆର ସାମ୍ନାରେ ଧର୍ମଗୁରୁ ପିମ୍ପୁଡ଼ିଟିଏ ଛିଡ଼ା ହେବା ପରି ଲାଗିଲା । ସେ ଦୁଆରକୁ ଜୋରରେ ବାଡ଼େଇଲା । ବଡ଼ ପାଟିରେ ଡାକିଲା । ହେଲେ କେହି ଆସିଲେ ନାହିଁ । ସେ ବିଚରା ବହୁତ ଡରିଗଲା । ସେ ଜୀବନସାରା ଲୋକଙ୍କୁ ବୁଝାଇଥିଲା ପରମାତ୍ମା ନିଜ ଚେହେରା ଅନୁଯାୟୀ ମଣିଷକୁ ତିଆରି କରିଛନ୍ତି । ଅଥଚ ଆଜି ଏ ସ୍ୱର୍ଗର ଦ୍ୱାର ସାମ୍ନାରେ ଛିଡ଼ା ହେଇ ସେ ଏତେ ଛୋଟ ବୋଲି ମାଲୁମ ହେଉଛି । ବହୁତ ବାଡ଼ାବାଡ଼ି କଲାପରେ ସେ ବିରାଟ କବାଟରୁ ଛୋଟ ଏକ ଝରକା ଖୋଲିଲା । କେହି ଜଣେ ତା’ ଭିତରୁ ତା’ ମୁଣ୍ଡ କାଢ଼ି ଚାହିଁଲା । ତାର ହଜାରେ ଆଖି ଥିଲା ଆଉ ପ୍ରତି ଆଖିରୁ ଏପରି ରୋଷଣୀ ବାହାରୁଥିଲା, ଯାହାକୁ ଦେଖି ଧର୍ମଗୁରୁ ଗୋଟେ କୋଣରେ ଲୁଚିଗଲା । କହିଲା- ହେ ପରମାତ୍ମା, କୃପାକରି ଆପଣଙ୍କ ଚେହେରା ଭିତରେ ରଖନ୍ତୁ । ମୁଁ ବହୁତ ଡରି ଗଲିଣି । ସେହି ହଜାରେ ଆଖିବାଲା ବ୍ୟକ୍ତିଟି କହିଲା- ମୁଁ ପରମାତ୍ମା ନୁହେଁ । ମୁଁ ତ କେବଳ ଏଠାର ଦ୍ୱାରପାଳ । ତେବେ ତୁମେ କେଉଁଠି ଅଛ? ମୁଁ ତୁମକୁ ଦେଖିପାରୁନି । ଧର୍ମଗୁରୁ ବଡ଼ ପାଟିରେ କହିଲା- ମୁଁ ପରମାତ୍ମାଙ୍କୁ ଦର୍ଶନ କରିବାକୁ ଚାହୁଁଛି । ସ୍ୱର୍ଗରେ ପ୍ରବେଶ କରିବାକୁ ଚାହୁଁଛି । ଦ୍ୱାରପାଳ ପଚାରିଲା- ତୁମେ କିଏ ଆଉ କେଉଁଠାରୁ ଆସିଛ? ଏକଥା ଶୁଣି ଧର୍ମଗୁରୁ କହିଲା- ଆପଣ ଜାଣି ନାହାଁନ୍ତି? ମୁଁ ଜଣେ ଧର୍ମଗୁରୁ ଏବଂ ମୁଁ ପୃଥିବୀ ପୃଷ୍ଠରୁ ଆସିଛି ।

ଦ୍ୱାରପାଳ ପଚାରିଲା- ପୃଥିବୀ! ସେ ପୃଥିବୀ କେଉଁଠାରେ ଅଛି? ଧର୍ମଗୁରୁ ଆଶ୍ଚର୍ଯ୍ୟ ହେଲା । କହିଲା- ଆପଣ ପୃଥିବୀକୁ ଜାଣନ୍ତି ନାହିଁ? ସେହି ହଜାରେ ଆଖିବାଲା ଦ୍ୱାରପାଳ ପଚାରିଲା- କେଉଁ ବିଶ୍ୱର କେଉଁ ୟୁନିଭର୍ସର ପୃଥିବୀ କଥା ତୁମେ କହୁଛ । କୋଟି କୋଟି ବିଶ୍ୱ ଅଛି । କୋଟି କୋଟି ୟୁନିଭର୍ସ ଅଛି । ପ୍ରତ୍ୟେକ ବିଶ୍ୱର କୋଟି କୋଟି ସୂର୍ଯ୍ୟ ଅଛନ୍ତି । ପ୍ରତ୍ୟେକ ସୂର୍ଯ୍ୟର ନିଜସ୍ୱ ପୃଥିବୀ ଅଛି । ତୁମେ କେଉଁ ପୃଥିବୀର କଥା କହୁଛ? ତୁମ ପୃଥିବୀର ନମ୍ବର, ଇଣ୍ଡେକ୍ସ ନମ୍ବର କେତେ? ଏସବୁ ଶୁଣିଲା ପରେ ଧର୍ମଗୁରୁର ହୋସ୍‌ ଉଡ଼ିଗଲା । ସେ କହିଲା- ଆମେ ତ ଗୋଟିଏ ବିଶ୍ୱକୁ ଆଉ ଗୋଟିଏ ସୂର୍ଯ୍ୟଙ୍କୁ ଜାଣିଛୁ । ଆଉ ସେଇଥିପାଇଁ ଆମେ ଏହାର କୌଣସି ନମ୍ବର ରଖିନାହୁଁ । ଦ୍ୱାରପାଳ କହିଲା- ତେବେ ତ ତୁମ ପୃଥିବୀ ବିଷୟରେ ଜାଣିବା ବଡ଼ କାଠିକର ପାଠ । କାରଣ ମୁଁ ତ ପ୍ରଥମଥର ପାଇଁ ଏଠାରେ ପୃଥିବୀର ନାମ ଶୁଣୁଛି ଏବଂ ମଣିଷ³ ଏ ଶବ୍ଦ ବି ପ୍ରଥମଥର ପାଇଁ ଶୁଣୁଛି ।

ଧର୍ମଗୁରୁର ପ୍ରାଣ ଦବିଗଲା । ଭାବିଥିଲା ପରମାତ୍ମା ଦ୍ୱାର ମୁହଁରେ ସ୍ୱାଗତ କରିବେ । କିନ୍ତୁ ଏଠାରେ ପରମାତ୍ମା ତ ଦୂରର କଥା, ତା’ ନିଜର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠିଲାଣି । ଦ୍ୱାରପାଳ କହିଲା- ତୁମେ ଚିନ୍ତା କରନି । ମୁଁ ଆମ ଏଠାକାର ଲାଇବ୍ରେରୀରୁ ଆଗ ତୁମ ପୃଥିବୀ କେଉଁଠାରେ ଅଛି ଖୋଜିକି ବାହାର କରେ । ତେବେ ଏଥିପାଇଁ ତିନି ମାସ ଲାଗିଯିବ । ଏଠାରେ କୋଟି କୋଟି ପୃଥିବୀର ତାଲିକା ଅଛି । ତାହା ବ୍ୟତୀତ ମୋତେ ପୁଣି ଜାଣିବାର ଅଛି ତୁମେ କେଉଁଠାରୁ ଆସିଛ । ତୁମର ଜାତି କ'ଣ ଏବଂ କେଉଁ ଉଦ୍ଦେଶ୍ୟରେ ଏଠାକୁ ଅସିଛ? ଧର୍ମଗୁରୁ କହିଲା- ମୁଁ ପରମାତ୍ମାଙ୍କୁ ଦର୍ଶନ କରିବାକୁ ଆସିଛି । ମୁଁ ସମଗ୍ର ଜୀବନ ଗେରୁଆ ପିନ୍ଧିଛି । ଅରୁଆ ଖାଇଛି । ବାଳ ଦାଢ଼ି ଛାଡ଼ିଛି । ଶାସ୍ତ୍ର ପୁରାଣ ପଢ଼ିଛି, ଆଉ ପୃଥିବୀର ଲୋକେ ମୋତେ ଧର୍ମଗୁରୁ ଭାବେ ମାନିଛନ୍ତି ଇତ୍ୟାଦି ଇତ୍ୟାଦି । ଦ୍ୱାରପାଳ ହସିଲା । କହିଲା- ଅନନ୍ତ ବର୍ଷ ହେବ ମୁଁ ଏଠାରେ ଦ୍ୱାରପାଳ ଭାବେ ରହିଲିଣି । ତେବେବି ଆଜି ପର୍ଯ୍ୟନ୍ତ ମୁଁ ପରମାତ୍ମାଙ୍କର ଦର୍ଶନ ପାଇପାରି ନାହିଁ । ଆଉ ମୁଁ ଏଠାରେ କୌଣସି ବ୍ୟକ୍ତିକୁ ପରମାତ୍ମାଙ୍କ ଦର୍ଶନ କରିପାରିଥିବାର ମଧ୍ୟ ଜାଣିନାହିଁ । ପରମାତ୍ମାଙ୍କ ସମଗ୍ର ସୃଷ୍ଟିକୁ ଜାଣିନେବା କଠିନ ବ୍ୟାପାର ଅଟେ । ତା’ପରେ ପରମାତ୍ମାଙ୍କୁ ତ ଜାଣିବା ଆହୁରି କଠିନ କଥା । କାରଣ ସମଗ୍ରତାର ଅନ୍ୟ ନାମ ହେଲା ପରମାତ୍ମା । ଧର୍ମଗୁରୁର ନିଦ ଭାଙ୍ଗିଗଲା । ତା’ ଦେହ ଝାଳରେ ଲତପତ ।

ଏ କାହାଣୀ ମୁଁ ଆଜି ବର୍ଷ ଆରମ୍ଭରୁ ଏଇଥିପାଇଁ କହିଲି ଯେ, ମଣିଷ ଆଜି ପର୍ଯ୍ୟନ୍ତ ବହୁତ ବଡ଼ ଭ୍ରମରେ ଜିଇଁ ରହିଛି । ସେ ନିଜକୁ କେତେ କ’ଣ ଭାବି ନେଇଛି ତାର ହିସାବ ନାହିଁ । କିନ୍ତୁ ଯଥାର୍ଥରେ ଏହି ବିରାଟ ବିଶ୍ୱର କେଉଁ କୋଣରେ ତାର କୌଣସି ଅସ୍ତିତ୍ୱ ନାହିଁ । ଏହି ବିରାଟ ବିଶ୍ୱକୁ ଆମେ ଅନୁଭବ କରି ଏହା ସାମ୍ନାରେ ନିଜକୁ ଛିଡ଼ା କରେଇଲେ ଆମେ ଜାଣିପାରିବା ଆମର ସ୍ଥିତି କେଉଁଠାରେ? ଆମର ଏ ପୃଥିବୀ ବହୁତ ଛୋଟ । ଆମର ସୂର୍ଯ୍ୟ ଆମ ପୃଥିବୀଠାରୁ ଷାଠିଏ ହଜାର ଗୁଣରେ ବଡ଼ । ଏଇମିତି କେତେ କେତେ ପୃଥିବୀ ଆଉ ସୂର୍ଯ୍ୟ ବ୍ରହ୍ମାଣ୍ଡରେ ଅଛନ୍ତି । ତା’ ଭିତରେ ଅନନ୍ତ ଅନନ୍ତ ପ୍ରାଣୀ । ସେମାନଙ୍କ ଭିତରେ ମଣିଷ ଭଳି ଛୋଟିଆ ପ୍ରାଣୀଟିଏ । ଏ ମଣିଷ ବି କେତେବର୍ଷ ବଞ୍ଚିଥାଏ? ସତୁରି ଅଶୀ ବର୍ଷ । ଅତି ବେଶୀ ହେଲେ ଶହେ ବର୍ଷ । ଏହି ଅନନ୍ତ ବିଶ୍ୱର ବିସ୍ତାରରେ ଶହେ ବର୍ଷର କୌଣସି ଗଣନା ନାହିଁ । ମୂଲ୍ୟ ନାହିଁ । କୌଣସି ସ୍ଥାନ ନାହିଁ । ସତରେ ମୋତେ ଖୁବ୍‌ ହସ ଲାଗେ- ମହାକାଳର ଏକ ଛୋଟିଆ କ୍ଷଣରେ ମଣିଷ ଜିଇଁଯାଏ ଏବଂ କ’ଣ ନା କ’ଣ ନିଜକୁ ଭାବି ନେଇଥାଏ । ସମୟ, କାଳର କଳନାନୁଯାୟୀ ମଣିଷର ସ୍ଥିତି ସ୍ଥାୟିତ୍ୱ କିଛି ବି ନୁହେଁ ।

ତେଣୁ ଧାର୍ମିକ ବ୍ୟକ୍ତି ମୁଁ ତାକୁ କହିଥାଏ ଯିଏ ନିଜର ଏହି "କିଛି ନହେବା'ର ଅନୁଭବକୁ ଉପଲବ୍‌ଧ ହୋଇଯାଏ । ମୁଁ କିଛି ନୁହେଁ- ଏହି ଭାବ ଟିକକ ଯାହା ଭିତରେ ଉକୁଟି ଆସେ ସେ ହିଁ ଯଥାର୍ଥରେ ଜଣେ ଧାର୍ମିକ ମଣିଷ । ଧାର୍ମିକ ବ୍ୟକ୍ତି ସିଏ, ଯେ ନିଜର ଏହି ନଥିଙ୍ଗ୍‌ନେସ୍‌- କିଛି ନହେବାରକୁ ଅନୁଭବ କରିନିଏ । ଆଉ ଯେଉଁଦିନ ଏପରି ଅନୁଭବ ଆସିଯାଏ ସେହିଦିନ ଜୀବନର ବନ୍ଦ ପଡ଼ିଥିବା ଦ୍ୱାର ଖୋଲିଯାଏ ଏବଂ ଆଉ ସେହି ଖୋଲା ଦ୍ୱାରରେ ତୁମକୁ "ସେ' ସ୍ୱାଗତ କରିବାକୁ ଛିଡ଼ା ହୋଇଥାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.