ଭୁବନେଶ୍ୱର,୧୬/୦୪: ମଙ୍ଗଳବାର ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଦ୍ୱାରା ଶ୍ରୀଲିଙ୍ଗରାଜଙ୍କ ଭଜନ ମଣ୍ଡପରେ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ନୃତ୍ୟ ଗୁରୁ ପ୍ରତିଭା ପଣ୍ଡା ଏବଂ ଗଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୭୦୦ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୋମବାର ଅପରାହ୍ନରେ ପୁରୁଣା ଭୁବନେଶ୍ୱରସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀରେ ସଭାପତି ତଥା ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଭିଲାଇ ଓ ବିଶାଖାପାଟଣାର ଭାରତନାଟ୍ୟମ, ହାଇଦ୍ରାବାଦର ଓଡିଶୀ ଏବଂ ଫ୍ୟୁଜନ, ରାଉରକେଲାର ଲୋକନୃତ୍ୟ, ବର୍ଦ୍ଧମାନର ଓଡିଶୀ ସୋଲ, କୋଲକତାର କଥକ ଡ୍ୟାନ୍ସ, ରାୟପୁରର ନୃତ୍ୟ ଶ୍ରୀଧାରା,ଚୌଦ୍ୱାରର ପଦ୍ମଶ୍ରୀ ଗୁରୁ ଉଚ୍ଛବ ଦାସଙ୍କର ବିଶ୍ୱ ପ୍ରସିଦ୍ଧ ଘୋଡାନାଚ,ରାୟଗଡାର ଧେନ୍ସା ଆଦିବାସୀ ନୃତ୍ୟ, ବିଳାସପୁରର କ୍ରିଏଟିଭ,ଗଜପତି ମାହାରି ଗ୍ରୁପର ପଲ୍ଲୀନୃତ୍ୟ,ଆଠଗଡର ଲୋକନୃତ୍ୟ ଆଦି ଉକ୍ତ ମଞ୍ଚରେ ପରିବେଷଣ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ସନତ୍ ମିଶ୍ର,ଆଇଜିବୀ ଶିବାନନ୍ଦ ରାୟ, ମୁଖପାତ୍ର ଲିଙ୍ଗରାଜ ସାହୁ, ରତିକାନ୍ତ ମହାସୁଆର,ବାବନ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବ ପରିଚାଳନାରେ ରାଜ୍ୟ ପର୍ଯ୍ୟଟନ ବିଭାଗ,ସଂସ୍କୃତି ବିଭାଗ,ବିଏମସି ଏବଂ କେନ୍ଦ୍ର ପୂର୍ବାଞ୍ଚଳ ସାଂସ୍କୃତିକ ବିଭାଗ କଲିକତା ତରଫରୁ ସହଯୋଗ କରାଯିବ।