ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୮୦ ଦାଗୀ, ୩୩୮ କୋଟିପତି ପ୍ରାର୍ଥୀ

ନୂୂଆଦିଲ୍ଲୀ,୧୭/୦୫: ୨୦୨୪  ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମୋଟ  ୮୬୯ ପ୍ରାର୍ଥୀ ଲଢ଼ୁଛନ୍ତି । ୧୮୦ ଜଣ (୨୧%) ଙ୍କ ନାମରେ ଅପରାଧିକ ମାମଲା ରହିଥିବା  ବେଳେ ୩୩୮ ପ୍ରାର୍ଥୀ (୩୯%) କୋଟିପତି ।  ଏହି ପର୍ଯ୍ୟାୟରେ ଲଢ଼ୁଥିବା ମୋଟ ପ୍ରାର୍ଥୀଙ୍କ  ମଧ୍ୟରୁ ୯୨ ଜଣ ବା ୧୧% ହେଉଛନ୍ତି ମହିଳା ।  ଏ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ  ଶେଷ ହେଲାଣି । ଆସନ୍ତା ୨୦ ତାରିଖରେ ପଞ୍ଚମ  ଓ ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ  ହେବ । ଷଷ୍ଠ ପର୍ଯ୍ୟାୟ ନିମନ୍ତେ ନାମାଙ୍କନ  ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟା ଶେଷ ହୋଇଯାଇଛି । 

ଆସୋସିଏନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ  (ଏଡିଆର୍‌) ୮୬୯ ପ୍ରାର୍ଥୀଙ୍କ ମଧ୍ୟରୁ ୮୬୬  ଜଣଙ୍କର ସତ୍ୟପାଠ ବିଶ୍ଳେଷଣ କରିଛି । ଏଥିରୁ  ଜଣାପଡ଼ିଛି ଯେ ୮୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ  ବା ୨୧% ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା  ରହିଛି । ୧୪୧ (୧୬%) ପ୍ରାର୍ଥୀ ସେମାନଙ୍କ  ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବା  ଘୋଷଣା କରିଛନ୍ତି । ୬ ଜଣ ପ୍ରାର୍ଥୀଙ୍କ ବିରୋଧରେ  ହତ୍ୟା ମାମଲା ରହିଥିବା ବେଳେ ୨୧ ଜଣଙ୍କ  ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି । ମହିଳା  ବିରୋଧୀ ଅପରାଧକୁ ନେଇ ୨୪ ଜଣଙ୍କ ନାମରେ  ମାମଲା ରହିଛି । ଏହାବ୍ୟତୀତ ଘୃଣା ଭାଷଣ ସହ  ଜଡ଼ିତ ମାମଲାରେ ୧୬ ଜଣଙ୍କ ନାମ ରହିଛି ।  ୧୨ ଜଣ ପ୍ରାର୍ଥୀ ନିଜ ନିଜ ମାମଲାରେ ଦୋଷୀ  ସାବ୍ୟସ୍ତ ହୋଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି । 

ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ଷଷ୍ଠ ପର୍ଯ୍ୟାୟରେ ଲଢ଼ୁଥିବା କୋଟିପତି ପ୍ରାର୍ଥୀଙ୍କର  ହାରାହାରି ସମ୍ପତ୍ତି ମୂଲ୍ୟ ୬.୨୧ କୋଟି ଟଙ୍କା ।  ହରିଆଣାର କୁରୁକ୍ଷେତ୍ର ଲୋକସଭା ଆସନରୁ  ବିଜେପି ଟିକଟରେ ଲଢ଼ୁଥିବା ଶିଳ୍ପପତି ନବୀନ  ଜିନ୍ଦଲ ସବୁଠୁ ଧନୀ । ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ  ୧,୨୪୧ କୋଟି ଟଙ୍କା ରହିଥିବା ସେ ଘୋଷଣା  କରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଥିବା  ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କର ୪୮୨ କୋଟି  ଟଙ୍କାର ସମ୍ପତ୍ତି ରହିଛି । କୁରୁକ୍ଷେତ୍ରରୁ ଲଢ଼ୁଥିବା  ଆପ୍‌ ପ୍ରାର୍ଥୀ ସୁଶୀଲ ଗୁପ୍ତାଙ୍କର ୧୬୯ କୋଟି  ଟଙ୍କାର ସମ୍ପତ୍ତି ରହିଛି । ସେ ତୃତୀୟ ଧନୀ  ବିବେଚିତ ହୋଇଛନ୍ତି । ଏହି ପର୍ଯ୍ୟାୟରେ ୩ ଜଣ  ପ୍ରାର୍ଥୀଙ୍କ ସମ୍ପତ୍ତି ମୂଲ୍ୟ ୨ ଟଙ୍କାରୁ ୨ ହଜାର ଟଙ୍କା  ମଧ୍ୟରେ ଥିବା ଦର୍ଶାଇଛନ୍ତି । ଏମାନଙ୍କ ସମ୍ପତ୍ତି  ମୂଲ୍ୟ ଯଥାକ୍ରମେ ୨ ଟଙ୍କା, ୧,୬୮୬ ଟଙ୍କା ଓ ୨  ହଜାର ଟଙ୍କା ରହିଛି । ରୋହତକରୁ ସ୍ୱାଧୀନ ପ୍ରାର୍ଥୀ  ଭାବେ ଲଢ଼ୁଥିବା ରଣଧୀର ସିଂହଙ୍କ ପାଖରେ ୨  ଟଙ୍କାର ସମ୍ପତ୍ତି ଥିବା ବେଳେ ପ୍ରତାପଗଡ଼ରୁ  ଲଢ଼ୁଥିବା ଏସ୍‌ୟୁସିଆଇ (ସି) ପ୍ରାର୍ଥୀ  ରାମକୁମାର ଯାଦବଙ୍କ ପାଖରେ ୧,୬୮୬ ଟଙ୍କାର  ସମ୍ପତ୍ତି ଥିବା ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି । 

ଷଷ୍ଠ ପର୍ଯ୍ୟାୟରେ ଲଢ଼ୁଥିବା ବିଜେପିର  ମୋଟ ୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ଜଣଙ୍କ ନାମରେ  ଅପରାଧିକ ମାମଲା ଥିବା ବେଳେ କଂଗ୍ରେସର ୨୫  ଜଣଙ୍କ ମଧ୍ୟରୁ ୮, ସପାର ୧୨ରୁ ୯, ଟିଏମ୍‌ସିର  ୯ରୁ ୪, ଆପ୍‌ର ୫ରୁ ୪ ଏବଂ ଆରଜେଡିର  ୪ରୁ ୪ ଜଣଙ୍କ ନାମରେ ଅପରାଧିକ ମାମଲା  ରହିଛି । ୧୨୦ ପ୍ରାର୍ଥୀଙ୍କ ସମ୍ପତ୍ତି ମୂଲ୍ୟ ୫ କୋଟି ଓ  ତା’ଠାରୁ ଅଧିକ ରହିଥିବା ବେଳେ ୧୧୪ ଜଣଙ୍କ  ପାଖରେ ୨ରୁ ୫ କୋଟି ଟଙ୍କାର ସମ୍ପତ୍ତି ରହିଛି ।  ୧୯୧ ଜଣଙ୍କ ପାଖରେ ୫୦ ଲକ୍ଷରୁ ୨ କୋଟି  ଏବଂ ୨୨୦ ଜଣଙ୍କ ପାଖରେ ୧୦ ଲକ୍ଷରୁ ୫୦  ଲକ୍ଷ ଓ ୨୨୧ ଜଣଙ୍କ ପାଖରେ ୧୦ ଲକ୍ଷ ଟଙ୍କାରୁ  କମ୍‌ ସମ୍ପତ୍ତି ରହିଛି । ୩୩୨ ପ୍ରାର୍ଥୀ (୩୮%)  ପଞ୍ଚମ ଓ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି । ୪୮୭  (୫୬%) ପ୍ରାର୍ଥୀ ନିଜ ଶିକ୍ଷାଗତ ଯୋଗ୍ୟତା  ସ୍ନାତକ ଓ ତା’ଠାରୁ ଅଧିକ ଦର୍ଶାଇଛନ୍ତି । ୨୨  ପ୍ରାର୍ଥୀ ଡିପ୍ଲୋମାଧାରୀ । ୧୩ ପ୍ରାର୍ଥୀ ନିରକ୍ଷର ।  ୨୭୧ ଜଣଙ୍କ ବୟସ ୨୫ରୁ ୪୦ ବର୍ଷ ହୋଇଥିବା  ବେଳେ ୪୩୬ ଜଣଙ୍କ ବୟସ ୪୧ରୁ ୬୦ ବର୍ଷ  ରହିଛି । ୫୯ ପ୍ରାର୍ଥୀଙ୍କ ବୟସ ୬୧ରୁ ୮୦ ବର୍ଷ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.