ପୁରୀ,୦୪/୦୬: ଶୁକ୍ରବାର ସନ୍ଧ୍ୟା ଦର୍ଶନ । ଭକ୍ତମାନେ ଗୁଣ୍ଡିଚା ଘରେ ଚଳିତ ବର୍ଷ ପାଇଁ ଠାକୁରଙ୍କ ଶେଷ ଆଡ଼ପ ଦର୍ଶନ ଲଭିବେ । ଏଣୁ ଶରଧାବାଲିରେ ଲାଗିବ ଭକ୍ତମାନଙ୍କ  ପ୍ରବଳ ଭିଡ଼ । ଶୃଙ୍ଖଳିତ ଦର୍ଶନ ପାଇଁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ  ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ପ୍ରାତଃ  ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା  ଘରେ ଠାକୁରଙ୍କ ଦର୍ଶନ । ସନ୍ଧ୍ୟା ୬ଟା ପରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ଦର୍ଶନ  ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଡ଼ ଅରବିନ୍ଦ ପାଢ଼ୀ ସୂଚନା  ଦେଇଛନ୍ତି । ଠାକୁରଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା ସ୍ଥଳେ  ସମସ୍ତ ସେବକ ନିଯୋଗଙ୍କ ସମନ୍ୱୟ  ଓ ଶ୍ରଦ୍ଧାଳୁ ସମୂହଙ୍କ ସହଯୋଗ କାମନା  କରିଛନ୍ତି ମୁଖ୍ୟ ପ୍ରଶାସକ ଡ଼ ପାଢ଼ୀ ।  

ସନ୍ଧ୍ୟା ଦର୍ଶନ ଦିନ ଜନ୍ମବେଦିରେ  ଦିଅଁଙ୍କୁ ଦେଖିଲେ ଭକ୍ତର ଅଶେଷ  ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି ।  ପୁଣି ଏହି ଦିନ ଚଳିତ ବର୍ଷ ଗୁଣ୍ଡିଚା ଘର ଆଡ଼ପମଣ୍ଡପରେ ଠାକୁରଙ୍କ ଶେଷ ଦର୍ଶନ ମିଳେ । ଏଣୁ  ସନ୍ଧ୍ୟା ଦର୍ଶନରେ ଢେର ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ ।  ଶ୍ରୀଗୁଣ୍ଡିଚା ବାହାରକାଠ ଦର୍ଶନ ମିଳିବ । ଦର୍ଶନ ବନ୍ଦ ପରେ ମଧ୍ୟ  ଶ୍ରଦ୍ଧାଳୁମାନେ ନାକଚଣା ଦ୍ୱାର ଦେଇ ମହାପ୍ରସାଦ ଆଣିବାକୁ  ଆନନ୍ଦବଜାରକୁ ଯାଇପାରିବେ । ସେଥିପାଇଁ ନାକଚଣା ଦ୍ୱାର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।  

ପରଦିନ ବାହୁଡ଼ା ଯାତ୍ରା ଥିବାରୁ ଠାକୁରଙ୍କ ନୀତି ତ୍ୱରାନ୍ୱିତ  କରିବାକୁ ହୁଏ । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ରାତି  ୭ଟାରେ ଗୁଣ୍ଡିଚାଘରକୁ ଶୋଧ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ପହୁଡ଼ ଆଳତି ୧୦ଟାରେ ଅନୁଷ୍ଠିତ  ହେବ। ରାତି ୧୨ ଟାରେ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରୟ ବନ୍ଦ ହେବ । ପୁଷ୍ପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରକୁ ଯିବା  ପରେ ଦଇତାପତିମାନେ ଠାକୁରଙ୍କ ଗୁପ୍ତନୀତି କରିବେ । ପରେ  ସିଂହାସନଠାରେ ଚାରମାଳ ବନ୍ଧାଯାଇ ବିଳମ୍ବିତ ରାତ୍ର ୨ଟା ୩୦ରୁ ୪ଟା  ଭିତରେ କୁସୁମିଲାଗି କରାଯିବ । ପରଦିନ ଅର୍ଥାତ୍‌ ୫ ତାରିଖ ଶନିବାର  ବାହୁଡ଼ା ଯାତ୍ରା ଅବସରରେ ଭକ୍ତ ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇବେ।